ଯାଜପୁର: ଚାଷୀଙ୍କଠାରୁ ସରକାରୀ ମୂଲ୍ୟରେ ଧାନମଣ୍ଡିରେ ଧାନ କିଣାବିକା କାରବାରକୁ ବର୍ଷ ବର୍ଷ ଧରି ପ୍ରଶାସନ ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ଖୋଲାମେଲାରେ ଚାଲିଥିବା ଅସାଧୁ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀଙ୍କ ଆନ୍ତରିକତା ନାହିଁ। କେତେକ ପ୍ରଭାବଶାଳୀ ମିଲରଙ୍କ ନିୟନ୍ତ୍ରଣରେ ଚାଲିଛି ଧାନ କିଣାବିକା। ଧାନକିଣାକୁ ନିଜ ନିୟନ୍ତ୍ରଣକୁ ନେବାରେ ସରକାରୀ କଳ ସଂପୂର୍ଣ୍ଣ ବିଫଳ ହୋଇଛି। ଲୋକ ଦେଖାଣିଆ ଧାନମଣ୍ଡି କାରବାର ଯୋଗୁଁ ଚାଷୀମାନେ ଶୋଷିତ ହେଉଛନ୍ତି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ଧାନମଣ୍ଡି ଖୋଲିବା ପୂର୍ବରୁ ଅନେକ ମିଲର ଅଳ୍ପ ଦାମରେ ଶହଶହ କୁଇଣ୍ଟାଲ ଧାନ କିଣି ଗଚ୍ଛିତ କଲେଣି। ଏହି ବିପୁଳ ଧାନ କାହାର? ତାହାର ସମୀକ୍ଷା କରିବାକୁ ପ୍ରଶାସନ ସାହସ ଜୁଟାଇ ପାରୁନାହିଁ ନା, ଅସାଧୁମେଣ୍ଟର ଭାଗୀଦାରି ସାଜିଛି ବୋଲି ପ୍ରଶ୍ନ ଉଠିଛି।

Advertisment

ପଶ୍ଚିମ ଓଡ଼ିଶାକୁ ବାଦ୍‌ ଦେଲେ ଉପକୂଳ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁର ଜିଲ୍ଲାରୁ ଖରିଫ ଋତୁରେ ସର୍ବାଧିକ ଧାନ ସଂଗ୍ରହ ହେଉଛି। ଅଥଚ ପ୍ରତିବର୍ଷ ଭଳି ଏଥର ମଧ୍ୟ ଚାଷୀ ​ଶୋଷଣର ଶିକାର ହେ​ଲେଣି। କେତେକ ମିଲର ଦଲାଲଙ୍କୁ ନିୟୋଜିତ କରି କୁଇଣ୍ଟାଲ ପିଛା ୬ଶହ ରୁ ୭ଶହ ଟଙ୍କା କମ୍ ମୂଳ୍ୟରେ ଧାନ କଣି ନିଜନିଜ ଗୋଦାମ ଭର୍ତ୍ତି କରି ଚାଲିଛନ୍ତି। ଅଥଚ ଜିଲ୍ଲା ପ୍ରଶାସନ ପ୍ରାୟ ଏକମାସ ପରେ ଜାନୁଆରି ୫ ତାରିଖ ପରେ ଧାନ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛି। ସେତେବେ‌ଳକୁ ଚାଷୀମାନଙ୍କ ଧାନ କମ୍‌ ଦାମ୍‌ରେ ମିଲର ଗୋଦାମ ଓ ଦଲାଲଙ୍କ ଡିପୋକୁ ଚାଲିଯାଇଥିବ। ଜାନୁଆରିରେ ମଣ୍ଡି ଖୋଲିବା ପରେ ଚାଷ କରିନଥିବା ଓ ଜାଲ କାଗଜପତ୍ରରେ ଧାନଚାଷ କରିଥିବା ହଜାରହଜାର ଲୋକଙ୍କଠାରୁ ଜାଲିଆତି କରି ଧାନ କିଣାବିକା ପାଇଁ ଯେମିତି କ୍ଷେତ୍ର ପ୍ରସ୍ତୁତି ଚାଲିଛି। ଏହି ରୢାକେଟ୍ ପଞ୍ଚାୟତସ୍ତରରୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ସକ୍ରିୟ ଥିବା ସୂଚନା ରହିଛି। ଯୋଗାଣ ବିଭାଗ, ଆରଏମସି, ସମବାୟ ସମିତି ସହିତ ଏସଏଚଜି ଗ୍ରୁପ୍‌ ପର୍ଯ୍ୟନ୍ତ କେଉଁଠି ବି ସ୍ବଚ୍ଛତା ଲକ୍ଷ୍ୟ କରିପାରୁ ନାହାନ୍ତି ଚାଷୀ। ଚାଷୀଙ୍କଠାରୁ ୬/ ୭ଶହ ଟଙ୍କା କମ୍ ଦରରେ ଧାନ କିଣି ଶହେ ଅବା ଦୁଇଶହ ଟଙ୍କା ଛଦ୍ମଚାଷୀଙ୍କୁ ଦେଇ ସେମାନଙ୍କ ଟୋକନ୍ ଜରିଆରେ ମଣ୍ଡିରେ ଧାନ କିଣାବିକା କାରବାରକୁ କାଗଜପତ୍ରରେ ସିଦ୍ଧ କରିବାକୁ ଯୋଜନା ଚାଲିଛି। ଫଳରେ ପ୍ରକୃତ ଚାଷୀ ସିଧାସଳଖ ଶୋଷଣର ଶିକାର ହେଉଥିବା ବେଳେ ଧାନକିଣା ଯୋଜନାର ହିତାଧାରୀ ବନିଯାଉଛନ୍ତି ମଧ୍ୟସ୍ଥ ବା ଦଲାଲ ଗୋଷ୍ଠୀ। କାଗଜପତ୍ରରେ ମଣ୍ଡି ପରିଚାଳନା, ଧାନ ପରୀକ୍ଷଣ, ଓଜନ ଓ ପରିବହନ ବାବଦକୁ ରାଜ୍ୟ ରାଜକୋଷରୁ ଶହଶହ କୋଟି ଟଙ୍କା ଅସାଧୁମେଣ୍ଟ ହାତେଇ ଚାଲିଛି। ଏହି କାରବାର ଖୋଲାଖୋଲି ଭାବେ ଚାଲିଥିଲେ ବି ଲଗାମ ଲାଗୁନାହିଁ। ବାରମ୍ବାର ଏହି କାରବାର ସମ୍ପର୍କରେ ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ଫଟୋ ସହିତ ପ୍ରକାଶ ପାଇବା ‌ସତ୍ତ୍ବେ ଯୋଗାଣ, ସମବାୟ ବିଭାଗ ତଥା ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୁନ୍ଥକୁନ୍ଥ ହେଉଥିବା ଅଭିଯୋଗ ହେଉଛି।