ରତ୍ନାକର ଭୋଇ
ସମ୍ବଲପୁର: ପରାଧୀନ ଭାରତରେ ଇଂରେଜମାନଙ୍କ ବର୍ବର ଅତ୍ୟାଚାର ଯୋଗୁ ଜନତାଙ୍କ ମନରେ ଥିଲା ପ୍ରବଳ ଭୟ। ତଥାପି ସମ୍ବଲପୁର ମାଟିର ବୀର ସନ୍ତାନ ସୁରେନ୍ଦ୍ର ସାଏଙ୍କୁ ଡରୁଥିଲେ ଇଂରେଜ। ଜେଲ୍ରୁ ମୁକ୍ତ କରିଦେଲେ ପୁଣି ସେ ବଡ଼ ସଂଗ୍ରାମ କରିବା ନେଇ ଇଂରେଜମାନଙ୍କ ମନରେ ଭୟ ଥିଲା। କାରାଦଣ୍ଡ ସରିବା ପରେ ବି ବୀର ସୁରେନ୍ଦ୍ର ସାଏଙ୍କୁ କାରାମୁକ୍ତ କରାଯାଇନଥିଲା। ଶେଷରେ ସେହି ଜେଲ୍ ମଧ୍ୟରେ ହିଁ ବୀର ସୁରେନ୍ଦ୍ର ସାଏଙ୍କ ଜୀବନଦୀପ ଲିଭି ଯାଇଥିଲା।
ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ୱଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା। କେହି ଉତ୍ତରାଧିକାରୀ ନଥିବାରୁ ରାଜା ମହାରାଜ ସାଏଙ୍କ ନିଧନ ପରେ ଇଂରେଜମାନେ କାଠପୁତଳି ଭଳି ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ। ରାଣୀ ମୋହନ କୁମାରୀଙ୍କ ରାଜସ୍ବ ବିରୋଧୀ ନୀତି ଯୋଗୁ ଉଭୟ ପ୍ରଜା ଆଉ ଜମିଦାର ଅସନ୍ତୁଷ୍ଟ ଥିଲେ। ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ସୁପୁତ୍ର ସୁରେନ୍ଦ୍ର ସାଏ ରାଜ ସିଂହାସନର ପ୍ରବଳ ଦାବିଦାର ଥିଲେ। ଇଂରେଜମାନେ କିନ୍ତୁ ତାଙ୍କୁ ଏଥିରୁ ବଞ୍ଚିତ ରଖିଥିଲେ। ପିତା ଧର୍ମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହ ତତ୍ତ୍ୱାବଧାନରେ ସୁରେନ୍ଦ୍ର ଘୋଡ଼ାଚଢ଼ା ସମେତ ଅନ୍ୟ ସମର କୌଶଳର ପ୍ରଶିକ୍ଷଣ ନେଇଥିଲେ। ୨୩ ଜାନୁଆରି ୧୮୦୯ରେ ଧରାପୃଷ୍ଠରେ ଅବତରଣ କରିଥିବା ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ୧୮୪୦ରେ ସମ୍ୱଲପୁର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତଙ୍କ ସହିତ ଅନ୍ୟ ସହଯୋଗୀମାନଙ୍କୁ ଇଂରେଜମାନେ କୌଶଳକ୍ରମେ ଗିରଫ କରିଥିଲେ। ସୁରେନ୍ଦ୍ରଙ୍କୁ ୫ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରିବାଗ ଜେଲ୍ରେ ବନ୍ଦୀ ରଖିଥିଲେ। ଇଂରେଜମାନେ ସୁରେନ୍ଦ୍ର ସାଏଙ୍କୁ ଏତେ ଭୟ କରୁଥିଲେ ଯେ ଏହି କାରାଦଣ୍ଡ ଅବଧି ସରିବା ପରେ ବି ତାଙ୍କୁ ଛାଡ଼ିନଥିଲେ। ତେବେ, ୧୮୫୭ ମସିହାର ସିପାହୀ ବିଦ୍ରୋହ ସୁରେନ୍ଦ୍ର ସାଏଙ୍କ ପାଇଁ ଆଣିଦେଇଥିଲା ସୁବର୍ଣ୍ଣ ସୁଯୋଗ।
‘ଛୋଟା ବର୍ଦ୍ଧମାନ କା ପଲଟନ୍’ ସହ ମିଶି ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ସାଏ। ସେତେବେଳକୁ ସେ ୧୭ ବର୍ଷ ଜେଲ୍ ଭୋଗି ସାରିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଚାଲି ଚାଲି ଦୁଇ ଭାଇ ନିଜ ମାତୃଭୂମି ସମ୍ବଲପୁରରେ ପହଞ୍ଚିଥିଲେ। ସୁରେନ୍ଦ୍ର ସାଏଙ୍କ ଆଗମନରେ ଇଂରେଜମାନେ ବିଚଳିତ ହୋଇ ଉଠିଥିଲେ। ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ ଶହ ଲୋକଙ୍କ ସହ ସମ୍ୱଲପୁର ସହରକୁ ପ୍ରବେଶ କରିଥିଲେ। ସୁରେନ୍ଦ୍ର ଓ ତାଙ୍କ ଲୋକଙ୍କୁ ଧରିବା ପାଇଁ ଇଂରେଜମାନେ ଗୁପ୍ତଚର ନିୟୋଜିତ କରିବା ପରେ ଘଞ୍ଚ ବନାନୀ, ଗିରିଶୃଙ୍ଗକୁ ନିଜ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିଲେ। ଇଂରେଜମାନଙ୍କ ମୁକାବିଲା କରିବା ପାଇଁ ସେ ‘ଗରିଲା ରଣନୀତି’ ଆପଣେଇ ଥିଲେ। ପାହାଡ଼ ଉପରୁ ପଥର ଖସାଇ ଇଂରେଜମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ। ଇଂରେଜ ସୈନ୍ୟମାନଙ୍କ ଯୁଦ୍ଧ କୌଶଳ କାମ ଦେଇନଥିଲା। ଶେଷରେ ବିଶ୍ୱାସଘାତକତାର ଶିକାର ହୋଇଥିଲେ। ନିଜ ଜନ୍ମଦିବସ (୨୩ ଜାନୁଆରି ୧୮୬୪)ରେ ହିଁ ଦ୍ୱିତୀୟ ଥର ଇଂରେଜମାନଙ୍କ ଦ୍ବାରା ଗିରଫ ହୋଇଥିଲେ। ପ୍ରଥମ ତାଙ୍କୁ ରାୟପୁର ନିଆଯାଇଥିଲା।
ସେଠାରୁ ପୁଣି କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ନାଗପୁର ଜେଲ୍କୁ ନିଆଯାଇଥିଲା। ଜୁନ୍ ୧୮୬୫ରୁ ଜୀବନର ଶେଷ ପର୍ଯ୍ୟନ୍ତ ଅସିରଗଡ଼ ଦୁର୍ଗରେ କଟିଥିଲା ତାଙ୍କ ବନ୍ଦୀ ଜୀବନ। ୩ ମାର୍ଚ୍ଚ ୧୮୮୩ରେ ଅସୁସ୍ଥ ହୋଇ ପଡ଼ିଥିଲେ ସୁରେନ୍ଦ୍ର। ଲମ୍ବା ଯନ୍ତ୍ରଣାଦାୟକ ରୁଗ୍ଣ ଜୀବନ ପରେ ୨୮ ଫେବ୍ରୁଆରି ୧୮୮୪ରେ ଏହି ମହାନ ବୀରଙ୍କ ଜୀବନଦୀପ ଲିଭି ଯାଇଥିଲା। ବୀର ସୁରେନ୍ଦ୍ର ସାଏ ଯୌବନର ଦୀର୍ଘ ୧୭ ବର୍ଷ ଏବଂ ଶେଷ ପର୍ଯ୍ୟାୟରେ ୨୦ବର୍ଷ ବନ୍ଦୀ ଜୀବନ ବିତାଇବା ଇତିହାସ ପୃଷ୍ଠାରେ ବିରଳ ଘଟଣା। ଜନ୍ମଭୂମି ପାଇଁ ଜୀବନ ଦେଇଥିବା ଏହି ମହାନାୟକଙ୍କ ପ୍ରତି ଉଚିତ ସମ୍ମାନ ମିଳିପାରିନାହିଁ। ଏବେ ବି ତାଙ୍କ ଜନ୍ମପୀଠ ଅବହେଳିତ।