କାହାର ଖାସ୍‌ ଥିଲେ ବିବାଦୀୟ ବିଡିଓ ? ପୂର୍ବରୁ ବଦଳି ହୋଇଥିଲା, କିନ୍ତୁ ରିଲିଭ୍‌ କରିନଥିଲା ପ୍ରଶାସନ

ପଞ୍ଚାୟତିରାଜ ଦିବସରେ ହୋଇଥିଲେ ସମ୍ବର୍ଦ୍ଧିତ

କେନ୍ଦୁଝର : ଲାଞ୍ଚ କାରବାର ଘଟଣାରେ ବଦଳି ହୋଇଥିବା ଯୋଡ଼ାର ବିବାଦୀୟ ବିଡିଓ ଯୋଗଶ୍ବେର ନାଏକ କେନ୍ଦୁଝର ଜିଲ୍ଲା ପ୍ରଶାସନର ଅତ୍ୟନ୍ତ ଖାସ୍‌ ଥିଲେ। ଏହା ଏକାଧିକ ଘଟଣାରୁ ପ୍ରମାଣିତ ହୋଇଛି। ବାରମ୍ବାର ତାଙ୍କ ବିରୋଧରେ ଅଭି‌ଯୋଗ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଜିଲ୍ଲାରେ କେଉଁ ପ୍ରାଶାସନିକ ଅଧିକାରୀଙ୍କ ସେ ଖାସ୍‌ ଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ବଦଳି ହୋଇଥିବା ବିବାଦୀୟ ବିଡିଓ ପୂର୍ବରୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ କାର୍ଯ୍ୟ କରୁଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଥିଲା। ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାରଠାରୁ ଆରମ୍ଭ କରି ବିକାଶମୂଳକ କାର୍ଯ୍ୟରେ ଲାଞ୍ଚ ମାଗିବା ଭଳି ଅଭି‌‌ଯୋଗ ତାଙ୍କ ବିରୋଧରେ ନିୟମିତ ଆସୁଥିଲା। କିନ୍ତୁ କୌଣସି ପ୍ରକାରେ ଏସବୁ ଅଭିଯୋଗକୁ ସେ ଏଡ଼ାଇବା‌ରେ ସମର୍ଥ ହେଉଥିଲେ। ବାଂଶପାଳ ବ୍ଲକ୍‌ରେ ବିଡିଓ ଥିବାବେଳେ ଯୋଗେଶ୍ବର ନାଏକଙ୍କ ପାଇଁ ପ୍ରଶାସନ ଏକାଧିକ ଥର ଅପଦସ୍ତ ହୋଇଥିଲା। ଏଥିରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ବୈଠକ ବର୍ଜନ ଥିଲା ଅନ୍ୟତମ। ଜିଲ୍ଲାପାଳଙ୍କ ଦରବାର ହଲ୍‌ରେ ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ବାଂଶପାଳ ବ୍ଲକ୍‌ର ଜିଲ୍ଲା ପରିଷଦ ସଦସ୍ୟ ଅଦିତ ଦେହୁରୀଙ୍କୁ ଦୁର୍ବ୍ୟବହାର କରିଥିଲେ ବିଡିଓ। ଯେଉଁଥିପାଇଁ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନେ ବୈଠକ ବର୍ଜନ କରିଥିଲେ। ଏଥିପାଇଁ ଖୋଦ୍‌ ଜିଲ୍ଲାପାଳ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଯାହା ପରବର୍ତ୍ତୀ ସମୟରେ ସମାଧାନ ହୋଇଥିଲା।

୨୦୧୯ ମସିହା ସେପ୍ଟେମ୍ବର ୧୧ ତାରିଖରେ ଶ୍ରୀ ନାଏକଙ୍କ ବଦଳି ହୋଇଥିଲା। ପଞ୍ଚାୟତିରାଜ ବିଭାଗର ଚିଠି ନଂ-୧୫୭୫୭ରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌କୁ ବଦଳି କରାଯାଇଥିଲା। କିନ୍ତୁ କେନ୍ଦୁଝର ଜିଲ୍ଲାରୁ ତାଙ୍କୁ ରିଲିଭ୍‌ କରାଯାଇ ନଥିଲା। ତାଙ୍କ ସ୍ଥାନରେ ବାଂଶପାଳ ବ୍ଲକ୍‌ର ବିଡିଓଭାବେ ଉଗ୍ରସେନ ଓରାମଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ଥିଲା। ଶ୍ରୀ ଓରାମ ରିଲିଭ୍‌ ହୋଇ କେନ୍ଦୁଝର ଆସିଥିଲେ। ମାତ୍ର ବାଂଶପାଳ ବ୍ଲକ୍‌ ବିଡିଓ ଶ୍ରୀ ନାଏକ ରିଲିଭ୍‌ ହୋଇନଥିବାରୁ ସେ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ। ମାସକ ପରେ ପଞ୍ଚାୟତିରାଜ ବିଭାଗରୁ ଆଉ ଏକ ଚିଠି ଆସିଲା। ‌ଯେଉଁଥିରେ ତାଙ୍କୁ ଯୋଡ଼ା ଭଳି ଗୁରୁତ୍ବପୂର୍ଣ୍ଣ ବ୍ଲକ୍‌ର ବିଡିଓ ଭାବେ ଦାୟିତ୍ବ ମିଳିଲା।

ଯୋଡ଼ାକୁ ବଦଳି ହୋଇ ଆସିବା ପରେ ଏଠାରେ ମଧ୍ୟ ଏକାଧିକ ଘଟଣାରେ ସେ ବିବାଦୀୟ ହୋଇଥିଲେ। କେତେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛତୁଆ ଯୋଗାଣ ବିଲ୍‌ ପାସ୍‌ କରିବାପାଇଁ ବିଡିଓ ଲାଞ୍ଚ ମାଗିବା ସହ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ସରପଞ୍ଚମାନଙ୍କ ପକ୍ଷରୁ ତାଙ୍କ ବିରୋଧରେ ସଂଗିନ ଅଭିଯୋଗ ଆସିଥିଲା। ଯୋଡ଼ା ବ୍ଲକ୍‌ର ୧୯ଟି ପଞ୍ଚାୟତରୁ ୧୮ଟି ପଞ୍ଚାୟତର ସରପଞ୍ଚ ବିଡିଓ ଶ୍ରୀ ନାଏକଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ବିଡିଓ ବାରମ୍ବାର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଏପରିକି କାମ ପୂର୍ବରୁ ସେ ଆଗୁଆ ଲାଞ୍ଚ ଦାବି କରୁଥିବା ସରପଞ୍ଚମାନେ ଅଭିଯୋଗ କରିଥିଲେ। ସେହିପରି ପୂର୍ବରୁ ପଞ୍ଚାୟତ ସମିତି ବୈଠକରେ ବିଡିଓ ଶ୍ରୀ ନାଏକ ସମିତିସଭ୍ୟମାନଙ୍କୁ ଦୁର୍ବ୍ୟବହାର କରିବାରୁ ବୈଠକରେ ହଟ୍ଟଗୋଳ ହୋଇଥିଲା। ଅଧାରୁ ବୈଠକ ବର୍ଜନ କରି ସଭ୍ୟମାନେ ପଳାଇଥିଲେ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିଥିଲେ ମଧ୍ୟ ବିଡିଓ ଶ୍ରୀ ନାଏକଙ୍କୁ ତାଗିଦ୍‌ କରାଯାଇ ନଥିଲା।

ଏସବୁ ପରେ ମଧ୍ୟ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କୁ ଜିଲ୍ଲା ପ୍ରଶାସନ ଯେତେ ଘଣ୍ଟ ଘୋଡ଼ାଇଲେ ବି ଲାଞ୍ଚ ନେବା ଭିଡିଓ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଲେ ସରକାର ଓ ଜିଲ୍ଲା ପ୍ରଶାସନ। ଜଣେ ପିଇଓଙ୍କଠାରୁ ଲାଞ୍ଚ ନେବା ଭିଡିଓ ଭାଇରାଲ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାର ମାତ୍ର ଗୋଟିଏ ଦିନ ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତାଙ୍କ ବଦଳି ନିର୍ଦେଶ ଆସିଲା। ନିର୍ଦେଶ ଆସିବାର ମାତ୍ର କେଇଘଣ୍ଟା ମଧ୍ୟରେ ତାଙ୍କୁ ରିଲିଭ୍‌ କରିଦିଆଗଲା। ତେବେ ପ୍ରଶ୍ନ ଉଠୁଛି, ବର୍ଷବର୍ଷ ଧରି ଏଭଳି ବିବାଦୀୟ ଅଧିକାରୀଙ୍କ ବିରୋଧରେ ଗଣ୍ଡାଗଣ୍ଡା ଅଭିଯୋଗ ଥିଲେ ବି କାହିଁକି ଜିଲ୍ଲା ପ୍ରଶାସନ ଚୁପ୍‌ ଥିଲା ? ଏମିତିକି ଜିଲ୍ଲା ପ୍ରଶାସନର କେଉଁ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ଘନିଷ୍ଠତା ଥିଲା, ଯେଉଁଥିପାଇଁ ତାଙ୍କ ବିରୋଧରେ ଯେତେ ଅଭିଯୋଗ ଆସିଲେ ବି ଚାପି ଦିଆଯାଉଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର