କାହିଁକି ମିଛ କହିଥିଲେ ଗୋପାଳଙ୍କ ବଡ଼ଭାଇ? ସମ୍ବଲପୁର ନୁହେଁ, ଗାଁକୁ ଆସିଥିଲେ

ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟନାରାୟଣ କ୍ରାଇମବ୍ରାଞ୍ଚ ହେପାଜତରେ ୨୪ ଘଣ୍ଟା ରହିସାରିଲେଣି। ଗତକାଲି ରାତିସାରା ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି। ସେହି ଆଧାରରେ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଛନ୍ତି ଟିମ୍‌। ଏହାପରେ, ଦୁଇଭାଇଙ୍କୁ ଏକାଠି ବସାଇ କ୍ରାଇମବ୍ରାଞ୍ଚ ସାମ୍ନାସାମ୍ନି ଜେରା କରିପାରେ ବୋଲି କୁହାଯାଉଛି।

କ୍ରାଇମବ୍ରାଞ୍ଚ ହେପାଜତରେ ୨୪ ଘଣ୍ଟା, ରାତିସାରା ଝାଳବୁହା ଜେରା
ହୋଟେଲ୍‌ର ୩କର୍ମଚାରୀଙ୍କୁ ପଚରାଉଚରା କରି ଛାଡ଼ିଲା
ଡାକ୍ତର ଓ ସାଙ୍ଗଙ୍କୁ ପଚରାଉଚରା
ପରିବାର ସଦସ୍ୟଙ୍କ ବ୍ୟାଙ୍କ କାରବାର ଯାଞ୍ଚ୍‌

ହସ୍ତଗତ ସୂଚନା ଅନୁସାରେ, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ବ୍ରହ୍ମପୁର ଆସିଥିବା ଟିମ୍‌ ରାତିସାରା ବିଭିନ୍ନ ପର୍ଯ୍ୟାୟରେ ସତ୍ୟନାରାୟଣଙ୍କୁ ଜେରା କରିଥିଲେ। ସତ୍ୟନାରାୟଣ ବ୍ରଜରାଜନଗରରେ ଏକ ହୋଟେଲ୍‌ କରିଥିଲେ। ସେହି ହୋଟେଲ୍‌ରେ ନିଜ ଗାଁ ଜଳେଶ୍ବରଖଣ୍ଡିର ୩ଜଣ ଲୋକ କାମ କରୁଥିଲେ। ହତ୍ୟାକାଣ୍ଡ ଦିନ ସକାଳୁ ସେମାନେ ସମସ୍ତେ ସମ୍ବଲପୁର ଯାଉଥିବା ଆଖପାଖ ଦୋକାନୀଙ୍କୁ କହି ଦୋକାନ ବନ୍ଦ କରି ପଳାଇ ଆସିଥିଲେ। ହେଲେ, ସେମାନେ ସମ୍ବଲପୁର ବଦଳରେ ରହସ୍ୟଜନକ ଭାବେ ବ୍ରହ୍ମପୁର ପଳାଇ ଆସିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଜେରାବେଳେ ଜଣାପଡ଼ିଛି। କାହିଁକି ସେମାନେ ଦୋକାନ ବନ୍ଦ କରି ଫେରି ଆସିଥିଲେ ଏବଂ ସମ୍ବଲପୁର କହି ବ୍ରହ୍ମପୁର ଆସିବା ପଛର ରହସ୍ୟ କ’ଣ, ସେ ଦିଗରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ତନାଘନା କରିଥିଲେ । ଏପରିକି ସେହି ୩ଜଣ ଲୋକଙ୍କୁ ଗାଁରୁ ସଂଧ୍ୟାରେ ଉଠାଇ ନେଇଥିଲା। ସେମାନଙ୍କୁ ଜେରା କରିବା ପରେ ରାତିରେ ସେମାନଙ୍କ ଘରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ତେବେ, ଗତକାଲି ଠାରୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଥିବା ଗୋପାଳଙ୍କ ବଡ଼ଭାଇ ସତ୍ୟନାରାୟଣଙ୍କୁ ଆଜି ମଧ୍ୟ ଛାଡ଼ିନାହିଁ। ‌ସତ୍ୟନାରାୟଣ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେଲା କ୍ରାଇମ୍‌ବ୍ରାଞ୍ଚ୍‌ ହେପାଜତରେ ରହିସାରିଲେଣି। ବିଭିନ୍ନ ଦିଗ ଉପରେ ପର୍ଯ୍ୟାୟ କ୍ରମେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ପଶ୍ନ କରୁଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ନେଇ ସେଠାରେ ଦୁଇଭାଇଙ୍କୁ ମୁହାଁମୁହିଁ ଜେରା କରିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ବୁଧବାର ସକାଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏମ୍‌କେସିଜି ମେଡିକାଲ ମାନସିକ ରୋଗ ବିଭାଗକୁ ଯାଇଥିଲେ। କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ଏଏସ୍‌ଆଇ ଗୋପାଳ ଦାସଙ୍କ ମାନସିକ ରୋଗ ସମ୍ପର୍କିତ ଚିକିତ୍ସା ସମ୍ପର୍କରେ କଥା ହୋଇଥିବା ଜଣାପଡ଼ିଛି। ଏହାସହିତ ତାଙ୍କୁ ଚିକିତ୍ସା କରିଥିବା ମାନସିକ ରୋଗ ବିଭାଗ ପ୍ରଫେସର ଡା.ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦୀର୍ଘସମୟ ପଚରାଉଚରା କରିଥିଲେ। ଚିକିତ୍ସା ସମ୍ପର୍କିତ ବିଭିନ୍ନ ଦିଗ ଉପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଥ୍ୟ ସଂଗ୍ରହ କରିଛନ୍ତି।

ଏହାଛଡ଼ା, ଗୋପାଳଙ୍କ ସାଙ୍ଗ, ସଂପର୍କୀୟ ଓ ବିଭିନ୍ନ ଲୋକଙ୍କ ବୟାନ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌। ଏହାଛଡ଼ା ମନ୍ତ୍ରୀଙ୍କ ଗୋପାଳ ଗୁଳି କରି ହତ୍ୟା ପଛରେ ଷଡ଼୍‌ଯନ୍ତ୍ର ଓ ବଡ଼ଧରଣର ଆର୍ଥିକ କାରବାର ଥିବା ଆଶଙ୍କା ପ୍ରକାଶ ପାଉଥିବାରୁ ସେ ଦିଗରୁ ମଧ୍ୟ ଟିକିନିଖି ତଥ୍ୟ ସଂଗ୍ରହ ଚାଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଦିଗକୁ ଗୁରୁତ୍ବ ଦେଇ ଗୋପାଳଙ୍କ ପରିବାର ଲୋକ, ଘନିଷ୍ଠ ସାଙ୍ଗ ଓ ସଂପର୍କୀୟଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଟ୍ରାନ୍‌ଜାକସନ୍‌ ମଧ୍ୟ ଯାଞ୍ଚ୍‌ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର