ଭୁବନେଶ୍ବର: ଗ୍ରାମାଞ୍ଚଳରେ ମାସିକ ୧୦ ହଜାର, ସହରାଞ୍ଚଳରେ ମାସିକ ୧୫ ହଜାର ଟଙ୍କା ଆୟ ଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯାହା କୁହାଯାଉଛି ସେମିତି କିଛି ହେବନି।  ବିରୋଧୀ ଖାଲି ଅପପ୍ରଚାର କରୁଛନ୍ତି। କାହାର ବି ରାସନ୍ କାର୍ଡ କଟିବନି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Advertisment

ଆ‌ଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଦଳ ବିଜେଡିର ବିଧାୟକମାନେ କହିଥିଲେ ଯେ ରାଜ୍ୟରେ ତ ଜଣେ ଶ୍ରମିକ ଦୈନିକ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି। ଶ୍ରମ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଅର୍ଦ୍ଧ କୁଶଳୀ, କୁଶଳୀ ଶ୍ରମିକଙ୍କ ମାସିକ ମଜୁରି ହିସାବ କଲେ ରାଜ୍ୟରେ ସବୁ ଶ୍ରମିକଙ୍କ ରାସନ୍ କାର୍ଡ କଟିଯିବ। ଏହା ଉପରେ ମନ୍ତ୍ରୀ କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି। ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍‌ଲାଇନ୍‌ରେ ଅଛି। ତାହାକୁ ଆମେ ଖାଲି ପଢ଼ିଥିଲୁ।

ବହୁ ଇଞ୍ଜିନିୟର, ଡାକ୍ତର, ଭଲ ଚାକିରି କରିଥିବା ଲୋକ ବିଜେଡି ସରକାର ଅମଳରେ ରାସନ୍ କାର୍ଡ ହାତେଇ ନେଇଥିଲେ। ତେଣୁ ଅଯୋଗ୍ୟ ଯେପରି କାର୍ଡ ଫେରାଇବେ ସେଥିପାଇଁ ଆମେ ଏହା କହିଥିଲୁ। ଅଯୋଗ୍ୟଙ୍କ ମନରେ ଭୟ ସୃଷ୍ଟି କରିଥିଲୁ। ଏହାଦ୍ବାରା ବହୁ ଲୋକ କାର୍ଡ ଫେରାଇଛନ୍ତି। ସେହିପରି ଆୟକର ତାଲିକା ପ୍ରତି ଜିଲ୍ଲାକୁ ପଠାଇଛୁ। ସେମାନେ ଘରକୁ ଘର ବୁଲି ଯାଞ୍ଚ କରିବେ। ଯିଏ ଭଲ ରୋଜଗାର କରୁଥିବେ, କୋଠାବାଡ଼ି, କାର୍‌ ଥିବ ସେମାନେ କାର୍ଡ ଫେରାଇବେ। ବିଜେଡି ଅମଳରେ ସବୁ ଢିଲା ଥିଲା। ସେଥିପାଇଁ ବହୁ ଅଯୋଗ୍ୟ, ଭୂତ କାର୍ଡ ଏବେ ଧରାପଡ଼ୁଛି। ବର୍ତ୍ତମାନ ସୁଦ୍ଧା ୫,୨୩,୧୨୬ ଜଣ ରାସନ୍ କାର୍ଡ ତାଲିକାରୁ କଟିଛନ୍ତି। ଏହା ଦ୍ବାରା ସରକାର ମାସିକ ୯.୯୪ କୋଟି ଟଙ୍କା ପାଣ୍ଠି ସଞ୍ଚୟ କରିଛନ୍ତି। 

ଏହାସହ ଧାନ କିଣାରେ ଅବ୍ୟବସ୍ଥା, କଟନ୍‌ିଛଟ୍‌ନି, ମିଲର୍‌ଙ୍କ ଦୌରାତ୍ମ୍ୟ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଆମେ ଚଳିତବର୍ଷ ରେକର୍ଡ ଧାନ କିଣିଛୁ। ବିଜେଡି ବିଧାୟକମାନେ ମିଲର୍‌ଙ୍କ ଦୌରାତ୍ମ୍ୟ କଥା କହୁଛନ୍ତି। ‌େହଲେ ୨୪ ବର୍ଷରେ ସେମାନେ କେତେ ଜଣ ମିଲର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ? ଆମେ ଚଳିତବର୍ଷ ୧୮ ଜଣ ମିଲର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ମିଲ୍ ସିଲ୍‌ କରିଛୁ।