ଗୃହାବଦ୍ଧ ଶବ୍ଦ ଅର୍ଥହୀନ, ପଟା ରିକ୍‌ସାରେ କଟେ ଜୀବନ

ଝାରସୁଗୁଡ଼ା: ଚୀନରୁ ଆସିଥିବା କରୋନା ଭୂତାଣୁ କୋଭିଡ଼୍‌-୧୯ ସଂକ୍ରମଣ ସାରା ବିଶ୍ବର ଅର୍ଥନୀତିକୁ ଦୋହଲାଇ ଦେଇଛି । କେବଳ ଯେ, ଅର୍ଥନୀତି ନୁହେଁ ସାରା ମାନବ ସମାଜ ପାଇଁ ଏହି କରୋନା ଭୂତାଣୁ ଆଜି ଏକ ବଡ଼ ଆହ୍ବାନ ପାଲଟିଛି। ବିଶ୍ବ ଏକ ବଡ଼ ବିପର୍ଯ୍ୟୟ ଆଡ଼କୁ ମୁହାଁଇଛି। ଏଭଳି ସ୍ଥିତିରେ ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ଗୃହାବଦ୍ଧ ବୋଲି ବିଶେଷଜ୍ଞ ମାନେ ମତ ଦେବା ପରେ ପୃଥିବୀର ଶତାଧିକ ରାଷ୍ଟ୍ରରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଆମ ଦେଶ ଭାରତ ମଧ୍ୟ ଗତ ୨୪ ତାରିଖ ଠାରୁ ଲକ୍‌ଡାଉନ୍‌କୁ ଚାଲି ଯାଇଛି। ସାରା ଦେଶରେ ଏବେ ସବୁ ବନ୍ଦ ହୋଇଯାଇଛି। ଲୋକଙ୍କୁ ଘର ଭିତରେ ରହି ଜୀବନଯାପନ କରିବାକୁ ଆଇନ ପ୍ରଣୟନ ହୋଇଛି। ବାହାରେ ପୁଲିସ ପ୍ରଶାସନ ସଜାଗ ରହିଛି , ଘରୁ ପଦାକୁ ବାହାରିଲେ ଘର ଭିତରକୁ ଯିବା ପାଇଁ ତାଗିଦ କରୁଛି। ଦୋକନ, ବଜାର, ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଠାରୁ ଆରମ୍ଭ କରି ସ୍କୁଲ-କଲେଜ, ଟ୍ରେନ୍‌, ବସ୍‌, ବିମାନ, କାର୍‌, ଜିପ୍‌, ଅଟୋ ସବୁକିଛି ରାସ୍ତାରେ ଗଡ଼ିବା ବନ୍ଦ ହୋଇଯାଇଛି। ଗଣମାଧ୍ୟମରେ ଲୋକଙ୍କୁ ଘରେ ରହିବା, ହାତ ଧୋଇବା, ସାମାଜିକ ଦୂରତ୍ବ ରଖିବାକୁ ଘନ ଘନ ପ୍ରଚାର କରାଯାଉଛି। ଗତ କିଛି ଦିନ ହେଲା ଏଭଳି ସାମାଜିକ ଦୂରତ୍ବ, ଏକାନ୍ତବାସ, ସଙ୍ଗରୋଧ, ଗୃହାବଦ୍ଧ ଭଳି ଶବ୍ଦ ବାରମ୍ବାର ପ୍ରତିଧ୍ବନିତ ହେଉଛି। ମାତ୍ର ଝାରସୁଗୁଡ଼ା ଶିଳ୍ପନଗରୀରେ ଘୁରି ବୁଲୁଥିବା ଅର୍ଜୁନ ଓ ଅଞ୍ଜଳିଙ୍କୁ ଏହି ସବୁ ଶବ୍ଦ ଯେପରି ଅର୍ଥହୀନ ଅଟେ। ହଁ ଅର୍ଜୁନ ସିଂହ, ବୟସ ମାତ୍ର ୨୮ ବର୍ଷ। ବାସସ୍ଥାନ ହେଲା ଝାରସୁଗୁଡ଼ା ରେଳ ଷ୍ଟେସନ।

ବୃତ୍ତି ହେଲା ଏକ ଭଙ୍ଗାଦଦରା ପଟାରିକ୍‌ସା। ଯେଉଁଥିରେ ସେ ମାଲ ବୋହି ଜୀବିକା ନିର୍ବାହ କରେ। ପରିବାର କହିଲେ ସ୍ତ୍ରୀ ଅଞ୍ଚଳି(୨୨), ଚାରି ବର୍ଷ, ଦେଢ଼ ବର୍ଷ ଓ ଛଅ ମାସର ତିନୋଟି ସନ୍ତାନ। ଅର୍ଜୁନର ପିତା ବିହାର ଅଞ୍ଚଳରୁ କାମ କରିବାକୁ ଏଠାକୁ ଚାଲି ଆସିଥିଲେ। ଝାରସୁଗୁଡ଼ାରେ ସେ କୁଲି କାମ ଓ ରିକ୍‌ସା ଟାଣି ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା। ଅର୍ଜୁନଙ୍କ ମା ମଧ୍ୟ ଏହି ଦୁନିଆଁରେ ଆଉ ନାହାନ୍ତି। ଝାରସୁଗୁଡ଼ାରେ ଜନ୍ମଗ୍ରହଣ କରିଥିବା ଅର୍ଜୁନ ଅଭାବ ଅନଟନରେ ବାଲ୍ୟ ଅତିବାହିତ କରି ଆସିଥିଲା। ପିତାମାତାଙ୍କ ଦେହାନ୍ତ ପରେ ଅର୍ଜୁନ ବାପାଙ୍କ ପଟା ରିକ୍ସା ଚଳାଇବା ଆରମ୍ଭ କରିଥିଲା। ସେଥିରୁ ଯାହା ଆଦାୟ ହୁଏ ପେଟ ପାଟଣା ହୁଏ ଓ ରାତିରେ ଷ୍ଟ‌େସନ ବାରଣ୍ଡାହିଁ ଆଶ୍ରୟ ସ୍ଥଳ ପାଲଟେ। ଗତ କିଛି ବର୍ଷ ତଳେ ଅର୍ଜୁନ ଚକ୍ରଧରପୁର ଅଞ୍ଚଳର ଅଞ୍ଜଳି ନାମକ ଜଣେ ଯୁବତୀକୁ ବିବାହ କରିଥିଲା। ସ୍ତ୍ରୀ ଓ ତିନୋଟି ସନ୍ତାନକୁ ନେଇ ଏକମାତ୍ର ସମ୍ବଳ ପଟାରିକ୍‌ସାକୁ ନେଇ ଅର୍ଜୁନର ସଂସାର। କାମ ସାରି ଷ୍ଟେସନକୁ ଫେରିବା ପରେ ରିକ୍‌ସା ଉପରେ କିଛି ଅଖା ଓ ବେଗ୍‌ରେ ଥିବା ସାମଗ୍ରୀ ରଖି ଏହା ଉପରେ ତିନି ଛୁଆଙ୍କୁ ନେଇ ଅତି କଷ୍ଟରେ ରାତି ବିତାନ୍ତି ଅଞ୍ଜଳି। ମାରାତ୍ମକ କରୋନା ଯୋଗୁଁ ଆଜିକୁ ଏକ ସପ୍ତାହ ହେଲା ଝାରସୁଗୁଡ଼ାର ସବୁ ବନ୍ଦ ଯୋଗୁଁ ଅର୍ଜୁନ ଓ ତାର ପରିବାରଙ୍କ ମୁହଁରୁ ଯେପରି ଆହାର କିଏ ଛଡ଼ାଇ ନେଇଛି। ଅର୍ଜୁନର ଘର ନଥିବାରୁ ଏବଂ ଏବେ ଷ୍ଟେସନ ବନ୍ଦ ହୋଇଯାଇଥିବାରୁ ଏହି ପଟା ରିକ୍‌ସାରେ ସ୍ତ୍ରୀ ଓ ତିନି ସନ୍ତାନକୁ ନେଇ ସହର ସାରା ଘୁରି ବୁଲୁଛି। ଗତ ୨ ଦିନ ହେଲା ରାତିରେ କିଛି ସାମାଜିକ କର୍ମୀ କିଛି କିଛି ଆହାର ଆଣି ତାଙ୍କୁ ଦେଉଥିବା ସେ କୁହନ୍ତି। ତଥାପି ଅର୍ଜୁନଙ୍କ ସ୍ତ୍ରୀ ଓ ଛୋଟ ଛୁଆ ମାନଙ୍କ ମୁହଁରେ ଆଦୌ ଅନୁଶୋଚନା ଥିବା ଦେଖା ଯାଏନାହିଁ। ଖୁବ୍‌ ଶୀଘ୍ର ଏଭଳି ପରିସ୍ଥିତିରେ ପରିବର୍ତ୍ତନ ହେବ ପୁଣି ଟ୍ରେନ୍‌ ଚାଲିବ ଓ ମୁଁ ମୋ ପରିବାରକୁ ମୁଠାଏ ଖାଇବାକୁ ଦେବାରେ ସମର୍ଥ ହେବି ବୋଲି କୁହନ୍ତି ଅର୍ଜୁନ।

ସମ୍ବନ୍ଧିତ ଖବର