ରାଉରକେଲାରେ ପ୍ରସ୍ତାବିତ ହୋଲସେଲ୍‌ ମେଗା ମାର୍କେଟ୍‌ ୟାର୍ଡ ଆରମ୍ଭରୁ ବିବାଦ!

କମିଟି ସଦସ୍ୟଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ

ରାଉରକେଲା: ୨୦୧୪ ମସିହା ଫେବ୍ରୁଆରୀ ମାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପ୍ରସ୍ତାବିତ ହୋଲସେଲ୍‌ ମେଗା ମାର୍କେଟ୍‌ ୟାର୍ଡ‌୍‌ର ଶୀଳାନ୍ୟାସ କରିଥିଲେ। ତେବେ ଶୀଳନ୍ୟାସକୁ ଇତିମଧ୍ୟରେ ପ୍ରାୟ ସାଢ଼େ ୭ ବର୍ଷ ବିତିଲାଣି, କିନ୍ତୁ ପ୍ରକଳ୍ପର ନାଁ ଗନ୍ଧ ନାହିଁ। କେବଳ ପାଚେରୀ ନିର୍ମାଣରେ ସୀମିତ ପ୍ରକଳ୍ପ। ବିଡ଼ମ୍ବନା ଏହା ଯେ, ଏହାର ବିସ୍ତୃତ ପ୍ରକଳ୍ପ ବିବରଣୀ(ଡିପିଆର୍‌) ତିଆରି ହୋଇପାରିନି। ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବବୋଲି ବିଭାଗୀୟ କର୍ତୃପକ୍ଷ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି; କିନ୍ତୁ ପ୍ରକଳ୍ପର ସାଂପ୍ରତିକ ସ୍ଥିତିକୁ ଦେଖିଲେ ଏହା ନିର୍ଦ୍ଦିଷ୍ଟଭାବେ କେବେ କାର୍ଯ୍ୟକ୍ଷମ ହେବ ସେନେଇ ସ୍ପଷ୍ଟ ହୋଇନି।

ପ୍ରକଳ୍ପ ବିଷୟରେ ଆଲୋଚନା ପାଇଁ ରବିବାର ପାନପୋଷ ବଜାର ନିୟନ୍ତ୍ରିତ କମିଟିର ଏକ ବୈଠକ ସଭାପତି ତଥା ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରକଳ୍ପର ଅଯଥା ବିଳମ୍ବକୁ ନେଇ କର୍ମକର୍ତା ତୀବ୍ର ସମାଲୋଚନା କରିଥିଲେ। ପ୍ରକଳ୍ପର ଡିପିଆର୍‌ କିମ୍ବା ଅଗ୍ରଗତି ନଇେ ଏହାର ନିଜସ୍ବ କମିଟିକୁ ଅନ୍ଧାରରେ ରଖାଯାଇଛି। ପୂର୍ବ ବୈଠକର ବିସ୍ତୃତ ଆଲୋଚନା, ସମସ୍ତ ପ୍ରସ୍ତାବ ବିଷୟରେ ନିୟନ୍ତ୍ରିତ ବଜାର କମିଟିର ସଦସ୍ୟମାନଙ୍କୁ ଅବଗତ କରାଯାଉବୋଲି ଦାବି କରିଥିଲେ। କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ୩୦ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଉପସଭାପତି ସତ୍ୟାନନ୍ଦ ପ୍ରସାଦ, ସଂପାଦକ ବିଳେନ୍ଦୁ ସିଂହ ନାଥ, ଗନ୍ଧର୍ବ ମହାନ୍ତି, ଉଜ୍ବଳ କୁଣ୍ଡୁ, ଆଲୋକ ନାୟକ, କିଶନ ଅଗ୍ରୱାଲ, ବିରଞ୍ଚି ସାହୁ, ଆଲୋକ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ସହରର ଅନ୍ୟତମ ପ୍ରମୁଖ ଗହଳିପୂର୍ଣ୍ଣ ଅଞ୍ଚଳ ହେଉଛି ଡେଲିମାର୍କେଟ୍‌। ଏଠାରେ ଛୋଟବଡ଼ ଦୋକାନ, ମାର୍କେଟ୍‌ କଂପ୍ଲେକ୍ସ ସମେତ ହୋଲ୍‌ସେଲ୍‌ ଗୋଦାମ ଥିବାରୁ ଭିଡ଼ ସୃଷ୍ଟି ହେଉଛି। ଏହି ଅଯଥା ଭିଡ଼ ନିୟନ୍ତ୍ରଣ ପାଇଁ ସହରରେ ମେଗା ହୋଲସେଲ୍‌ ମାର୍କେଟ୍‌ ୟାର୍ଡର ପ୍ରତିଷ୍ଠା ପାଇଁ ଦାବି ହୋଇଥିଲା। ପରବର୍ତ୍ତୀ ସମୟରେ ସରକାର ଦାବିକୁ ହୃଦୟଙ୍ଗମ କରି ପ୍ରକଳ୍ପ ପାଇଁ ସମ୍ମତି ଦେଇଥିଲେ। ପରେ ସହର ଉପକଣ୍ଠ ବାଲୁଘାଟରେ ପ୍ରକଳ୍ପ ସ୍ଥାପନ ପାଇଁ ୨୦୧୪ ଫେବ୍ରୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଶୀଳାନ୍ୟାସ କରିଥିଲେ। ସେତେବେଳେ ଯୋଜନା ଥିଲା, ବାଲୁଘାଟରେ ପ୍ରାୟ ୧୦.୪୮ ଏକର ସରକାରୀ ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୯୮.୪୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଏହି ହୋଲସେଲ ମେଗା ମାର୍କେଟ୍‌ ୟାର୍ଡ‌୍‌ରେ ହୋଲସେଲର୍‌ଙ୍କ ପାଇଁ ସ୍ୱତନ୍ତ୍ର ଗୋଦାମ ଗୃହ, ଦୋକାନ ଗୃହ ସମେତ ୱେ ବ୍ରିଜ୍‌, ୱେର୍‌ ହାଉସ୍‌, ଶୀତଳ ଭଣ୍ଡାର, ଡିଜିଟାଲ ଇନଫର୍ମେସନ ସେଣ୍ଟର ଆଦି ପ୍ରତିଷ୍ଠା କରିବାକୁ ଯୋଜନା ରହିଥିଲା। ତେବେ ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ହେଉ ଓ ରାଜନୈତିକ ସଦିଚ୍ଛାର ଅଭାବ; ପ୍ରକଳ୍ପ ଆଗେଇ ପାରିନଥିଲା। ଏମିତିକି ୨୦୧୭ ମସିହାରେ ପ୍ରକଳ୍ପ ଜମିକୁ ନେଇ ବିବାଦ ଦେଖାଦେବାରୁ ମାମଲା ନ୍ୟାସନାଲ କମିସନ ଫର୍‌ ସିଟ୍ୟୁଲ୍‌ଡ ଟ୍ରାଇବ୍‌(ଏନ୍‌ସିଏସ୍‌ଟି)ଙ୍କ ପାଖକୁ ଯାଇଥିଲା। ପ୍ରକଳ୍ପ ତ୍ୱରାନ୍ୱିତ ନେଇ ତତ୍କାଳୀନ ବିଧାୟକ ଦିଲୀପ ରାୟ ଏକାଧିକ ବାର ରାଉରକେଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏମିତିକି ୨୦୧୭ ମସିହାରେ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ସେତେବେଳେ ରାଜ୍ୟ ସମବାୟ ମନ୍ତ୍ରୀ ଉତ୍ତରରେ ୨୦୧୮ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହେବବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରକଳ୍ପ ଆଉ ଆଗେଇ ପାରିନଥିଲା। ତେବେ ବିଳମ୍ବରେ ହେଉ ପଛେ, ଖୁବଶୀଘ୍ର ଡିପିଆର୍‌ ପ୍ରସ୍ତୁତ ହୋଇ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହେବବୋଲି ବିଭାଗୀୟ କର୍ତୃପକ୍ଷଙ୍କ ସୂଚନା; ସହରବାସୀଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛି।

ସମ୍ବନ୍ଧିତ ଖବର