ରାଉରକେଲା: କ୍ରୀଡ଼ା ଭିତ୍ତିଭୂମିର ବିକାଶ କରୁଛନ୍ତି ସତ; କିନ୍ତୁ କ୍ରୀଡ଼ାବିତ୍ଙ୍କୁ ସୁରକ୍ଷିତ ଭବିଷ୍ୟତରେ ଦେବାକୁ ଯେଭଳି ନିଯୁକ୍ତି ବ୍ୟବସ୍ଥା କରିବା କଥା ତାହା କରାଯାଉନି। ବିଗତ ଦିନରେ ବର୍ଷବର୍ଷ ଧରି ରାଜ୍ୟ, ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ପାଇଁ ସୁନାମ ଅର୍ଜନ କରିଥିବା କ୍ରୀଡ଼ାବିତ୍ ଏବେ ଅବହେଳିତ। ବକ୍ସିଂ, କବାଡ଼ି, ଆଦି କ୍ରୀଡ଼ା ସମେତ ଫୁବଟଲ ଖେଳାଳିଙ୍କ ଭାଗ୍ୟ ଅନ୍ଧାରରେ ବିତୁଛି। ବିଶେଷକରି ଜାତୀୟ ପ୍ରତିଯୋଗିତା, ପ୍ରତିଷ୍ଠିତ କ୍ଳବ, ଆର୍ଏସ୍ପି ଭଳି ରାଷ୍ଟ୍ରାୟତ୍ତ ସଂସ୍ଥା ପକ୍ଷରୁ ଏକାଧିକବାର ପ୍ରତିଦ୍ବନ୍ଦିତା କରିଥିବା ଫୁଟବଲ ଖେଳାଳି ଦିନ ମଜୁରିଆଭାବେ ଦିନ କାଟିବା ସହ ବେରୋଜଗାର ହୋଇ ଘରେ ବସିରହିଛନ୍ତି; ଯାହାକି କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନରେ ସରକାର କେତେ ତତ୍ପର ତାହା ସ୍ପଷ୍ଟ ଅନୁମେୟ।
ତୁଳସୀ ଏକ୍କା, କିଶୋର ତନ୍ତୀ, ଶଙ୍ଖ ମାରାଣ୍ଡିଙ୍କ ଭଳି ତାରକା ଜାତୀୟ ଫୁଟବଲ ଖେଳାଳି ଏବେ ଦିନ ମଜୁରିଆ ପାଲଟିଯାଇଥିବାବେଳେ ଅନ୍ୟତମ ଜାତୀୟ ଫୁଟବଲ ଖେଳାଳି ଜନ୍ମ ଖେସ୍ ଘରେ ବସି ରହିଛନ୍ତି। ଜନ୍ମ ପ୍ରାୟ ୧୫ ବର୍ଷର କ୍ରୀଡ଼ା ଜୀବନରେ ସନ୍ତୋଷ ଟ୍ରଫି(୨୦୧୫) ସମେତ ଆନ୍ତଃ ବିଶ୍ବବିଦ୍ୟାଳୟ, ଆନ୍ତଃ ଜିଲ୍ଲା, ଆନ୍ତଃ ଇସ୍ପାତ କାରଖାନା ଆଦି ପ୍ରତିଯୋଗିତାରେ ପଡ଼ିଆକୁ ଓହ୍ଲାଇଥିଲେ। ବ୍ୟସ୍ତବହୁଳ କ୍ରୀଡ଼ା ଜୀବନ ଭିତରେ ସେ ସ୍ନାତକ ମଧ୍ୟ କରିଛନ୍ତି। ମାତ୍ର କ୍ରୀଡ଼ା କୋଟାରେ ଏଯାଏଁ ନିଯୁକ୍ତି ମିଳିପାରିନି। ଏମାନଙ୍କର ସମାନ ଅଭିଯୋଗ, ଶିକ୍ଷାଗତ ଯୋଗ୍ୟତା ଥିବା ସହ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବାସତ୍ତ୍ବେ କ୍ରୀଡ଼ା ବର୍ଗରେ ନିଯୁକ୍ତି ଦିଆଯାଉନି। ବାରମ୍ବାର ନିଯୁକ୍ତି ପାଇଁ ଆବେଦନ କରିଥିଲେ, କିନ୍ତୁ ଅଦୃଶ୍ୟ କାରଣରୁ ଚାକିରୀ ପାଇପାରୁନାହାନ୍ତି। ଏମିତିକି ନିଯୁକ୍ତି ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କିଛି ପୂର୍ବତନ ଖେଳାଳି।
ପୂର୍ବତନ ଫୁଟବଲ ତାରକାଙ୍କ ପ୍ରତିକ୍ରିୟା
‘ପୂର୍ବରୁ ବହୁବାର ରେଳବାଇ, ପୋଷ୍ଟାଲ୍, ଏଜି, ଇନ୍କମ୍ ଟ୍ୟାକ୍ସ ବିଭାଗରେ ଚାକିରୀ ପାଇଁ ଆବେଦନ କରିଥିଲି। କିନ୍ତୁ କ୍ରୀଡ଼ା କୋଟାରେ ଚାକିରୀ ଖଣ୍ଡିଏ ମିଳିପାରିନାହିଁ। ଏମିତି ନୁହେଁ ଯେ ମୋ’ର ଯୋଗ୍ୟତା ନାହିଁ, ମୁଁ ସ୍ନାତକ ଡିଗ୍ରୀଧାରୀ। କିନ୍ତୁ ନିଯୁକ୍ତି ନ ମିଳିବାରୁ ଏବେ ଘରେ ବସିରହିଛି। ବର୍ଷବର୍ଷ ଧରି ରାଜ୍ୟ, ଆର୍ଏସ୍ପି ପାଇଁ ଖେଳି ଗୌରବ ଆଣିଛି। ତେବେ ନିଯୁକ୍ତି ଦେବାପାଇଁ ସମସ୍ତେ ଭୁଲିଗଲେ। ରାଜ୍ୟ ସରକାର, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା କ୍ରୀଡ଼ାର ବିକାଶ କରୁଥିବାର ଡିଣ୍ଡିମ ପିଟୁଛନ୍ତି; କିନ୍ତୁ ବାସ୍ତବ କ’ଣ ମୁଁ ଜାଣିଛି, ଭୁଁ ଭୋଗୁଛି।’
ଜନ୍ମ ଖେସ୍(ଜାତୀୟ ଫୁଟବଲ ଖେଳାଳି)
‘ଆମ ସମୟରେ ଆର୍ଏସ୍ପି, ସିଆଇଏସ୍ଏଫ୍, ଏଲ୍ ଆଣ୍ଡ୍ ଟି, ଓଡ଼ିଶା ପୁଲିସ ଆଦି ବିଭିନ୍ନ ସଂସ୍ଥାରେ ନିଯୁକ୍ତି ମିଳୁଥିଲା। ତେବେ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ସଂପ୍ରତି ଜାତୀୟ କ୍ରୀଡ଼ାବିତଙ୍କୁ ବି ନିଯୁକ୍ତି ମିଳୁନଥିବାରୁ ଅଭିଭାବକମାନେ ବି ଆଉ ପିଲାକୁ ପଡ଼ିଆକୁ ଛାଡ଼ୁନାହାନ୍ତି। ପିଲାଙ୍କର ବି ରୁଚି ହ୍ରାସ ପାଇବାରେ ଲାଗିଛି। ସ୍ଥିତିରେ ସୁଧାର ଆଣି ପ୍ରାଥମିକତାର ସହ ନିଯୁକ୍ତି ଦିଆଯାଉ। ଯଦି ଏଭଳି ଅବ୍ୟବସ୍ଥା ଗାରିରୁହେ, ତେବେ ଭବିଷ୍ୟତରେ କ୍ରୀଡ଼ା ନିମ୍ନଗାମୀ ହେବା ସୁନିଶ୍ଚିତ।’
ହୀମାଦ୍ରି ବରୁଆ(ପୂର୍ବତନ ଜାତୀୟ ଫୁଟବଲ ଖେଳାଳି)
‘କ୍ରୀଡ଼ାବିତଙ୍କୁ ନିଯୁକ୍ତି ନ ମିଳିଲେ, ପିଲାଙ୍କ ସମେତ ଅଭିଭାବକ ମଧ୍ୟ ନିରୁତ୍ସାହିତ ହେବେ। ଫଳରେ କ୍ରୀଡ଼ା ବହୁମାତ୍ରାରେ ପ୍ରଭାବିତ ହେବ। ଅତ୍ୟନ୍ତ ଉତ୍କୃଷ୍ଟ ପ୍ରଦର୍ଶନ କଲେ ହିଁ ରାଜ୍ୟ ସରକାର ପୁଲିସ୍ ବିଭାଗରେ ନିଯୁକ୍ତି ଦେଉଛନ୍ତି; କିନ୍ତୁ ଆଶାନୁରୂପକ ଉଚ୍ଚପଦବି ଦିଆଯାଉନି। ସେହିଭଳି ପୂର୍ବରୁ ଆର୍ଏସ୍ପି ଯେଭଳି କ୍ରୀଡ଼ାବିତ୍ଙ୍କୁ ନିଯୁକ୍ତି ଦେଉଥିଲା, ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି। ପ୍ରକୃତରେ କ୍ରୀଡ଼ାକୁ ଆଉ ପୂର୍ବଭଳି ପ୍ରୋତ୍ସାହନ ମିଳିପାରୁନି। ଯେଉଁ ସଂସ୍ଥା କ୍ରୀଡ଼ାକୁ ଯେତିକି ଅଧିକ ମାତ୍ରାରେ ପ୍ରଚାରପ୍ରସାର କରିବ, ତା’ର ଉନ୍ନତି ହେବା ନିଶ୍ଚିତ। ତେବେ ଏଭଳି ମାସିନକତା ଆଉ ସରକାର, ସରକାରୀ/ବେସରକାରୀ ସଂସ୍ଥା ପାଖରେ ପରିଲକ୍ଷିତ ହେଉନି।
ବୈଦ୍ୟନାଥ ମିଶ୍ର(ପୂର୍ବତନ ଜାତୀୟ ଫୁଟବଲ ଖେଳାଳି)
‘ବର୍ଷ ବର୍ଷ ଧରି ସୁନାମ ଅର୍ଜନ କରିଥିବା ଫୁଟବଲ ଖେଳାଳିଙ୍କୁ ନିଯୁକ୍ତି ନ ମିଳିବା ଦୁର୍ଭାଗ୍ୟଜନକ। ବିଡ଼ମ୍ବନା ଏହା ଯେ, ଏମାନଙ୍କୁ ସର୍ବନିମ୍ନ ନିଯୁକ୍ତିଟିଏ ବି ମିଳିପାରୁନି। ଜାତୀୟ କ୍ରୀଡ଼ାବିତ୍ଙ୍କୁ ଅବହେଳା କରିବା ଏବେ କୁପ୍ରଥାରେ ପରିଣତ ହେଲାଣି। ଏହି ଧାରାକୁ ବନ୍ଦ କରାଯିବାର ସମୟ ଉପନୀତ ହେଲାଣି। ଅନ୍ୟଥା, ଦିନ ଆସିବ ଖେଳ ପଡ଼ିଆରେ କେହି ପିଲାନଥିବେ। ସରକାରଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତିରୁ ବାଦ୍ ପଡ଼ିଥିବା କ୍ରୀଡ଼ାବିତ୍ଙ୍କୁ ଖୋଜି ବାହାର କରନ୍ତୁ। ସେମାନଙ୍କୁ ନିଯୁକ୍ତି ଦେଇ ସୁଃଖଦ ଭବିଷ୍ୟତ ଦେଇ ତାଙ୍କର ପ୍ରତିଭାର ସୁବିନିଯୋଗ କରିବା ନିତାନ୍ତ ଜରୁରୀ।’
ଭାସ୍କର ନନ୍ଦ (ଜାତୀୟ ଫୁଟବଲ ରେଫରୀ)