ମୟୂରଭଞ୍ଜରେ କାହିଁକି ହାରିଲା ବିଜେପି? ବିଜେଡି ଲିଙ୍କ୍‌ରେ ଅଛନ୍ତି ବିଜେପି ବିଧାୟକ!

ବାରିପଦା : ବିଜେପିର ଗଡ଼ କୁହାଯାଉଥିବା ମୟୂରଭଞ୍ଜରେ ଏଥର ଦଳ ଖାତା ବି ଖୋଲି ପାରିଲାନି। ୫୬ ଜିଲ୍ଲା ପରିଷଦ ଆସନରୁ ବିଜେଡି ସର୍ବାଧିକ ୫୩ଟି ଆସନରେ ଜିତିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ୩ଟି ଆସନରେ ବିଜୟୀ ହେଲା। ତେବେ ବିଜେଡିର ଏହି ବିପୁଳ ବିଜୟ ବିଷୟରେ ଯେତିକି ଆଲୋଚନା ହେଉନି, ତା’ ଅପେକ୍ଷା ବିଜେପିର ଶୋଚନୀୟ ପରାଜୟକୁ ନେଇ ସେତିକି ଚର୍ଚ୍ଚା ଚାଲିଛି। ଜିଲ୍ଲାରୁ ଦଳ ଏମିତି ଯେ ମୂଳପୋଛ ହୋଇଯିବ, ସେ କଥାକୁ ତୃଣମୂଳସ୍ତରର କର୍ମୀ ଆଦୌ ଗ୍ରହଣ କରି ପାରୁନାହାନ୍ତି।

କୁହାଯାଉଛି, ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ୍‌ ହାତେଇବା ଲକ୍ଷ୍ୟରେ କିଛି ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଅଛନ୍ତି। ତେଣୁ ସେମାନେ ଦୋଷଛଡ଼ା ନ୍ୟାୟରେ ପ୍ରଚାର କରୁଥିଲେ। ଦଳୀୟ ପ୍ରାର୍ଥୀ ହାରନ୍ତୁ ବୋଲି ଭିତରେ ଭିତରେ ଚାହୁଁଥିଲେ। ଯାହାକି ଦଳର ଶୋଚନୀୟ ପ୍ରଦର୍ଶନର ମୁଖ୍ୟ କାରଣ ବୋଲି କର୍ମୀ ମହଲରେ ଏବେ ଚର୍ଚ୍ଚା ଚାଲିଛି।

୨୦୧୨ ନିର୍ବାଚନରେ ମୟୂରଭଞ୍ଜରେ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ବେଶ ଭଲ ଥିଲା। କିନ୍ତୁ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାବାସୀ ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇଥିଲେ। ଫଳସ୍ବରୂପ ବିଜେପି ୫୬ରୁ ୪୯ଟିରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ଶାସକ ଦଳ ବିଜେଡି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ପାରିନଥିଲା। କେବଳ ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସାଂସଦ ବିଶ୍ବେଶ୍ବର ଟୁଡୁଙ୍କ ସମେତ ମୋଟ୍‌ ୯ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ଦଳର ବିଧାୟକମାନେ ବିଜୟୀ ହୋଇଥିଲେ। ରାଜ୍ୟରେ ବିଜେଡିର ଆଧିପତ୍ୟ ସତ୍ତ୍ବେ ବିଜେପିର ଏଭଳି ଅପ୍ରତ୍ୟାଶିତ ଉତ୍‌ଥାନରେ ରାଜନୈତିକ ବିଶାରଦମାନେ ମଧ୍ୟ ସେତେବେଳେ ଚକିତ ହୋଇ ଯାଇଥିଲେ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ବ ସଫଳତା ଦୋହରାଇବା ତ ଦୂର କଥା, ଜିଲ୍ଲାରେ ଅସ୍ତିତ୍ବ ହରାଇଛି ବିଜେପି।

ତେବେ, ଏହାପଛରେ କାରଣ କ’ଣ ହୋଇପାରେ ତାହାକୁ ନେଇ ସାଧାରଣରେ ଜୋର୍‌ଦାର୍‌ ଆଲୋଚନା ଶୁଣିବାକୁ ମିଳୁଛି। କେହିକେହି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ବିବାଦୀୟ ଭୂମିକାକୁ ବି ଦାୟୀ କରିବାକୁ ପଛେଇ ନାହାନ୍ତି। ଜଣେ ଭୋଟର୍‌ ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି, ‘ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨ ଜଣ ସରକାରୀ ଅଧିକାରୀଙ୍କୁ ନିଜ ଅଫିସକୁ ଡାକି ମାଡ଼ ମାରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ନାଁରେ ଆସିଲା। ଶ୍ରୀ ଟୁଡୁ ଏହାକୁ ଅସ୍ବୀକାର କରୁଥିଲେ ମଧ୍ୟ ଏହାର କିଛିଟା ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଥିଲା। ବିରୋଧୀମାନେ ଏହି ଘଟଣାରୁ ଫାଇଦା ନେବାକୁ ଉଦ୍ୟମ କରିଥିଲେ। ଏବଂ, ସଫଳ ମଧ୍ୟ ହୋଇଥିଲେ। ମାତ୍ର, ଶ୍ରୀ ଟୁଡ଼ୁଙ୍କ ବିବାଦୀୟ ବୟାନ୍ ଏବଂ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା ଦଳ ଉପରେ ବଡ଼ ପ୍ରଭାବ ପକାଇଲା ବୋଲି ରାଜନୈତିକ ମହଲରେ ଚାଲିଥିବା ଆଲୋଚନାକୁ କର୍ମୀମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ସେମାନଙ୍କର କହିବା କଥା ହେଲା, ଦଳର ରଣନୀତି ଠିକ୍ ନଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ବାଦ୍ ଦେଲେ ଆଉ କେହି ଦଳୀୟ ପ୍ରାର୍ଥୀଙ୍କୁ ଆଡ଼ ଆଖିରେ ବି ଚାହିଁଲେନି। ରାଜ୍ୟ ନେତୃବୃନ୍ଦ ବି ଅଣଦେଖା କଲେ। ଦଳର କିଛି ବିଧାୟକ ପଞ୍ଚାୟତ ନିର୍ବାଚନରେ ପୂରା ଚୁପ୍ ବସିଲେ। କେବଳ ଦୋଷଛଡ଼ା ନ୍ୟାୟରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ସେମାନେ ପ୍ରଚାରରେ ସାମିଲ ଥିଲେ ବୋଲି କହିଛନ୍ତି।

ବିଜେପିର ଏହି ଗୃହଭେଦୀ ବିଭୀଷଣଙ୍କ ଯୋଗୁଁ ପଞ୍ଚାୟତ ନିର୍ବାଚନରେ ଦଳକୁ ଶୋଚନୀୟ ପରାଜୟର ସାମ୍‌ନା କରିବାକୁ ପଡ଼ିଲା। ଏହି ବିଧାୟକମାନେ କାହାର ଅଦୃଶ୍ୟ ଇଙ୍ଗିତରେ ପରିଚାଳିତ ହେଉଥିଲେ ତାହା ସଭିଁଙ୍କୁ ଜଣାବୋଲି ଅନେକ କର୍ମୀ ନିଜ ନାମ ଗୋପନ ରଖି କହିଛନ୍ତି।

ସମ୍ବନ୍ଧିତ ଖବର