ଜିଲ୍ଲାରେ ଅତ୍ୟାଧୁନିକ ହୋଲ୍‌ସେଲ୍ ମାଛବଜାର ଖୁବ୍‌ଶୀଘ୍ର

ବାହାର୍ଦ୍ଦାଠାରେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ, ମତ୍ସ୍ୟ ବିଭାଗ ଅଧିକାରୀ

ବାଲେଶ୍ବର/ବସ୍ତା-୨/ଗାନ୍ଧିଛକ/ଅମର୍ଦ୍ଦାରୋଡ: ଜିଲ୍ଲାର ବସ୍ତା ବ୍ଲକ୍ ବାହାର୍ଦ୍ଦାଠାରେ ଦୀର୍ଘବର୍ଷ ଧରି ପ୍ରସ୍ତାବିତ ହୋଇଥିବା ଅତ୍ୟାଧୁନିକ ପାଇକାରୀ(ହୋଲସେଲ) ସ୍ବାସ୍ଥ୍ୟକର ମାଛ ମାର୍କେଟ୍‌ ସ୍ଥାପନ ନେଇ ବାଟ ଫିଟିଛି। ବୁଧବାର ଅପରାହ୍ନରେ ଏନେଇ ଏକ ପରାମର୍ଶଭିତ୍ତିକ ବୈଠକ ବାମପଦାସ୍ଥିତ ନୋସି ବିଜ୍‌ନେସ ପାର୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ ଓ ଆନୁଷଙ୍ଗିକ ବ୍ୟବସାୟ ସହିତ ଜଡ଼ିତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବ୍ୟବସାୟୀଙ୍କ ସହ ପାଇକାରୀ ମାଛ ବଜାରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ବାଲେଶ୍ବର ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ତଥା ପ‌ଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘାରୁ ଆସିଥିବା ମତ୍ସ୍ୟ ବ୍ୟବସାୟୀମାନେ ଉପସ୍ଥିତ ରହି ଦୀଘା ଓ ପାରାଦୀପରେ ଥିବା ହୋଲସେଲ ମାଛ ମାକେର୍ଟରେ ରହିଥିବା ବିଭିନ୍ନ ସୁବିଧା, ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହି ଆଧାରରେ ଏହି ପ୍ରସ୍ତାବିତ ମାଛ ମାର୍କେଟ୍‌କୁ କିଭଳି ବିକଶିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। ମାଛ ମାକେର୍ଟର ଡିଜାଇନକୁ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଅଧିକାରୀ ଓ ବ୍ୟବସାୟୀମାନଙ୍କୁ ପ୍ରଦର୍ଶିତ କରାଯିବା ସହିତ ଏଥିରେ କଣ ସବୁ ସୁବିଧା ଉପଲବ୍ଧ ରହିବ ସେ ନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା। ବାଲେଶ୍ବର ଜିଲ୍ଲା ମତ୍ସ୍ୟ ଉତ୍ପାଦନରେ ସମଗ୍ର ରାଜ୍ୟରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହି ମାଛ ମାର୍କେଟ୍‌ ସ୍ଥାପନ ଦ୍ବାରା ଜିଲ୍ଲାର ମତ୍ସ୍ୟଜୀବୀମାନେ ଯଥେଷ୍ଟ ଉପକୃତ ହେବା ସହ ଲାଭବାନ ହୋଇପାରିବେ ଏବଂ ରପ୍ତାନୀ କ୍ଷେତ୍ରରେ ଆମେ ଆହୁରି ଆଗକୁ ଯାଇପାରିବା ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଏହି ଅବସରରେ ମତବ୍ୟକ୍ତ କରିଥିଲେ। ସମଗ୍ର ଓଡ଼ିଶା ଏହାର ସୁଫଳ ପାଇପାରିବ ବୋଲି ସେ କହିଥିଲେ।

ପ୍ରାୟ ୨୦ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ହୋଲସେଲ ମାଛ ମାର୍କେଟ୍‌ରେ ନିଲାମ ଡାକିବା ପାଇଁ ଯଥେଷ୍ଟ ଖୋଲା ସ୍ଥାନ, ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ସମନ୍ବିତ ବରଫକଳ ସ୍ଥାପନ, ମାଛ ସଂରକ୍ଷଣ ପାଇଁ ଉପଯୁକ୍ତ ଷ୍ଟୋରେଜ୍ ବ୍ୟବସ୍ଥା, ବାୟୁ ଚଳାଚଳ ବ୍ୟବସ୍ଥା, ବ୍ୟାଙ୍କ ଏବଂ ଏଟିଏମ ସୁବିଧା, ପ୍ରୋସେସିଂ ୟୁନିଟ୍, ଜାତୀୟ ରାଜପଥ ସହ ମାକେର୍ଟକୁ ଯୋଡ଼ିବା ପାଇଁ ଆପ୍ରୋଚ ରୋଡ଼୍‌ର ବ୍ୟବସ୍ଥା, ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କୁ ସୁହାଇଲା ଭଳି ନୀତି ପ୍ରଣୟନ ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ବୈଠକରେ ବ୍ୟବସାୟୀମାନେ ମତ ରଖିଥିଲେ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଉପନିର୍ଦ୍ଦେଶକ(ସାମୁଦ୍ରିକ) ବସନ୍ତ କୁମାର ଦାସ, ବାଲେଶ୍ବର ଜୋନ‌୍ ମତ୍ସ୍ୟ ଉପନିର୍ଦ୍ଦେଶକ ସୁବ୍ରତ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ମତ୍ସ୍ୟ ବିଭାଗର ଅଧିକାରୀଗଣ ଏବଂ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ମତ୍ସ୍ୟ ବ୍ୟବସାୟୀମାନେ ବାହାର୍ଦ୍ଦା ଯାଇ ପ୍ରସ୍ତାବିତ ମାଛ ମାର୍କେଟ୍‌ ସ୍ଥାନକୁ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର