ପ୍ରଣବଙ୍କ ସତ୍ୟପାଠରୁ କେଁ କାଢ଼ିଲା ବିଜେପି, ଶିକ୍ଷାଗତ ଯୋଗ୍ୟତା ଓ ସଂପତ୍ତି ଉପରେ ପ୍ରଶ୍ନବାଚୀ

ମିଥ୍ୟା ଅଭିଯୋଗ ପାଇଁ କ୍ଷମା ମାଗନ୍ତୁ : ବିଜେଡି

ସମ୍ବଲପୁର: ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପରି ସଂସ୍କୃତି ସଂପନ୍ନ ବ୍ୟକ୍ତିଙ୍କ ସମ୍ବଲପୁର ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ଘଟଣା ସମ୍ବଲପୁରବାସୀଙ୍କ ପ୍ରତି ଅପମାନ ବୋଲି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଆମେ ଆନୁଷ୍ଠାନିକ ଭାବେ ବିଜେଡିର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କରିଥିଲୁ। ଆମର ନିର୍ବାଚନ ଏଜେଣ୍ଟ ଆଇନଜୀବୀ ପ୍ରଦୀପ ବହିଦାର ବିଜେଡି ପ୍ରାର୍ଥୀ ଶ୍ରୀ ଦାସଙ୍କ ପ୍ରାର୍ଥିପତ୍ର ଉପରେ ବିଧିବଦ୍ଧ ଭାବେ ଆପତ୍ତି ଉଠାଇଥିଲେ। ମୁଖ୍ୟତଃ ୩ଟି କାରଣରୁ ଶ୍ରୀ ଦାସ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ରିଟର୍ଣ୍ଣି ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପ୍ରଣବ ତାଙ୍କର ଶିକ୍ଷାଗତ ଯୋଗ୍ୟତା ୨୦୦୯ ମସିହାରେ ଯୁକ୍ତ ଦୁଇ କଳା ପାସ୍‌ ବୋଲି ସତ୍ୟପାଠରେ ଲେଖିଥିଲେ। ୨୦୨୪ ମସିହାରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଦାବି କରିଛନ୍ତି । ଅର୍ଥାତ୍, ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ପାସ୍‌ । ଦ୍ୱିତୀୟ ଅଭିଯୋଗ ଥିଲା, ଶ୍ରୀ ଦାସ ନିଜର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାବଦରେ ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ସେ ତଥ୍ୟ ଲୁଚାଇଛନ୍ତି । ତୃତୀୟ ଅଭିଯୋଗ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେ ନିଜର ଆୟ ଶୂନ୍ୟ ବୋଲି ଦର୍ଶାଇଛନ୍ତି। ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି ।

ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା। ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି । ଏହା ହେଉଛି ଏକ ମହତ୍ବପୂର୍ଣ୍ଣ ତ୍ରୁଟି (ଭାଇଟାଲ ଡିଫେକ୍ଟ)। ଏହି ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ କଟକର ଜଣେ ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୁଲ୍‌ ସତ୍ୟପାଠ ପାଇଁ ଖାରଜ କରିଛନ୍ତି। ପରବର୍ତ୍ତୀ ସମୟରେ ଏହାର ଉଚିତ ଜବାବ ସମ୍ବଲପୁରବାସୀ ଦେବେ । ଯଦିଓ ଏହାକୁ ରିଟର୍ଣ୍ଣି ଅଫିସର ସଂପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠକୁ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଉପଯୁକ୍ତ ମଂଚରେ ଅଦାଲତରେ ସେ ବାବଦରେ ଉପସ୍ଥାପନ କରାଯାଇପାରେ ବୋଲି ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦିଲୀପ ପଣ୍ଡା, ପାର୍ଥସାରଥୀ ନାୟକ, ପ୍ରମୋଦ ରଥ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷରେ ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ଅପରାହ୍‌ଣରେ ସାମ୍ବାଦିକ ସମ୍ମିଳନୀ ଡାକି ପୀତାମ୍ବର ଆଚାର୍ଯ୍ୟଙ୍କୁ ଉଗାଣ୍ଡାର ଅଭିଜ୍ଞତାପୂର୍ଣ୍ଣ ବ୍ୟକ୍ତି ବୋଲି କଟାକ୍ଷ କରିବା ସହ ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟ ଏବଂ ଜିରୋ ଆଇଟି ରିଟର୍ଣ୍ଣିଂ ସମ୍ପର୍କରେ ତଥ୍ୟ ରଖିଛନ୍ତି। ପୀତାମ୍ବର ଦେଖାଇଥିବା ପ୍ରଣବଙ୍କ ସାର୍ଟିଫିକେଟ ଟାମ୍ପରିଂ ‌ହୋଇଛି ବୋଲି କହିବା ସହ ୧୯୯୧ ମସିହାରେ ପ୍ରଣବ ପ୍ରକାଶ ଯୁକ୍ତ ଦୁଇ ସାଇନ୍ସରେ ପାସ୍ କରିଛନ୍ତି। ଡ. ମହାନ୍ତି ସେହି ସାର୍ଟିଫିକେଟ ବି ଦେଖାଇଥିଲେ। ସେ ଆହୁରି କହିଥିଲେ, ଧର୍ମେନ୍ଦ୍ର ବିଚଳିତ ହୋଇ ତାଙ୍କ ସାଙ୍ଗ ପୀତାମ୍ବର ଆଚାର୍ଯ୍ୟଙ୍କୁ ଡାକିଛନ୍ତି। ପୀତାମ୍ବର ଆଚାର୍ଯ୍ୟ ଯାହା କହିଛନ୍ତି ତାହା ଡାହାମିଛ। ପ୍ରଣବ କୋଭିଡ୍‌ ସମୟରେ ସବୁ ରୋଜଗାର ସିଏମ୍‌ ଫଣ୍ଡକୁ ଦେଇଛନ୍ତି। ସେଥିପାଇଁ ତାଙ୍କର ଆଇଟି ରିଟର୍ଣ୍ଣି ଜିରୋ ହୋଇଛି। ପୀତାମ୍ବର ଆଚାର୍ଯ୍ୟ ତାଙ୍କ ସ୍ବପ୍ନ ଏବଂ କଳ୍ପନାରେ ବଞ୍ଚୁଛନ୍ତି। ଧର୍ମେନ୍ଦ୍ର ବିକଳ ହୋଇ ଅଛନ୍ତି ମନ୍ତ୍ରୀ ପଦ ପାଇବା ପାଇଁ। କିନ୍ତୁ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦ ଏଡ଼ାଇ ସଂଗଠନକୁ ଆପଣେଇଛନ୍ତି। ପୀତାମ୍ବର ଆଚାର୍ଯ୍ୟ ଯାହା କହିଛନ୍ତି ତାହା ଧର୍ମେନ୍ଦ୍ର ଏବଂ ପୀତାମ୍ବର ତାହା ପ୍ରମାଣ କରନ୍ତୁ, ନହେଲେ କ୍ଷମା ମାଗନ୍ତୁ ‌ବୋଲି ଡ. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର