ଅନୁଗୁଳ : ମିସନ୍‌ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ଦିଆଯିବ ଋଣ। ୫ବର୍ଷରେ ୫୦ହଜାର କୋଟିର ସହାୟତା ଯୋଗାଇ ଦେବେ। ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହିଳାଙ୍କୁ ରାଜ୍ୟ ସରକାର ଦେବାକୁ ଯାଉଥିବା ଟଙ୍କା କାହାର ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରୁ ସରକାର ଋଣ ଉଠାଉଛନ୍ତି। ୧୧ପ୍ରତିଶତ ସୁଧ ବିଶିଷ୍ଟ ଏ ଋଣରେ କେନ୍ଦ୍ର ସରକାର ୭ପ୍ରତିଶତ ଭାଗୀଦାରି ମୁଣ୍ଡାଉଛନ୍ତି। ମାତ୍ର, ୪ପ୍ରତିଶତ ସୁଧ ନିଜେ ବହନ କରି ସରକାର କି ପ୍ରକାର ବାଃ ବାଃ ନେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ପଇସା କାହାର, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ପଷ୍ଟ କରାନ୍ତୁ ବୋଲି ସେ ସିଧାସଳଖ ଆହ୍ବାନ ଦେଇଛନ୍ତି।

ଡିଏମ୍‌ଏଫ୍‌କୁ ଜିଲ୍ଲାପାଳ ନିଜର ହାତମୁଦି କରିଛନ୍ତି
ତାଳଚେର ମେଡିକାଲ୍ କଲେଜ ପାଇଁ ରାଜ୍ୟ ସରକାର ଦାୟୀ

କେବଳ ବିନା ସୁଧରେ ଋଣ ପ୍ରସଙ୍ଗ ନୁହେଁ, ନୂଆ ପ୍ରକଳ୍ପ ସହିତ ମୋଟ୍ ତିନୋଟି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ସେ କହିଛନ୍ତି, ଖଣିଖାଦାନସମ୍ପନ୍ନ ଅନୁଗୁଳ ଜିଲ୍ଲା ପାଇଁ କେନ୍ଦ୍ର ସରକାର ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍‌) ବ୍ୟବସ୍ଥା କରାଇଲେ। ପୂର୍ବରୁ ଖଣିରୁ କୌଣସି ରୟାଲିଟି ଜିଲ୍ଲାକୁ ଆସୁ ନଥିଲା। ଖଣି ବ୍ୟବସ୍ଥାରେ କେନ୍ଦ୍ର ସରକାର ପରିବର୍ତ୍ତନ କରି ଡିଏମ୍‌ଏଫ୍‌ ବ୍ୟବସ୍ଥା କରାଇବାରୁ ଅନୁଗୁଳ ଜିଲ୍ଲା ବର୍ଷକୁ ୭୦୦/୮୦୦କୋଟି ଟଙ୍କା ପାଉଛନ୍ତି। ସେହି ଟଙ୍କାରେ ପ୍ରକଳ୍ପ କରିବା ମାଛ ତେଲରେ ମାଛ ଭାଜିଲା ସଦୃଶ। ଏହା ମୁଖ୍ୟମନ୍ତ୍ରୀଙ୍କଠାରୁ ଶିଖିବା ଉଚିତ୍‌ ବୋଲି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ବ୍ୟ‌ଙ୍ଗୋକ୍ତି କରିଛନ୍ତି। ସେହିପରି, ଡିଏମ୍‌ଏଫ୍‌ ପାଣ୍ଠିର ଦୁରୁପଯୋଗ ଏବଂ ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ର ଖଣିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିନା ଟେଣ୍ଡର୍‌ରେ ଡିଏଫ୍‌ଏଫ୍‌ ପାଣ୍ଠିରୁ କାମ ଆଦୌ ଗ୍ରହଣୀୟ ନୁହେଁ। ଏ ଟଙ୍କା ଖଣି ଅଞ୍ଚଳର ପ୍ରଭାବିତ ଲୋକଙ୍କ ପାଇଁ ସରକାର ଦେଇଛନ୍ତି। କିନ୍ତୁ, ଅନୁଗୁଳ ଜିଲ୍ଲାପାଳ ଏ ପାଣ୍ଠିକୁ ନିଜର ହାତ ମୁଦି ଭଳି ବ୍ୟବହାର କରୁଛନ୍ତି। ଭୁବନେଶ୍ବରର ନିର୍ଦ୍ଦିଷ୍ଟ ବାବୁଙ୍କ ହାତଚିଠାରେ କାମ ବଣ୍ଟା ଚାଲିଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏଥିସହିତ, ତାଳଚେର ମେଡିକାଲ୍ କଲେଜ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।