ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗ୍ରାମ ନିକଟରେ ପଡ଼ୋଶୀ ରାଜ୍ୟ ପ୍ରଶାସନର ମନରେଗା ବନ୍ଧଖୋଳା କାମ ଜାରିରହିଛି। ଏହା ଗଙ୍ଗାବାଡ଼ ପଞ୍ଚାୟତବାସୀ ଓ ଆନ୍ଧ୍ର ରାଜସ୍ବ ଅଧିକାରୀଙ୍କ ମଧ୍ୟରେ ଗତ ତିନିଦିନ ହେଲା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ତେବେ, ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗଜପତି ଜିଲ୍ଲାର ଦୁର୍ଗମ ଗଙ୍ଗାବାଡ଼ ପଞ୍ଚାୟତକୁ କବ୍ଜା କରିବା ପଛରେ ଏକ ବଡ଼ ରାଜନୈତିକ ଚାଲ୍ ରହିଥିବା ସ୍ପଷ୍ଟ ହେବାରେ ଲାଗିଛି। ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାରେ ସେଠାକାର ଶାସକ ଦଳର ଦବ୍ଦବା ରହିଛି। ଗଙ୍ଗାବାଡ଼ ପଞ୍ଚାୟତକୁ ରାଜସ୍ବ ମାନଚିତ୍ରରେ ସାମିଲ୍ କରି କିଭଳି ପ୍ରଭାବ ବିସ୍ତାର କରିହେବ, ସେଥିପାଇଁ ଆନ୍ଧ୍ରର ନେତା ଓ ଅଧିକାରୀ ଉଦ୍ୟମ ଚଳାଇଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ତୃଣମୂଳ ସ୍ତରରେ ତଥ୍ୟ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ଅବଗତ କରିବାରେ ବିଫଳ େହବା ଆନ୍ଧ୍ରକୁ ସୁହାଇଛି।
ମଞ୍ଜୁଷା ଏବଂ ଗଙ୍ଗାବାଡ଼ ପଞ୍ଚାୟତର ସୀମା ବିବାଦ ବହୁ ପୁରାତନ। ପୂର୍ବରୁ ମଧ୍ୟ ମଞ୍ଜୁଷା ମଣ୍ତଳରେ ଅବସ୍ଥାପିତ ଗ୍ରାମଗୁଡ଼ିକରେ ତେଲୁଗୁଭାଷୀ ଲୋକମାନେ ଗଙ୍ଗାବାଡ଼ ପଞ୍ଚାୟତର ପାହାଡ଼ ଏବଂ ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ ବ୍ୟବସାୟ କରି ମୁନାଫା ଉଠାଇ ଆସୁଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ଗତକିଛି ବର୍ଷ ହେଲା ଗଙ୍ଗାବାଡ଼ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଉପରେ ଅଧିକ ଧ୍ୟାନ ଦେଉଥିବା ଯୋଗୁଁ ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ବର୍ତ୍ତମାନ ଚିନ୍ତିତ। ଗଙ୍ଗାବାଡ଼ ପଞ୍ଚାୟତର ପାହାଡ଼ିଆ ଅଞ୍ଚଳରେ ଉତ୍ପାଦନ ହେଉଥିବା ତେନ୍ତୁଳି, କାଜୁ, ଫୁଲଝାଡୁ, ହଳଦୀ, ପଣସ, ଆମ୍ବ ଇତ୍ୟାଦି ଏହି ବ୍ୟବସାୟୀଙ୍କୁ ବହୁ କମ୍ ଦରରେ ଘର ପାଖରେ ମିଳୁଥିଲା। ଏବେ ଗଙ୍ଗାବାଡ଼ ପଞ୍ଚାୟତକୁ ଯାତାୟାତ ପାଇଁ ସବୁଦିନିଆ ରାସ୍ତା ହୋଇଗଲେ ଅନ୍ୟ ବେପାରୀମାନେ ଏହି ଅଞ୍ଚଳରେ ପ୍ରବେଶ କରିବେ। ମଞ୍ଜୁଷା ମଣ୍ତଳର ସାହୁକାରମାନେ ଆଉ ଏକ ଭଲ ବ୍ୟବସାୟର ମୁନାଫା ଗଙ୍ଗାବାଡ଼ ପଞ୍ଚାୟତର ଜନସାଧାରଣଙ୍କ ଠାରୁ ପାଉଛନ୍ତି। ତାହା ହେଲା ଉଚ୍ଚ ସୁଧରେ ଟଙ୍କା କରଜ ବ୍ୟବସାୟ। ସାହୁକାର ଓ ମହାଜନମାନେ ଗଙ୍ଗାବାଡ଼କୁ ଆସି ଆଦିବାସୀଙ୍କୁ ଅଗ୍ରୀମ ବାବଦରେ କିଛି ଅର୍ଥ ଦେଇଦିଅନ୍ତି। ପରବର୍ତ୍ତୀ ସମୟରେ ଏହାର ସୁଧ ହିସାବରେ ବର୍ଷତମାମ୍ ଜଙ୍ଗଲ ସାମଗ୍ରୀ ନିଜ ଅକ୍ତିଆରକୁ ନେଇ ଆସନ୍ତି। ଗଙ୍ଗାବାଡ଼ ପଞ୍ଚାୟତରେ ଉନ୍ନତି ହେଲେ ମହିଳା ସଶକ୍ତୀକରଣ ଯୋଜନାରେ ଏସ୍ଏଚ୍ଜି ହାତକୁ ଏହା ଚାଲିଯିବ ଏବଂ ଏହି ବ୍ୟବସାୟ ମଧ୍ୟ ବନ୍ଦ ହୋଇଯିବ ବୋଲି ଆନ୍ଧ୍ର ମହାଜନମାନେ ଆଶଙ୍କାରେ ଅଛନ୍ତି। ଏହି କାରଣ ଯୋଗୁଁ ଗଙ୍ଗାବାଡ଼ ପଞ୍ଚାୟତରେ ସେମାନେ ବିଭିନ୍ନ ଆଳ ଦର୍ଶାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଓଡ଼ିଶା ସରକାରଙ୍କ ବିକାଶ କାର୍ଯ୍ୟକ୍ରମ କିଭଳି ଅଧିକ ବିଳମ୍ବ ହେବ।