ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ବିଜେଡି ଗଠନର ହେବାର ୨୭ ବର୍ଷ ପରେ ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ଝଟ୍‌କା ପାଇଛି ଦଳ। ସବୁ ନିର୍ବାଚନରେ ଅଭେଦ୍ୟ ରଣନୀତି ପ୍ରସ୍ତୁତ କରିବାରେ ମାହିର୍ ବିଜେଡି ଏଥର ବିଫଳ ହୋଇଛି। ଦଳର ଆସନ କମିବ ବୋଲି ଆକଳନ କରାଯାଉଥିଲା ବେଳେ ଏତେ ପଛକୁ ଚାଲିଯିବ ବୋଲି କେହି କଳ୍ପନା କରିନଥିଲେ। ଦଳର ଏମିତି ଶୋଚନୀୟ ସ୍ଥିତିକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ କାରଣ ପାଇଁ ଦଳ ହାରିଲା, ତାହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ବିଜେଡି ୨୪ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟରେ ଶାସନ ଡୋରି ଧରିଛି। ପ୍ରଥମ ୯ ବର୍ଷ ବିଜେପି ସହ ଓ ପରବର୍ତ୍ତୀ ୧୫ ବର୍ଷ ଦଳ ଏକାକୀ ଶାସନ କରିଛି। ନବୀନ ପଟ୍ଟନାୟକ ନିର୍ଦ୍ବନ୍ଦ୍ବରେ ସବୁବେଳେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। କ୍ଷମତା ରାଜନୀତିରେ ସମୟ ଗଡ଼ିଲେ ଦଳ ଓ ମୁଖିଆଙ୍କ ଲୋକପ୍ରିୟତା କମେ। କିନ୍ତୁ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ତାହା ଓଲଟା ଚାଲିଥିଲା। ପଞ୍ଚମ ପାଳିରେ ସେ ଅବିଶ୍ବସନୀୟ ବିଜୟ ହାସଲ କରିଥିଲେ। ତେବେ ଏହି ପାଳିରେ ଶାସନ ବ୍ୟବସ୍ଥାକୁ ନେଇ ହିଁ ଅସନ୍ତୋଷ ଦାନା ବାନ୍ଧିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନୁହେଁ, ବରଂ ସୁପର୍ ଚିଫ୍ ମିନିଷ୍ଟର୍ କୁହାଯାଉଥିବା ଭି କେ ପାଣ୍ଡିଆନଙ୍କ ଦ୍ବାରା ରାଜ୍ୟ ଶାସନ ଚାଲୁଛି ବୋଲି ଏକ ଧାରଣା ସୃଷ୍ଟି ହେଲା। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏମିତି ହିଁ ଚିତ୍ର ଉପସ୍ଥାପନ କରାଗଲା। ଏହାଦ୍ବାରା ନବୀନଙ୍କ ଭାବମୂର୍ତ୍ତିରେ ଆଞ୍ଚ୍ ଆସିଲା। ବିଜେଡିରେ ନବୀନଙ୍କ ପରେ ପାଣ୍ଡିଆନ ହିଁ ପରବର୍ତ୍ତୀ ନେତା ବୋଲି ଖୋଦ୍ ବିଜେଡି ପକ୍ଷରୁ ଏକ ଧାରଣା ଦିଆଗଲା। ଏହା ହିଁ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଲା। ରାଜ୍ୟ ବାହାରର ଜଣେ ଅଧିକାରୀ ଏଠାରେ ଓଡ଼ିଆଙ୍କୁ ଶାସନ କରିବେ, ଏହାକୁ ପ୍ରସଙ୍ଗ କରି ଗୋଟିଏ ଗୋଷ୍ଠୀ ଆଗକୁ ବଢ଼ିଲେ। ଏହାଦ୍ବାରା ଓଡ଼ିଶାରେ ଏକ ଅଲୋଡ଼ା ରାଜନୈତିକ ଇତିହାସ ଲେଖା ହେବ ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଭାବିନେଲେ। ଲୋକଙ୍କର ଏହି ମନୋଭାବ ଓ ଅସନ୍ତୋଷକୁ ବିଜେଡିର ନେତାମାନେ ଠଉରାଇ ପାରିଲେ ନାହିଁ। ସେଥିପାଇଁ ପାଣ୍ଡିଆନଙ୍କୁ ପଛକୁ ନେବା ବଦଳରେ ଆଗକୁ ଆଗକୁ ନେଇ ଚାଲିଲେ। ଆଉ ବିଜେଡି ପଛକୁ ପଛକୁ ଠେଲି ହୋଇ ଚାଲିଲା।

ରାଜ୍ୟରେ ଏମିତି ଏକ ଅସନ୍ତୋଷ ଦାନା ବାନ୍ଧୁଥିଲା ବେଳେ ବିଜେପି ଏହାକୁ ପ୍ରସଙ୍ଗ କରିଦେଲା। ବିଜେଡି ପକ୍ଷରୁ ଦିଆଯାଇଥିବା ମେଣ୍ଟ ପ୍ରସ୍ତାବକୁ ରାଜ୍ୟର ବିଜେପି ନେତାମାନେ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରିଦେଲେ। ଦଳର କେନ୍ଦ୍ରୀୟ ନେତାମାନେ ମେଣ୍ଟ ଚାହୁଁଥିଲେ ବି ରାଜ୍ୟ ନେତାମାନେ ମେଣ୍ଟ ବିପକ୍ଷରେ ବୁଝାଇ ସଫଳ ହେଲେ। ଆଉ ‘ଓଡ଼ିଆ ଅସ୍ମିତା’କୁ ନେଇ ଦଳ ଲଢ଼ିବ ବୋଲି ବିଜେପିର ନେତାମାନେ ଘୋଷଣା କଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସମାନ କଥାକୁ ଦୋହରାଇଲେ। ପ୍ରଚାର ସମୟରେ ନବୀନ-ପାଣ୍ଡିଆନଙ୍କ ଶାସନରେ କିପରି ଓଡ଼ିଆଙ୍କ ସ୍ବାର୍ଥ କ୍ଷତିଗ୍ରସ୍ତ ହେଉଛି, ତାହାକୁ ସେମାନେ ଲୋକଙ୍କୁ ବୁଝାଇବାରେ ସଫଳ ହେଲେ। ଓଡ଼ିଶାରେ ତାମିଲ୍ ଶାସନ କରିପାରିବେ ନାହିଁ ବୋଲି ନିଜେ ଅମିତ ଶାହ କହିଲେ। ଜଣେ ଓଡ଼ିଆ ହିଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନେତାମାନେ ବାରମ୍ବାର କହିଚାଲିଲେ। ଏପରିକି ପାଣ୍ଡିଆନଙ୍କ ଇଙ୍ଗିତରେ ଓଡ଼ିଶାର ଖଣି, ପାଣି ସବୁ ଅଣଓଡ଼ିଆମାନେ ଲୁଟୁଛନ୍ତି ବୋଲି କହିଲେ। ଏସବୁର ପ୍ରଭାବ ଲୋକଙ୍କ ଉପରେ ପଡ଼ିଲା। ଓଡ଼ିଆ ଅସ୍ମିତା ନବୀନ-ପାଣ୍ଡିଆନଙ୍କ ହାତରେ ସୁରକ୍ଷିତ ନୁହେଁ ବୋଲି ରାଜ୍ୟବାସୀଙ୍କୁ ବାର୍ତ୍ତା ଚାଲିଗଲା।

ବିଜେପିର ଏହି ଆକ୍ରମଣ ପ୍ରଭାବୀ ସାବ୍ୟସ୍ତ ହେଉଥିଲେ ବି ବିଜେଡି ରଣନୀତିକାରମାନେ ତାହାକୁ ବୁଝିପାରିଲେ ନାହିଁ। ଓଲଟା ସବୁ ନିର୍ବାଚନମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରଚାର ସଭାରେ ଅଧିକ ଲୋକଙ୍କୁ ଆଣିବା ପାଇଁ ବିଧାୟକ ପ୍ରାର୍ଥୀମାନଙ୍କୁ କୁହାଗଲା। କିନ୍ତୁ ଏହାର ପରିଣତ କ’ଣ ହେଲା, ତାହା ଏବେ ସ୍ପଷ୍ଟ।
ଯେହେତୁ ନବୀନ ପଟ୍ଟନାୟକ ଓଡ଼ିଆ ନଜାଣି ବି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିପାରିଲେ, ତେଣୁ ଓଡ଼ିଶାରେ ଏସବୁ ଚଳେ ବୋଲି ବିଜେଡିର ରଣନୀତିକାରମାନେ ଭାବିନେଲେ। ଏହାକୁ ବିଚାରକୁ ନେଇ ଜଣେ ଅଣଓଡ଼ିଆ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାରେ ଅସୁବିଧା ନାହିଁ ବୋଲି ସେମାନେ ଭାବିନେଲେ। ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ବିଜେଡିକୁ ଜିତାଇବାରେ ଯେତିକି ସମୟ ଦେଉ ନଥିଲେ, ପାଣ୍ଡିଆନଙ୍କୁ ହିରୋ କରାଇବାରେ ଅଧିକ ସମୟ ଦେଉଥିଲେ। କିନ୍ତୁ ସେସବୁ ‘ଓଡ଼ିଆ ଅସ୍ମିତା’ ଆଗରେ କିଛି କାମ ଦେଲାନି। ଯଦିଓ ଶେଷ ଆଡ଼କୁ ନିଜେ ନବୀନ ଘୋଷଣା କରିଥିଲେ, ‘ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହନ୍ତି।’ ତେବେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

ବିଜେଡି ହାରିବା ପଛରେ ଆଉ ଏକ ପ୍ରମୁଖ କାରଣ ହେଲା ମନଇଚ୍ଛା ଟିକେଟ ବଣ୍ଟନ। ବିଜେଡି ଓ ନବୀନ ପଟ୍ଟନାୟକଙ୍କ ନାମରେ ଯିଏ ଠିଆ ହେବେ, ସେ ଜିତିବେ ବୋଲି ବିଜେଡି ରଣନୀତିକାରମାନେ ଭାବି ନେଇଥିଲେ। ସେଥିପାଇଁ ଟିକେଟ୍‌ ବଣ୍ଟନରେ ପୂରା ମନମୁଖୀ କାରବାର ଚାଲିଥିଲା। କାଳେ ବିଜେଡି ଶାସନକୁ ଆସିବ, ସେଥିପାଇଁ ବହୁ ନେତା ଅନିଚ୍ଛା ସତ୍ତ୍ବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଠିଆ ହେଲେ। କିନ୍ତୁ ବହୁ ଆସନରେ ବିଜେଡିର ପ୍ରାର୍ଥୀ ଚୟନ ଭୁଲ୍‌ ସାବ୍ୟସ୍ତ ହେଲା। ବିଜେଡି ହାରିବା ପଛରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ସରକାରୀ ବିରୋଧୀ ହାୱା। ୨୪ ବର୍ଷରୁ ଅଧିକ ସମୟ ଶାସନ କଲା ପରେ ବିଜେଡିର ଆଉ କୌଣସି ବଡ଼ ପ୍ରତିଶ୍ରୁତି ଲୋକଙ୍କୁ ଦେବାର ନଥିଲା। ମାଗଣା ବିଜୁଳି ବିଲ୍ କଥାକୁ ଦଳ ଜୋରଦାର ପ୍ରଚାର କରିଥିଲେ ବି ତାହାର ପ୍ରଭାବ ପଡ଼ିଲାନି। ଓଲଟା ୨୪ ବର୍ଷରେ ଏହା କାହିଁକି ହୋଇପାରି ନଥିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହା ବାଦ୍ ଆଉ କୌଣସି ପ୍ରସଙ୍ଗ ଦାନା ଧରିପାରିଲା ନାହିଁ।
ସବୁ ନିର୍ବାଚନରେ କେନ୍ଦ୍ର ଅବହେଳାକୁ ବଡ଼ ପ୍ରସଙ୍ଗ କରେ ବିଜେଡି। କିନ୍ତୁ ଏଥର ଆଉ ସେମିତି କଲାନି ଦଳ। ଯେହେତୁ ମେଣ୍ଟ ପାଇଁ ବିଜେଡି ହାତ ବଢ଼ାଇଥିଲା, ସେଥିପାଇଁ କେନ୍ଦ୍ରକୁ ଦୋଷ ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଦଳ ସାହାସ କଲାନି। ଏହା ବି ବିଜେଡି ପାଇଁ ଭୁଲ୍ ସାବ୍ୟସ୍ତ ହେଲା। ଶେଷ ଆଡ଼କୁ ଗଣମାଧ୍ୟମରେ କେନ୍ଦ୍ର ଅବହେଳାର ବିଜ୍ଞାପନ ବିଜେଡି ଦେଲା ସତ, ହେଲେ ତାହା ଲୋକଙ୍କୁ ଛୁଇଁପାରିଲା ନାହିଁ। ବିଧାନସଭାରେ ବିଜେଡି ହାରିଲା। ଲୋକସଭାରେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଦଳ ନିଜର ପ୍ରାସଙ୍ଗିକତା ହରାଇଲା। ଜଣେ ମାତ୍ର ସାଂସଦ ଜିତିଥିବାରୁ ଜାତୀୟ ରାଜନୀତିରେ ବିଜେଡି ଏକପ୍ରକାର ଅଲୋଡ଼ା ହୋଇଗଲା।