ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି: ପ୍ରକାଶ ମିଶ୍ର

ଏଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା?

ଭୁବନେଶ୍ୱର : ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ମଧ୍ୟ ଓଡ଼ିଶା ପୁଲିସ ତା’କୁ ଧରିବାରେ ବିଫଳ ହୋଇଛି। ଏହି ଘଟଣାରେ ବଡ଼ ବଡ଼ ଅଧିକାରୀମାନଙ୍କର ସଂପୃକ୍ତି ଥିବା ବେଳେ କେବଳ ୬ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ହାଇଦର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରଶ୍ନ କରିଛନ୍ତି।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ ଯେ ଗ୍ୟାଙ୍ଗଷ୍ଟର ହାଇଦର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା। ତାଙ୍କୁ ସମ୍ବଲପୁର ଜେଲରେ ରଖି ମଧ୍ୟ ବିଭିନ୍ନ ଆଳ ଦେଖାଇ କଟକ ଅଣାଯାଉଥିଲା। ଏଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ତାହା ସ୍ପଷ୍ଟ ହେବା ଦରକାର। ସେହିପରି କଟକ ବଡ଼ ମେଡିକାଲରେ ରୋଗୀଙ୍କୁ କ୍ୟାବିନ ମିଳିବା କାଠିକର ପାଠ। କିନ୍ତୁ ହାଇଦରକୁ ଏତେ ସହଜରେ କ୍ୟାବିନ କିପରି ମିଳିଲା? କିଡ୍‌ନି ଜନିତ ସମସ୍ୟା ଥିବା ଯୋଗୁଁ ହାଇଦରକୁ କଟକ ମେଡିକାଲ ଅଣାଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। କିଡନି ରୋଗ ଥିଲେ ଖାଦ୍ୟପେୟ ଉପରେ ଅନେକ କଟକଣା ରହିଥାଏ। କିନ୍ତୁ ହାଇଦରକୁ କାହା ନିର୍ଦ୍ଦେଶରେ ବିରିୟାନି ଦିଆଯାଉଥିଲା? କଟକ ବଡ଼ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଣ୍ଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇ ନ ଥିଲା। ଜାଣିଶୁଣି ହାଇଦରକୁ ଖସାଇଦେବାର ଯୋଜନା କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ଜେଲ୍ କର୍ତ୍ତୃପକ୍ଷ, ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସର ହାତ ରହିଛି। ଏମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଏ ଜଣେ ବଡ ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି। ଗୃହ ବିଭାଗର ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏତେ ବଡ଼ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ସମୀକ୍ଷା ନ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର