ନିଜ ଗଡ଼ରେ କାହିଁକି ହାରିଲା ବିଜେପି ?

ଦଳର ବିଫଳତାକୁ ଗ୍ରହଣ କରିପାରୁନାହାନ୍ତି ନେତା ଓ କର୍ମୀ

ସମ୍ବଲପୁର: ବିଜେପିର ଗଡ଼ ଭାବେ ପରିଚିତ ସମ୍ବଲପୁରକୁ ଏଥର ପଞ୍ଚାୟତ ନିର୍ବାଚନରେ ଦୋହଲାଇ ଦେଇଛି ବିଜେଡି। ବିଜେଡିର ଏଭଳି ଅଭୂତପୂର୍ବ ସଫଳତାକୁ ନେଇ ସମ୍ବଲପୁରରେ ଯେତିକି ଆଲୋଚନା ହେଉନାହିଁ ବିଜେପିର ଶୋଚନୀୟ ପରାଜୟକୁ ନେଇ ସେତିକି ଚର୍ଚ୍ଚା ଚାଲିଛି। ବିଜେପିର ଏଭଳି ବିଫଳତାକୁ ଦଳୀୟ କର୍ମୀ ଓ ସମର୍ଥକଙ୍କଠାରୁ ଆରମ୍ଭ କରି ରାଜନୀତିରେ ରୁଚି ରଖୁଥିବା ଲୋ‌କେ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି।

୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ହେଉକି ୨୦୧୯ ମସିହାର ସାଧାରଣ ନିର୍ବାଚନ, ସବୁଥିରେ ସମ୍ବଲପୁର ଜିଲ୍ଲାବାସୀ ବିଜେପିକୁ ଦେଇଥିଲେ ଅକୁଣ୍ଠ ସମର୍ଥନ। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେପି ୧୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୧୩ଟି ଜୋନ୍‌ରେ ବିଜୟୀ ହେବା ସହିତ ଜିଲ୍ଲା ପରିଷଦ ଗଠନ କରିଥିଲା। ରାଜ୍ୟର ଶାସକ ଦଳ ବିଜେଡିକୁ ମାତ୍ର ୫ଟି ଆସନ ମିଳିଥିଲା। ୨୦୧୯ ମସିହା ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନିତେଶ ଗଂଗଦେବ ବି‌ଜୟୀ ହୋଇଥିଲେ। ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରର ଭୋଟ ଯୋଗୁ ତାଙ୍କ ବିଜୟ ସହଜ ହୋଇଥିଲା।

ଅପରପକ୍ଷରେ ବିଜେପି ଜିଲ୍ଲାର ୪ଟି ବିଧାନସଭା ଆସନରୁ ମର୍ଯ୍ୟାଦାଜନକ ସମ୍ବଲପୁର ଓ ରେଂଗାଲି ବିଧାନସଭା ଆସନ ଜିତିଥିଲା। ୨୦୧୪ ମସିହା ନିର୍ବାଚନରେ ବିଜେଡି ୩ଟି ବିଧାନସଭା ଆସନ ଜିତିଥିବା ବେଳେ ୨୦୧୯ ମସିହା ନିର୍ବାଚନରେ ଗୋଟିଏ ଆସନ ହରାଇଥିଲା। ଏଥର ପଞ୍ଚାୟତ ନିର୍ବାଚନରେ କିନ୍ତୁ ବିଜେପି ତା’ର ପୂର୍ବ ସଫଳତା ଦୋହରାଇ ପାରିନଥିଲା। ଲୋକସଭା ସାଂସଦ ନିତେଶ ଗଂଗଦେବ ନିର୍ବାଚନ ଜିତିବା ପରେ ସମ୍ବଲପୁରକୁ ପାସୋରି ଦେଇଛନ୍ତି। କରୋନା ମହାମାରୀର କଷ୍ଟକର ସମୟରେ ବି ଲୋକେ ତାଙ୍କୁ ଦେଖିବାକୁ ପାଇଲେ ନାହିଁ।

ଏହାକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନ ବିଜେପି ଜୟ ନାରାୟଣଙ୍କ ଦମ୍‌ରେ ଜିତିଥିଲା। ସମ୍ବଲପୁର ଜିଲ୍ଲାରେ ବିଜେପିର ବଡ଼ ଚେହେରା ଜୟନାରାୟଣ ଏଥର କିନ୍ତୁ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଏଥର ଯେତିକି ସମୟ ଦେବା କଥା ଦେଇପାରିଲେ ନାହିଁ। ବିଳମ୍ବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଥିଲେ। ଏପଟେ ଜିଲ୍ଲା ବିଜେପି ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶାସନକୁ ଦାବିପତ୍ର ପ୍ରଦାନ, ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଆଦିରେ ବ୍ୟସ୍ତ ରହିଗଲା। ଗ୍ରାମାଂଚଳର ନିଜର ସଂଗଠନକୁ‌ ଯେତିକି ସୁଦୃଢ଼ କରିବା କିମ୍ବା କର୍ମୀମାନଙ୍କୁ ଉତ୍ସାହିତ କରିବା କଥା ସେତିକି କରିପାରିଲା ନାହିଁ। ଜିଲ୍ଲା ସଂଗଠନ ପୁଣି ଦୁଇ ଗୋଷ୍ଠୀ(ଗିରିଶ ପଟେଲ ଓ ଏଟିମ୍‌ ଗୋଷ୍ଠୀ)ରେ ବିଭାଜିତ ହୋଇଯିବା ନେଇ ଖାଣ୍ଟି ବିଜେପି କର୍ମୀମାନଙ୍କୁ ବାଧିଥିବା ବ‌େଳେ ସଂଗଠନର ତୃଣମୂଳ ସ୍ତରକୁ ଏହାର ଖରାପ ବାର୍ତ୍ତା ମଧ୍ୟ ଗଲା।

ଏପଟେ ବିଜେଡି ମଧ୍ୟ ଯଦିଓ ଅନେକ ଗୋଷ୍ଠୀ ରହିଛନ୍ତି, ଏହି ନିର୍ବାଚନରେ ତାହାର ପ୍ରଭାବ ଦେଖିବାକୁ ମିଳିଲା ନାହିଁ। ‘ମଇଁଷି ଶିଙ୍ଘ ଫଟା, ଯୁଝିଲା ବେଳକୁ ‌ଗୋଟା’ ନୀତିରେ ବିଜେଡି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଥିଲା। ବିଜେଡି ଏଥର ଯେ ‌‌କୌଣସି ସ୍ଥିତିରେ ସମ୍ବଲପୁର ଜିଲ୍ଲା ପରିଷଦ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲା। ‌ବିଜେଡିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବାରଂବାର ସମ୍ବଲପୁର ଗସ୍ତ କରି ନେତା ଓ କର୍ମକର୍ତ୍ତାନଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ଦାସଙ୍କ ଏଭଳି ସମ୍ବଲପୁର ଆଗମନରେ ବିଜେଡି କର୍ମୀ ଓ ନେତାମାନଙ୍କ କାମ କରିବାର ଉତ୍ସାହକୁ ଦ୍ବିଗୁଣିତ କରିଥିବା ବେଳେ ବିଜେପି କ୍ଷେତ୍ରରେ ଏହାର ଅଭାବ ପରିଲକ୍ଷିତ ହୋଇଥିଲା। ଯଦିଓ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଦିନେ ଲେଖାଏଁ ପ୍ରଚାର ପାଇଁ ସମ୍ବଲପୁର ଆସିଥିଲେ,

ତାହା କିନ୍ତୁ ଯଥେଷ୍ଟ ନଥିଲା। ଏପଟେ ବିଜେପିର କେତେକ ଜାଗାରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ରହିଥିଲା। ସକଳ ଚେଷ୍ଟା ସତ୍ତ୍ବେ ବିଜେପି ଏହି ଅସ‌ନ୍ତୋଷକୁ ପ୍ରଶମିତ କରିପାରିନଥିଲା। ଦଳର ଏଭଳି ବିଫଳତା ନେଇ ବିଜେପି ରାଜ୍ୟ ଉପସଭାପତି ତଥା ରେଂଗାଲି ବିଧାୟକ ନାଉରୀ ନାୟକଙ୍କୁ ପଚାରିବାରୁ ସେ କହିଲେ, ବିଜେଡିକୁ ମିଳିଥିବା ଏହି ଭୋଟ ଜନସାଧାରଣଙ୍କ ଭୋଟ ନା’ ଅସାଧାରଣ ଭୋଟ ତାହାକୁ ନେଇ ମନରେ ସନ୍ଦେହ କରିଛି। ତଥାପି, ଆମେ ନିର୍ବାଚନ ଫଳାଫଳକୁ ସମ୍ମାନ ଜଣାଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ରାଜ୍ୟର ଦୁର୍ନୀତିଗ୍ରସ୍ତ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ବିଫଳତାକୁ ଲୋକମାନଙ୍କ ପାଖରେ ଆମେ ଠିକ୍ ଭାବେ ପହଞ୍ଚାଇପାରିଲୁ ନାହିଁ। ତ‌େବେ, ଆଗାମୀ ଦିନ‌ରେ ଆମେ ଆହୁରି ଅଧିକ ସଂଗଠିତ ହୋଇ ଏବଂ ଯୋଜନାବଦ୍ଧ ଭାବେ ଦଳର ବିଜୟ ପାଇଁ କାମ କରିବୁ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର