କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆଜି ମାଟ୍ରିକ ପରୀକ୍ଷାଫଳ ସଂପୂର୍ଣ୍ଣ ଭିନ୍ନ ଢଙ୍ଗରେ ପ୍ରକାଶ କରିଛି। ଯେଉଁ ଢଙ୍ଗରେ ସଂପୂର୍ଣ୍ଣ ତଥ୍ୟ ସହିତ ବୋର୍ଡ କର୍ତ୍ତୃପକ୍ଷ ବର୍ଷବର୍ଷ ଧରି ଗଣମାଧ୍ୟମ ସାମନାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ କରୁଥିଲେ, ସେ ପରମ୍ପରାକୁ ଏଥର ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି। ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ ପ୍ରକ୍ରିୟାକୁ ତ ଉଠାଇ ଦିଆଯାଇଛି, ତା’ ସହିତ ପରୀକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନାକୁ ବି ଏଥର ବୋର୍ଡ କର୍ତ୍ତୃପକ୍ଷ ପ୍ରକାଶ କରି ନାହାନ୍ତି। କାମଚଳା ଢଙ୍ଗରେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟ ସାମନାରେ ସଭାପତି, ଉପସଭାପତି ଓ ପରୀକ୍ଷା ନିୟନ୍ତ୍ରକ ପରୀକ୍ଷାଫଳ ପ୍ରକାଶ ପାଇଲା ବୋଲି ଘୋଷଣା କରି ସଂକ୍ଷିପ୍ତ ସୂଚନା ସମ୍ବଳିତ ଏକ କାଗଜ ବାଣ୍ଟି ଦେଇଛନ୍ତି। କିନ୍ତୁ ଚଳିତ ବର୍ଷ କେତେ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍ ପାଇଲେ, ଅଥବା ପରକୁ ପର ଏ-୨, ବି-୧, ବି-୨ ଗ୍ରେଡ୍ରେ କେତେ ଛାତ୍ରଛାତ୍ରୀ ରହିଲେ, ସେ ସଂପର୍କିତ ସୂଚନା ବୋର୍ଡ ପକ୍ଷରୁ ଜାରି କରାଯାଇ ନାହିଁ।
୭୫% କମିଛି ଏ-୧ ଗ୍ରେଡ୍ ପାସ୍ ସଂଖ୍ୟା
ମେଧାବୀ, ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା
ପଛରେ ପଡ଼ିଯିବେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ
ଯଦିଓ ୨୦୨୪ର ପାସ୍ ହାର ୨୦୨୩ ପାସ୍ ହାର ପାଖାପାଖି ରହିଛି, କିନ୍ତୁ ଛାତ୍ରଛାତ୍ରୀ ଭଲ ନମ୍ବର ରଖିବାରେ ଏଥର ବିଫଳ ହୋଇଛନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରି ନାହାନ୍ତି ନା ଅନ୍ୟ କୌଣସି କାରଣରୁ ସେମାନଙ୍କ ପରୀକ୍ଷାଖାତାର ଠିକ୍ ମୂଲ୍ୟାୟନ ହୋଇନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ବିଶେଷକରି ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ଏଥର ଛାତ୍ରଛାତ୍ରୀ ବିଫଳ ହୋଇଛନ୍ତି। ୨୦୨୩ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ୪ ହଜାର ୧୫୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଅଥବା ତା’ଠାରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍ରେ ପାସ୍ କରିଥିବା ବେଳେ ଚଳିତ ବର୍ଷ ସେହି ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ଜଣାପଡିଛି। ଉଦାହରଣ ସ୍ବରୂପ ଦେଖିଲେ ଯେଉଁଠି କଟକ ଜିଲ୍ଲାରେ ୬୦୪ ଜଣ ଛାତ୍ରଛାତ୍ରୀ ୨୦୨୩ରେ ଏ-୧ ଗ୍ରେଡ୍ରେ ପାସ୍ କରିଥିଲେ, ଚଳିତ ବର୍ଷ ସେହି ସଂଖ୍ୟା ୧୫୦କୁ ଖସି ଆସିଛି। ସେହିଭଳି ଜଗତସିଂହପୁର ଜିଲ୍ଲାରେ ୨୦୨୩ରେ ୯୩ ଜଣ ଏ-୧ ଗ୍ରେଡ୍ରେ ପାସ୍ କରିଥିବା ବେଳେ ଚଳିତ ବର୍ଷ ସେହି ସଂଖ୍ୟା ୨୯କୁ ଖସି ଆସିଛି। କେନ୍ଦ୍ରାପଡ଼ାରେ ବି ୨୦୨୩ରେ ୧୧୨ ଜଣ ଏ-୧ ଗ୍ରେଡ୍ ପାଇଥିବା ବେଳେ ଚଳିତ ବର୍ଷ ସଂଖ୍ୟା ୩୧କୁ ଖସିଛି। ରାଜ୍ୟର ସବୁ ଜିଲ୍ଲାରେ ଏଭଳି ଅପ୍ରତ୍ୟାଶିତ ଭାବେ ଏ-୧ ଗ୍ରେଡ୍ରେ ପାସ୍ ପିଲାଙ୍କ ସଂଖ୍ୟା ହ୍ରାସ ପାଇବା ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ସିବିଏସ୍ଇ ୧୦ମ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୯୯.୮ ପ୍ରତିଶତ ରଖି ରାଜ୍ୟ ଟପର ହେବା ଏବଂ ବହୁ ସଂଖ୍ୟାରେ ପିଲା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ବୋର୍ଡର ଏଭଳି ପରୀକ୍ଷାଫଳକୁ ନେଇ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ନାମଲେଖା ପ୍ରକ୍ରିୟାରେ ପଛରେ ପଡିଯିବେ ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/daadgggadagd.jpg)