ଅପରେସନ୍‌ କୋଭିଡ୍‌: ଅଧାରୁ କାହିଁକି ଅପସାରିତ ହେଲେ ୯ ଆଇଏଏସ୍‌ ଅଧିକାରୀ; କାରଣ କହିଲେ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂପ୍ରତି ରାଜ୍ୟରେ ନିଜ କାୟାବିସ୍ତାର କରିବାକୁ ଆରମ୍ଭ କରିଥିବା ବେଳେ, ରାଜ୍ୟ ସରକାର କୋଭଡ୍‌ ମୁକାବିଲା ପାଇଁ ଗଠନ କରିଥିବା ବରିଷ୍ଠ ପ୍ରଶାସନିକ ଟିମ୍‌ରୁ ବିନା କୌଣସି ପ୍ରାକ୍‌ ସୂଚନାରେ ୯ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅକସ୍ମାତ ଅପସାରଣ କରି ନେଇଛନ୍ତି। ଏହି ୯ ଜଣ ଅଧିକାରୀ ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ଆଗଧାଡ଼ିରେ ରହିବା ସହ ପ୍ରତ୍ୟେକଟି ଜିନିଷକୁ ନିୟନ୍ତ୍ରଣ କରୁଥିଲେ। ତେବେ, ହଠାତ୍‌ ଏହି ବରିଷ୍ଠ ଅଧିକାରୀମାନଙ୍କୁ କୋଭିଡ୍‌ ମୁକାବିଲା ଟିମ୍‌ରୁ ରାଜ୍ୟ ସରକାର ଅପସାରଣ କରିନେବା ପରେ ଏହାକୁ କେନ୍ଦ୍ରକରି ତମାମ୍‌ ରାଜ୍ୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଆରମ୍ଭ ହେବା ସହ ସୋସିଆଲ ମିଡିଆରେ ମଧ୍ୟ ଏହାକୁ କେନ୍ଦ୍ର କରି ଅନେକ କଥା ପ୍ରଚାରିତ ଓ ପ୍ରସାରିତ ହେଉଥିଲା।

ତେବେ, କୋଭିଡ୍‌- ୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଅପରାହ୍ଣରେ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପଛର କାରଣ ପ୍ରକାଶ କରିବା ସହ ଏହି ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶ୍ରୀ ବାଗଚୀ କହିଛନ୍ତି ଯେ, ଯେହେତୁ ରାଜ୍ୟ ସରକାର ମାର୍ଚ୍ଚ ମାସରେ କୋଭିଡ୍‌ ମୁକାବିଲାକୁ ସର୍ବପ୍ରଥମ ଓ ସର୍ବାଧିକ ପ୍ରାଥମିତା ଦେଇଥିଲେ, ସେଥିପାଇଁ ଅନ୍ୟ ବିଭାଗରୁ ବରିଷ୍ଠ ପଦାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଆଣିବା ସହ କୋଭିଡ୍‌ ମୁକାବିଲାର ବିଭିନ୍ନ ଦାୟିତ୍ୱ ଦେଇଥିଲେ। ସଂପୃକ୍ତ ଅଧିକାରୀମାନେ ମଧ୍ୟ ବିଗତ ୩ ମାସ ଧରି କୋଭିଡ୍‌ ମୁକାବିଲାରେ ରାତିଦିନ ପରିଶ୍ରମ କରି କରି କ୍ଲାନ୍ତ ହୋଇ ପଡ଼ିଥିଲେ। ପୁଣି ସେମାନଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ମୂଳ ବିଭାଗ ଗତ ତିନିମାସ ହେଲା ଦୁର୍ବଳ ହୋଇ ପଡ଼ିଥିଲା। ସେଥିପାଇଁ ସେମାନଙ୍କୁ ବିଶ୍ରାମ ଦେବା ଲକ୍ଷ୍ୟରେ ସରକାର ସେମାନଙ୍କୁ କୋଭିଡ୍‌ ଟିମ୍‌ରୁ ବାଦ ଦେଇ ସେମାନଙ୍କ ସ୍ଥାନରେ ନୂଆ ଯୋଦ୍ଧାଙ୍କୁ ଆଣିବାକୁ ଯୋଜନା କରିଛନ୍ତି । ଏହା କୋଭିଡ୍‌ ମୁକାବିଲା କ୍ଷେତ୍ରରେ କେବଳ ଏକ ରଣ କୌଶଳ ମାତ୍ର। ଏହା ପଛରେ ଅନ୍ୟ କୌଣସି ପ୍ରକାରର ନିହିତ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ଶ୍ରୀ ବାଗଚୀ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଗଠନ କରିଥିବା କୋଭିଡ୍‌ ପରିଚାଳନା ଟିମ୍‌ରୁ ବରିଷ୍ଠ ଆଇଏଏସ୍‌ ଅଫିସର ହେମନ୍ତ ଶର୍ମା, ସୁରେନ୍ଦ୍ର କୁମାର, ଅନୁ ଗର୍ଗ, ବିଶାଳ କୁମାର ଦେବ, ଆର୍‌ ଭିନିଲକ୍ରିଷ୍ଣା, କ୍ରିଷନ୍‌ କୁମାର, ଅରବିନ୍ଦ ଅଗ୍ରଓ୍ଵାଲ, ସଚିନ୍‌ ରାମଚନ୍ଦ୍ର ଯାଦବ, ଭୂପିନ୍ଦର ସିଂହ ପୁନିଆ, ଓ ରଶ୍ମିତା ପଣ୍ଡା ପ୍ରମୁଖଙ୍କୁ ବିନା କୌଣସି ପ୍ରାକ୍‌ ସୂଚନାରେ ଦୂରେଇ ଦେଇଥିଲେ। ଏହି ଅଧିକାରୀମାନଙ୍କୁ କୋଭିଡ୍‌ ପରିଚାଳନା ଦାୟିତ୍ୱରୁ ହଟାଟିବା ପରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ଟ୍ଵିଟ୍‌ କରି କୋଭିଡ଼୍‌ ପରିଚାଳନାରେ ସହଯୋଗ କରିଥିବା ଏହି ଅଧିକାରୀଙ୍କୁ ସାବାସୀ ଦେବାସହ ଏ ସମସ୍ତ ଅଧିକାରୀ ପ୍ରଶଂସାର ହକ୍‌ଦାର ବୋଲି ମୁଖ୍ୟସଚିବ କହଥିଲେ। ତେବେ, ଏମାନଙ୍କୁ ଏଭଳି ଅଧା ଅପରେସନରୁ କାହିଁକି ଅପସାରିତ କରି ଦିଆଗଲା ସେ ସଂପର୍କରେ କିଛି କହ ନ ଥିଲେ।

ସମ୍ବନ୍ଧିତ ଖବର