ଗୋପାଳର ମାନସିକ ଯାଞ୍ଚ ପାଇଁ କାହିଁକି ବାରମ୍ବାର ପ୍ରୟାସ କରିଥିଲା କ୍ରାଇମ୍‌ବ୍ରାଞ୍ଚ?

ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍‌ କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଏସ୍‌ଡି‌ଜେଏମ୍‌ଙ୍କ କୋର୍ଟରେ ଦାଖଲ କରିବା ପରେ ଅନେକ ପ୍ରସଙ୍ଗ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋପାଳର ମାନସିକ ସ୍ଥିତି ଠିକ୍‌ ଥିବା ବେଳେ ସେ ତଦନ୍ତରେ ସହଯୋଗ ବି କରୁଥିଲା ବୋଲି କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ମାତ୍ର କିଛି ଦିନ ତଳର ଚିତ୍ରକୁ ଆଖି ଆଗକୁ ନେଲେ ଗୋପାଳର ମାନସିକ ସ୍ଥିତି ଠିକ୍‌ ନଥିବା ଦର୍ଶାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚର ବାରମ୍ବାର ପ୍ରୟାସ ଓ ଆଜିର ଚାର୍ଜସିଟ୍‌ ଭିତରେ ଅନେକ କିଛି ଫରକ୍‌ ଦେଖିବାକୁ ମିଳିଛି। ଯାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚର ପ୍ରକୃତ ଉଦ୍ଦେଶ୍ୟ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜାନୁଆରି ୨୯ ତାରିଖରେ ହତ୍ୟାକାଣ୍ଡ ପରେ ପୁଲିସ ତୁରନ୍ତ ଗୋପାଳ ଦାସକୁ ଗିରଫ କରିଥିଲା। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳକୁ ଅର୍ଥାତ୍ ଫେବ୍ରୁଆରି ୩ ତାରିଖରେ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ସିଏଫ୍‌ଏସ୍‌ଏଲ୍‌ ନୂଆଦିଲ୍ଲୀର ଏକ ଟିମ୍‌ ଝାରସୁଗୁଡ଼ା ଆସିଥିଲେ। ଏହି ଟିମ୍‌ର ରିପୋର୍ଟ ପରେ ଡିଏମ୍‌ଇଟି ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ସିବିର ଡାକ୍ତରୀ ଦଳଙ୍କୁ ନେଇ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିଲା। ଉକ୍ତ ବୋର୍ଡ ବି ଗୋପାଳର ସ୍ଥିତି ଯାଞ୍ଚ କରିଥିଲେ ଓ ମାନସିକ ଅବସ୍ଥା ଠିକ୍‌ ଥିବା ନେଇ ଉତ୍ତର ରଖିଥିଲେ। ମାତ୍ର ଏହାପରେ କ୍ରାଇମ୍‌ବ୍ରାଞ୍ଚ ଫେବ୍ରୁଆରି ୨୦ ତାରିଖ‌‌ରେ ଗୋପାଳକୁ ନିମ୍‌ହାନ୍ସ ବେଙ୍ଗାଲୁରୁକୁ ନେବା ପାଇଁ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଆବେଦନ କରିଥିଲା। ଯାହାକୁ ସେହିଦିନ ହିଁ କୋର୍ଟ ଖାରଜ କରିଥିଲେ। ଫେବ୍ରୁଆରି ୨୨ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପୁନର୍ବାର ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ଅନୁରୂପ ଆବେଦନ କରିଥିଲା। ୨୭ ତାରିଖରେ କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ ହେଁ ମାର୍ଚ୍ଚ ୩ ତାରିଖରେ ଆଗତ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ଚୌଦ୍ବାର ଜେଲ୍‌କୁ ଏକ ଟିମ୍‌ ପଠାଇ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବାକୁ ନିମ୍‌ହାନ୍ସ ବେଙ୍ଗାଲୁରୁକୁ କ୍ରାଇମ୍‌ବ୍ରାଞ୍ଚ ଅନୁରୋଧ କରିଥିଲା। ଯାହାକୁ ଏପ୍ରିଲ ୨୫ ତାରିଖରେ ନିମ୍‌ହାନ୍ସ ବେଙ୍ଗାଲୁରୁ ମଧ୍ୟ ଖାରଜ କରିଦେଇଥିଲା।

କେବଳ ଯେ ନିମ୍‌ହାନ୍ସ ନୁହେଁ, ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ(ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌)କୁ ଅନୁରୋଧ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଉତ୍ତର ରଖିଥିଲେ। ଗୋଟିଏ ପଟେ, କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ଡିଏମ୍‌ଇଟିଙ୍କ ରିପୋର୍ଟକୁ ପ୍ରମାଣ ଆଧାରରେ ଗ୍ରହଣ କରିଛି। ଅନ୍ୟ ପଟରେ, ଯଦି ଗୋପାଳର ମାନସିକ ସ୍ଥିତି ନେଇ କ୍ରାଇମ୍‌ବ୍ରାଞ୍ଚକୁ ପ୍ରମାଣ ମିଳିସାରିଥିଲା ‌ତେବେ କ୍ରାଇମ୍‌ବ୍ରାଞ୍ଚ କେଉଁ ଉଦ୍ଦେଶ୍ୟରେ ବାରମ୍ବାର ଯାଞ୍ଚ ପାଇଁ କୋର୍ଟରେ ଆବେଦନ କରୁଥିଲା, ତାହା ଏବେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମ୍‌ବ୍ରାଞ୍ଚ ପାଗଳ ସଜାଇବାକୁ ପ୍ରୟାସ କରୁଥିବା ନେଇ ବି ବିରୋଧୀ ଦଳ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର