ପାରଳାଖେମୁଣ୍ଡି: ପାହାଡ଼ ଜଙ୍ଗଲ ଘେରା ଗଜପତିଜିଲ୍ଲା। ୭୦ ପ୍ରତିଶତ ଜନସାଧାରଣ ହେଉଛନ୍ତି ଆଦିବାସୀ। କାହିଁ କେଉଁ କାଳରୁ ପାହାଡ଼ ଉପରେ ସେମାନଙ୍କ ଜନବସତି ଗଢ଼ିଉଠିଛି। ହେଲେ, ପ୍ରତିବର୍ଷ ବାରମ୍ବାର ଛୋଟବଡ଼ ଭୂସ୍ଖଳନ ସେମାନଙ୍କ ଜୀବନଜୀବିକାକୁ ଯେମିତି ଉଜାଡ଼ି ଦେଇଛି। ୨୦୧୮ ତିତ୍‌ଲି ବାତ୍ୟା ପରେ ଚଳିତବର୍ଷ ୨ ତାରିଖରେ ଜିଲ୍ଲାବାସୀ ବଡ଼ଧରଣର ଭୂସ୍ଖଳନକୁ ସାମ୍ନା କରିଛନ୍ତି। ଯେଉଁଥିରେ ଶତାଧିକ ଲୋକ ବେସାହାରା ପାଲଟିଯାଇଥିବା ବେଳେ ଭୂସ୍ଖଳନ ଯେମିତି ଏବେବି ସେମାନଙ୍କ ଭିତରେ ଏକ ଅଜଣା ଭୟର ବସା ବାନ୍ଧିଛି। ତେବେ, କାହିଁକି ଗଜପତି ଜିଲ୍ଲାରେ ବାରମ୍ବାର ଭୂସ୍ଖଳନ ହେଉଛି ଏହା ବର୍ତ୍ତମାନ ପରିସ୍ଥିତିରେ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛି। ଆଉ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

Advertisment

ସ୍ଥିତି ଉପରେ ନଜର ପକାଇଥିଲେ ୨୦୧୮ ପର ଠାରୁ ପ୍ରାୟ ପ୍ରତିବର୍ଷ ଜିଲ୍ଲାବାସୀ ଭୁସ୍ଖଳନ ଭଳି ଘଟଣାକୁ ସାମ୍ନା କରିଛନ୍ତି। ଅନେକ ଧନଜୀବନ ନଷ୍ଟ ହେଉଥିବା ସହ ସରକାରୀ ଉନ୍ନୟନ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଫଳରେ, ଅଞ୍ଚଳବାସୀ ବିକାଶଧାରାରେ ପୁଣି ଥରେ କିଛି ବର୍ଷ ପଛକୁ ଫେରି ଯାଉଛନ୍ତି। ଆଉ ପୁର୍ବ ଭଳି ସେମାନଙ୍କ ଜୀବନଚଳଣି ଦୁର୍ବିସହ ହେଉଛି। ସ୍ଥାନୀୟ ପ୍ରଶାସନ କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବା ପାଇଁ ଉଦ୍ୟମ କରୁଛନ୍ତି।  କିନ୍ତୁ, ପ୍ରକୃତି ପୁଣି ଥରେ ସେ ସବୁକୁ ଧୋଇ ଦେଉଛି। ଏଣୁ, ଏହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି । 

ତିତ୍‌ଲି ବାତ୍ୟା ପରେ କେନ୍ଦ୍ର ସରକାରଙ୍କ ଏକ ବିଶେଷଜ୍ଞ ଦଳ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଥିଲେ। ବହୁ କମ୍‌ ସମୟ ମଧ୍ୟରେ ଅଧିକ ବର୍ଷା କାରଣରୁ ଝରଣା ଓ ନଦୀସ୍ରୋତଗୁଡ଼ିକର ଗତିପଥ ହଠାତ୍ ବଦଳିଯିବା କାରଣରୁ ଏଭଳି ଘଟୁଥିବା କୁହାଯାଇଥିଲା । କିନ୍ତୁ, ଭୂସ୍ଖଳନ ତ ବର୍ତ୍ତମାନ ନିୟମିତ ଭାବେ ଘଟୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ୧୩୦ ଭୁସ୍ଖଳନ ସ୍ଥଳକୁ ଚିହ୍ନଟ କରାଯାଇଥିଲା। ତେବେ କେଉଁ କାରଣରୁ ବାରମ୍ବାର ଜିଲ୍ଲାରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ଏହାର ଉଚ୍ଚସ୍ତରୀୟ ସର୍ଭେ ଜରୁରି ହୋଇପଡ଼ିଛି। ସେହିପରି ପ୍ରଶାସନ ପକ୍ଷରୁ ଆଜିଯାଏ ସୁରକ୍ଷା ପାଇଁ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ ହୋଇପାରିନି। 

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଭୂତତ୍ତ୍ବ ବିଜ୍ଞାନ ମୁଖ୍ୟ ତଥା ଡେପୁଟି ରେଜିଷ୍ଟ୍ରାର୍‌ ଡ.ଦୀପକ କୁମାର ମିଶ୍ର କହିଛନ୍ତି, ଗଜପତି ଜିଲ୍ଲାରେ ଏବଂ କଳିଙ୍ଗାଘାଟିରେ ପୂର୍ବରୁ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଭଳି ଘଟଣା ନଜରକୁ ଆସୁ ନଥିଲା। କିନ୍ତୁ ଅଳ୍ପଦିନ ବ୍ୟବଧାନ‌ରେ ଦୁଇ ଦୁଇଟି ଭୂସ୍ଖଳନ ଘଟଣା ନଜରକୁ ଆସିଛି। ଲଗାଣବର୍ଷାରେ ମାଟି ଖସିଲେ ଶିଳାଖଣ୍ଡ ଖସିଥାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଅବାଧ ଗଛକଟା ନିଶ୍ଚିତ ଭାବେ ଚିନ୍ତାର ବିଷୟ। କାରଣ ଗଛର ଚେର ହିଁ ମାଟିକୁ ଜାବୁଡ଼ି ରଖିବାରେ ସହାୟକ ‌ହେବା ସହ ଭୂସ୍ଖଳନକୁ ରୋକିଥାଏ। ଏଥିପାଇଁ ସ୍ବତନ୍ତ୍ର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ସହ ନିକଟରେ ଶାଳଗଛ ରୋପଣର ଆବଶ୍ୟକତା ରହିଛି। ସେହିପରି ପାହାଡ଼ ଦେଇ ରାସ୍ତା ନିର୍ମାଣ କରିବା ବେଳେ ଉନ୍ନତମାନର ବୈଷୟିକ କୌଶଳକୁ ଆପଣାଇବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ହାଲୂକା ମାଟି, ଝରଣାର ଗତିପଥ ବଦଳିବା ଏବଂ ଜଳବାୟୁ ପରିବର୍ତ୍ତନ ଭୂସ୍ଖଳନର କାରଣ ବୋଲି କିଛି ଗଜପତି ଜିଲ୍ଲାର କିଛି ପରିବେଶବିତ ମତ ରଖିଛନ୍ତି। 

ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ପାହାଡ଼ ଉପରେ ଅସୁରକ୍ଷିତ ଭାବେ ରହୁଥିବା ଗ୍ରାମବାସୀଙ୍କୁ ସମତଳ ଅଞ୍ଚଳରେ ଥଇଥାନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା କାର୍ଯ୍ୟକାରୀ ହେବା ଦରକାର।