ଏତେ ଡାକ୍ତର ଏମ୍ସ ଛାଡ଼ୁଛନ୍ତି କାହିଁକି? ୬ ବର୍ଷରେ ଚାକିରି ଛାଡ଼ିଲେଣି ୨୫ ଫାକ୍‌ଲଟି

ଖାଲି ପଡ଼ିଛି ପ୍ରାୟ ଶହେ ପଦ, ଅସନ୍ତୋଷ ଯୋଗୁଁ ଆଉ ୧୧ ଛାଡ଼ିବାକୁ ‌ଚେତାବନୀ

ଭୁବନେଶ୍ବର: ଏମ୍ସରେ ୬ ବର୍ଷ ମଧ୍ୟରେ ପ୍ରାୟ ୨୫ ଜଣ ଫାକଲ୍‌ଟି ଚାକିରି ଛାଡ଼ିଛନ୍ତି। ଏଥିମଧ୍ୟରୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଇସ୍ତଫା ଦେଇ ସାରିଲେଣି। ଏଥିରେ ଠିକା ଡାକ୍ତରଙ୍କ ସହିତ ସ୍ଥାୟୀ ଫାକଲ୍‌ଟି ମଧ୍ୟ ଅଛନ୍ତି। ଏଣେ ପ୍ରତିବର୍ଷ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ହେଉଥିଲେ ମଧ୍ୟ ଖାଲି ପଦ ସଂଖ୍ୟା ପୂରଣ ହେଉ ନାହିଁ। ଏମ୍ସ ଭଳି ଏକ ଜାତୀୟ ଏବଂ ମର୍ଯ୍ୟାଦାସମ୍ପନ୍ନ ଡାକ୍ତରଖାନାରେ କାହିଁକି ଏତେ ସଂଖ୍ୟାରେ ଡାକ୍ତର ଚାକିରି ଛାଡ଼ୁଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମ୍ସରେ ସମୁଦାୟ ପ୍ରାୟ ୩୦୦ ଫାକଲ୍‌ଟି ପଦ ମଧ୍ୟରୁ ଖାଲି ପଦ ସଂଖ୍ୟା ପ୍ରାୟ ଏକ ଶହ ଛୁଇଁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଯେ ଏଠାରେ ଅଧିକାଂଶ ବିଭାଗରେ ଆବଶ୍ୟକ ଡାକ୍ତର ହିଁ ନାହାନ୍ତି। ନେଫ୍ରୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମାତ୍ର ଜଣଙ୍କ ଭରସାରେ ଚାଲିଛି। ହୃଦରୋଗ ବିଭାଗରେ ଏକ ବର୍ଷରେ ୨ ଜଣ ଠିକା ଡାକ୍ତରଙ୍କ ଇସ୍ତଫା ଏବଂ ଜଣେ ଫାକଲ୍‌ଟି ଛୁଟିରେ ରହିବାରୁ ଏଠାରେ ମଧ୍ୟ ଜଣେ ଡାକ୍ତର ରହିଛନ୍ତି। ଏଣେ ପଦୋନ୍ନତି ପାଇନଥିବା ୧୧ ଫାକଲ୍‌ଟି ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଆନାଟୋମି, ଫିଜିଓଲୋଜି, ବାୟୋକେମେଷ୍ଟ୍ରି, ମାଇକ୍ରୋବାଇଲୋଜି, ସର୍ଜରି, ଇଏନ୍‌ଟି ଭଳି ବିଭାଗର ଫାକଲ୍‌ଟି ଅଛନ୍ତି। ଏଣେ ୬ ବର୍ଷ ମଧ୍ୟରେ ଯେଉଁ ଫାକଲ୍‌ଟି ଚାକିରି ଛାଡ଼ିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଆନାଟୋମି ବିଭାଗର ଡାକ୍ତର କ୍ରାନ୍ତି କୁମାର ଗୌର, ଡାକ୍ତର ଇ.ଟି ପାତ୍ର, ଡାକ୍ତର ନୈନା, ଡାକ୍ତର ବିନିତା, ଡାକ୍ତର ଅମୀତ ତିରପୁଡ଼େ ସମେତ ୬ ଜଣ, ଚକ୍ଷୁ ଚିକିତ୍ସା ବିଭାଗର ଡାକ୍ତର ଅନୁଶା, ରେଡିଓଲୋଜି ବିଭାଗର ଡାକ୍ତର ନାଗାର୍ଜୁନ, ଡାକ୍ତର ଆରୋରା, ପେଥୋଲୋଜି ବିଭାଗର ଡାକ୍ତର ଭାନୁଶ୍ରୀ, ନ୍ୟୁରୋସର୍ଜରି ବିଭାଗର ଡାକ୍ତର ରଂଜନ ଜେନା, ଡାକ୍ତର ଅନଶୁମାନ ଶତପଥୀ, ନ୍ୟୁରୋଲୋଜି ବିଭାଗର ଡାକ୍ତର ଶୁଭ୍ରାଂଶୁ ଜେନା, କମ୍ୟୁନିଟି ମେଡିସିନ ବିଭାଗର ଡାକ୍ତର ପ୍ରୀତମ ମହାଜନ, ଡାକ୍ତର ରାଜେଶ ଚୌହାନ, ଇଏନଟି ବିଭାଗର ଡାକ୍ତର ରାଜୀବ କୁମାର, ବ୍ଲଡ୍‌ ଟ୍ରନ୍ସଫ୍ୟୁଜନ ବିଭାଗର ଡାକ୍ତର ବବିତା, ସ୍ତ୍ରୀ-ପ୍ରସୂତି ବିଭାଗର ଡାକ୍ତର ପୁଷ୍ପଲତା, ଡାକ୍ତର ଶଶୀ ବେହେରା, ଟ୍ରମା ବିଭାଗର ଡାକ୍ତର ପାଶଓ୍ବାନ, ମେ଼ଡିସିନ ବିଭାଗର ଡାକ୍ତର ରାଜେଶ କୁମାର, ହୃଦ୍‌ରୋଗ ବିଭାଗର ଡାକ୍ତର ଦିବ୍ୟରଞ୍ଜନ ବେହେରା ଏବଂ ଡାକ୍ତର ଦେବାଶିଷ ଆଚାର୍ଯ୍ୟ ରହିଛନ୍ତି।

ଏମ୍ସ ପ୍ରତିଷ୍ଠା ହେବା ପର ଠାରୁହିଁ ଏଠାରେ ଡାକ୍ତର ସମସ୍ୟା ରହିଥିଲା। ୯ ବର୍ଷ ମଧ୍ୟରେ ଆବଶ୍ୟକ ନିଯୁକ୍ତି ହୋଇ ପାରି ନାହିଁ। ଏଥିଯୋଗୁଁ ଯେଉଁ ଡାକ୍ତର ଅଛନ୍ତି ସେମାନଙ୍କ ମଧ୍ୟରେ ଅତ୍ୟଧିକ କାର୍ଯ୍ୟ ଚାପ ରହିଛି। ଯେଉଁ ସଂଖ୍ୟାରେ ଏଠାକୁ ରୋଗୀ ଆସୁଛନ୍ତି ସେହିଭଳି ଶଯ୍ୟା, ଓଟି ନଥିବାରୁ ରୋଗୀଙ୍କ ସହିତ ଡାକ୍ତର ଅସନ୍ତୋଷ ବଢୁଥିବା କୁହାଯାଉଛି। ଠିକାରେ ନିଯୁକ୍ତ ଡାକ୍ତର ଏମ୍ସରେ ରହିବା ଅପେକ୍ଷା ଘରୋଇ ଡାକ୍ତରଖାନା ଯିବାକୁ ଅଧିକ ପସନ୍ଦ କରୁଛନ୍ତି। ଏଣେ ଫାକଲ୍‌ଟି ଆସୋସିଏସନର ଅଭିଯୋଗ ଅନୁସାରେ, ବରିଷ୍ଠ ଡାକ୍ତର ଥାଇ କନିଷ୍ଠମାନଙ୍କୁ ପଦୋନ୍ନତି ଦିଆଯିବା ଏପରିକି ଜଣେଜଣେ କନିଷ୍ଠଙ୍କୁ ଏକାସହିତ ଦୁଇଟି ଉପର ପାହ୍ୟା ଦିଆଯିବା ମଧ୍ୟ ଡାକ୍ତରଙ୍କ ଚାକିରି ଛାଡ଼ିବାର ଅନ୍ୟତମ କାରଣ। ଏଥିପାଇଁ ବର୍ତ୍ତମାନର ନିର୍ଦେଶକଙ୍କୁ ଦାୟୀ କରିଛି ଆସୋସିଏସନ୍।

ତେବେ ଏମ୍ସ ପକ୍ଷରୁ କୁହାଯାଇଛି, ଖାଲି ଡାକ୍ତର ପଦ ପୂରଣ ପାଇଁ ପ୍ରତିବର୍ଷ ବିଜ୍ଞପ୍ତି ପ୍ରକାଶିତ ହୁଏ। ବର୍ତ୍ତମାନ ସୁଦ୍ଧା ୨୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ମଧ୍ୟ ନୂତନ ପଦ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି। ଡାକ୍ତର ଛାଡ଼ିବାର ମୁଖ୍ୟ କାରଣ ହେଲା, ରାଜ୍ୟ ବାହାରୁ ଆସିଥିବା ଡାକ୍ତର ନିଜ ରାଜ୍ୟକୁ ଯିବାକୁ ପସନ୍ଦ କରୁଛନ୍ତି। କିଛି ଡାକ୍ତର ଭଲ ପଦ ପାଇ ଅନ୍ୟ ସ୍ଥାନରେ ଏବଂ କିଛି ଡାକ୍ତର ଉଚ୍ଚ ବେତନରେ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି। ସଂରକ୍ଷଣ ନିୟମ ଅନୁଯାୟୀ ଡାକ୍ତର ନମିଳିବା ମଧ୍ୟ ଖାଲି ପଦ ନିଯୁକ୍ତି ହୋଇ ପାରୁନାହିଁ।

ସମ୍ବନ୍ଧିତ ଖବର