ବିକ୍ରମଙ୍କ ପ୍ରତି ବିମୁଖ କାହିଁକି? ମନ୍ତ୍ରିମଣ୍ଡଳରୁ ବାଦ୍‌, ବାଚସ୍ପତି ହେବେ!

ବ୍ରହ୍ମପୁର : କ୍ଷମତା ରାଜନୀତିର ପଞ୍ଚମ ପାଳିର ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଚେହରାଙ୍କୁ ସ୍ଥାନ ମିଳିଥିବା ବେଳେ ଅଭିଜ୍ଞ ନେତା ବାଦ୍‌ ପଡ଼ିଛନ୍ତି। ପାଞ୍ଚ ମହିଳା ମନ୍ତ୍ରୀଙ୍କ ଭିତରେ ଅଭିଜ୍ଞ ପ୍ରମିଳା ମଲ୍ଲିକ ଓ ଉଷାଦେବୀଙ୍କ ଭଳି ନେତ୍ରୀ ବି ପୁଣି ଫେରିଛନ୍ତି। କିନ୍ତୁ, ଲଗାତାର ୬ ଥର ଭଞ୍ଜନଗର ବିଧାୟକ ଥିବା ଓ ଗତ ୨୦୦୯ରୁ କ୍ରମାଗତ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗ ସମ୍ଭାଳି ଆସିଥିବା ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ଟିମ୍‌ରୁ ବାଦ୍‌ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିକଟତମ ଭାବେ ଜଣାଶୁଣା ଶ୍ରୀ ଆରୁଖଙ୍କୁ ଏଥର ମନ୍ତ୍ରୀପଦ ନମିଳିବା ସମସ୍ତଙ୍କୁ ବିସ୍ମିତ କରିଛି। ଜନତା ଦଳ ଅମଳରୁ ବିଜୁ ବାବୁଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିବା ବିକ୍ରମଙ୍କର ରାଜନୀତିରେ ଢେର ଅଭିଜ୍ଞତା ରହିଛି। ତଥାପି ତାଙ୍କୁ ମନ୍ତ୍ରୀପଦ ମିଳିଲା ନାହିଁ। ଏବେ, ବିକ୍ରମଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବିମୁଖତାର କାରଣ କ’ଣ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅବଶ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ପରେ ଶ୍ରୀ ଆରୁଖ ବାଚସ୍ପତି ହେବେ ବୋଲି କୁହାଯାଉଛି ଏବଂ ସେ ଏହି ପଦ ପାଇଁ ଜଣେ ଲମ୍ବା ଅଭିଜ୍ଞତା ଥିବା ଯୋଗ୍ୟ ପ୍ରାର୍ଥୀ। ଏଣୁ ତାଙ୍କୁ ଓଡ଼ିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମ ନିବାସୀ ଶ୍ରୀ ଆରୁଖ ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶରେ ପ୍ରଭାବିତ ହୋଇ ରାଜନୀତିରେ ପାଦ ଦେଇଥିଲେ। ୧୯୮୨ ମସିହାରେ ଭଞ୍ଜନଗର କେଏସ୍‌ୟୁବି କଲେଜ ଛାତ୍ର ସଂସଦ ସଭାପତି ଓ ଏହା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ସଂସଦର ଉପସଭାପତି ଭାବେ ନିର୍ବାଚିତ ହୋଇ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଆଇନ ପାଠପଢ଼ା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ସକ୍ରିୟ ରାଜନୀତିରେ ରହି ସେ ବିଜୁ ବାବୁଙ୍କ ନିକଟତର ହେବା ସହ ତାଙ୍କ ସାଂଗଠନିକ ଦକ୍ଷତା ଦେଖି ବିଜୁ ବାବୁ ୧୯୯୫ରେ ପ୍ରଥମ ଥର ପାଇଁ ବିକ୍ରମଙ୍କୁ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ କରିଥିଲେ ଓ ବିକ୍ରମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବିଜୁ ଜନତା ଦଳ ଗଠନ ପରେ ୨୦୦୦ ମସିହାରେ ମଧ୍ୟ ବିଜେଡି ଟିକଟ୍‌ରୁ ସେ ଭଞ୍ଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦଳ ପ୍ରତି ଆନୁଗତ୍ୟ, ଲୋକପ୍ରିୟତା ଓ ଜନସେବା ମନୋଭାବ ଯୋଗୁଁ ୨୦୦୪ ମସିହାରେ ମଧ୍ୟ ତାଙ୍କୁ ଟିକଟ ମିଳିଥିଲା। ଶ୍ରୀ ଆରୁଖ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିକଟତର ହୋଇ ରହି ଆସିଛନ୍ତି। ୨୦୦୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେଡି ଟିକଟରେ ଭଞ୍ଜନଗରରୁ ଚତୁର୍ଥ ପାଳି ବିଧାୟକ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ମନ୍ତ୍ରୀପଦ ପାଇଥିଲେ।

୨୦୦୯ରେ ଶ୍ରୀ ଆରୁଖ ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗ ମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ଶ୍ରୀ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ବ ସମ୍ଭାଳି ଆସିଥିଲେ। କିନ୍ତୁ ଏଥର ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ତାଙ୍କୁ ବାଦ୍‌ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ଶ୍ରୀ ଆରୁଖ ହିଁ ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ହେଲା ମନ୍ତ୍ରୀ ପଦରେ ରହି ଆସିଥିଲେ। ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯିବା ପଛରେ କ’ଣ କାରଣ ଥାଇପାରେ ବୋଲି ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଓ ଆଲୋଚନା ଚାଲିଛି। ନୂଆ ମନ୍ତ୍ରିମଣ୍ଡଳରେ ଅଭିଜ୍ଞତାକୁ ଯଦି ମାପକାଠି ଧରାଯାଏ, ଏହି ଦୃଷ୍ଟିରୁ ଶ୍ରୀ ଆରୁଖଙ୍କ ପାଖରେ ୨୫ ବର୍ଷରୁ ଅଧିକ ରାଜନୈତିକ ଅଭିଜ୍ଞତା ରହିଛି। କିନ୍ତୁ ଏଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଓଡ଼ିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ପାଇଁ ଶ୍ରୀ ଆରୁଖଙ୍କ ନାମ ଚର୍ଚ୍ଚାରେ ରହିଛି। ସେ ପୂର୍ବରୁ ସଂସଦୀୟ ବ୍ୟାପର ମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ଏହା ସହିତ ରାଜନୀତିରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଥିବା ବେଳେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଳାଇଛନ୍ତି। ଏଣୁ ଶ୍ରୀ ଆରୁଖଙ୍କୁ ପରବର୍ତ୍ତୀ ବାଚସ୍ପତି କରାଯିବା ନେଇ ଅଧିକ ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର