‘କାହା ଚଉକି ବଦଳିବନି’

ଭୃଗୁ ଜ୍ୟୋତିଷ ଗଣନା

ଭୁବନେଶ୍ବର : ୨୦୧୯ରେ ସାଧାରଣ ନିର୍ବାଚନ। ଏ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଅଙ୍କକଷା ଚାଲିଛି। କିନ୍ତୁ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବି‌େଶଷ କିଛି ଓଲଟପାଲଟର ସମ୍ଭାବନା ଦେଖୁନାହାନ୍ତି ଜ୍ୟୋତିର୍ବିଦ୍‌ମାନେ। ନିର୍ବାଚନ ଲଢ଼େଇରେ ଆସନ କମ୍, ବେଶି ହୋଇପାରେ। କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଚଉକି ସହିସଲାମତ ରହିବ। ଭୁବନେଶ୍ବରର ଭୃଗୁ ଜ୍ୟୋତିଷ ପଣ୍ତିତ ଶ୍ରୀଧର ଆଚାର୍ଯ୍ୟ ଏମିତି ଗଣନା କରିଛନ୍ତି।

ପଣ୍ଡିତ ଆଚାର୍ଯ୍ୟଙ୍କ ଗଣନା ଆହୁରି କହୁଛି, ନିରଞ୍ଜନ ପଟ୍ଟନାୟକ ସଫଳତା ପାଇ କ୍ଷମତାଶାଳୀ ହେବେ, କିନ୍ତୁ ରାଜ୍ୟ ଦଖଲ ନେଇ ଆଶା ଦେଖାଯାଉନି। ସେମିତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ରାଜ୍ୟ ରାଜନୀତି ସହ ସମ୍ପର୍କ ଯୋଡ଼ି ହେଲା ପରି ସମ୍ଭାବନା କ୍ଷୀଣ। ବୈଜୟନ୍ତ ପଣ୍ଡା ଜାତୀୟ ଦଳରେ ଯୋଗ ଦେବେ, ଆଉ ସାମ୍ବିଧାନିକ ପଦବି ପାଇପାରନ୍ତି। ବିଜୟ ମହାପାତ୍ର କୌଣସି ଦଳରେ ଯୋଗ ଦେଇ ଦଳୀୟ ପଦବି ପାଇବେ। କିନ୍ତୁ ନିର୍ବାଚନୀ ରାଜନୀତିରେ ଉତ୍ତୁରିବା କଷ୍ଟ ହୋଇପାରେ। ଦାମୋଦର ରାଉତ ଆଶା ଠାରୁ ଭଲ ପ୍ରଦର୍ଶନ କରିବେ। ଅପରାଜିତା ଷଡ଼ଙ୍ଗୀ ବ୍ୟକ୍ତିଗତ ଭାବେ ଉଚ୍ଚ ପଦପଦବି ପାଇବାର ଯୋଗ ରହିଛି।

ପଣ୍ଡିତ ଆଚାର୍ଯ୍ୟ ଆହୁରି ଗଣନା କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାତକରେ ୩.୧୧.୨୦୧୮ ରୁ ୯.୩.୨୦୧୯ ମଧ୍ୟରେ କେତୁ ମହାଦଶାରେ ରବି ଅନ୍ତରଦଶା ଭୋଗ ରହିଛି। ଅତ୍ୟନ୍ତ ଉତ୍ତମ ଯୋଗ ହେତୁ ସରକାର ନୂଆ ବର୍ଷରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବେ। କିନ୍ତୁ କଳଙ୍କର ଦାଗ ଲାଗିବାର ଯୋଗ ରହିଛି। ତେଣୁ ସରକାର ବଦନାମ ହୋଇପାରନ୍ତି। ମହିଳା ବିଲ୍‌ ସରକାରଙ୍କୁ ଘାତକ ହୋଇପାରେ। ସବୁ ସତ୍ତ୍ବେ ନବୀନ ପଟ୍ଟନାୟକ ସରକାର ଗଢ଼ିପାରନ୍ତି। ତେବେ ସୀମିତ ସଂଖ୍ୟାରେ ବିଜେଡିକୁ ସନ୍ତୁଷ୍ଟ ରହିବାକୁ ପଡ଼ିବ। ବିଭିନ୍ନ ସମୟରେ ସରକାର ଜଟିଳ ପରିସ୍ଥିତିର ସାମ୍ନା କରିବେ। ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ୍ ଦୁର୍ନୀତି, ଚାଷୀ ଆତ୍ମହତ୍ୟା, ମରୁଡ଼ି ପରିସ୍ଥିତି ସରକାରଙ୍କୁ କଲବଲ କରିପାରେ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଆସ୍ଥାଭାଜନ ହେବେ।

ଏହି ଗଣନା ଅନୁଯାୟୀ ନିରଞ୍ଜନ ପଟ୍ଟନାୟକଙ୍କ ଜାତକରେ ମହାଦଶା ଚଳନ ହେଉଛି। ବୁଧ ଦଶା ଚତୁର୍ଥ ଓ ସପ୍ତମାଧିପତିଙ୍କ ଦଶା ହେତୁ ଜାତକ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ତାଙ୍କର ଏହି ସମୟ ମଧ୍ୟରେ ରାଜଯୋଗ ଅଛି। ସେ ଉଚ୍ଚ କ୍ଷମତାଶାଳୀ ହୋଇପାରନ୍ତି। ଓଡ଼ିଶା ରାଜନୀତିରେ ସେ ଯଥେଷ୍ଟ ସଫଳତା ପାଇପାରନ୍ତି। ଆଗାମୀ ନିର୍ବାଚନରେ ସରକାରୀ କଳରେ ନିଜର କ୍ଷମତା ଜାହିର କରିବାର ସୂଚନା ମିଳୁଛି।

ରାଜ୍ୟ ସମ୍ପର୍କରେ ଗଣନା କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ୨୦୧୯ରେ ରାଜ୍ୟରେ ମରୁଡ଼ି ପରିସ୍ଥିତି, ଚାଷୀ ଆତ୍ମହତ୍ୟା ଦେଖାଦେଇପାରେ। ସରକାରୀ ସ୍ତରରେ ଜନସାଧାରଣଙ୍କୁ ସାହାଯ୍ୟ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। କିନ୍ତୁ ବିରୋଧୀ ଦଳ ଆନ୍ଦୋଳନ କରି ସରକାରଙ୍କୁ ନାକେଦମ୍ କରିବେ। ବିଜେଡିରେ ଅନ୍ତଃକନ୍ଦଳ ରାଜନୈତିକ ପରିବେଶକୁ ସରଗରମ କରିବ। ଏ ବର୍ଷ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ହେବ। ଦରଦାମ ସ୍ଥିର ରଖିବା ପାଇଁ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସରକାର କଠୋର ହେବ। କୃଷି ପାଇଁ ବର୍ଷଟି ଶୁଭଙ୍କର ହୋଇ ନ ପାରେ। ଅନିୟମିତ ବର୍ଷା ଓ ବନ୍ୟାକୁ ଫସଲ ପାଇଁ ବିପଦ ଆଣିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର