ଭୁବନେଶ୍ବର: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରିରହିବ। ଏହି ସମୟ ମଧ୍ୟରେ କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ୬୦ରୁ ୮୦ ମିମି, ଗଞ୍ଜାମ, ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲାରେ ୪୦ରୁ ୫୦ ମିମି ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୦ ମିମିରୁ କମ୍‌ ରହିବ। ୧୧ ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ। ତେବେ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖରେ ସମ୍ପୂର୍ଣ୍ଣ ବଲାଙ୍ଗୀର ସମେତ ନୂଆପଡ଼ା ଓ କଳାହାଣ୍ଡିର କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ନ ହେଲେ ୧୫ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Advertisment

ପ୍ରଫେସର ପଶୁପାଳକ ଆହୁରି ଆକଳନ କରିଛନ୍ତି ଯେ ୧୫ ଓ ୧୬ ତାରିଖରେ ଏକ ଟ୍ରଫ୍‌ ସୃଷ୍ଟି ହୋଇ ତାହା ପୂର୍ବ-ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିବାର ସମ୍ଭାବନା ରହିଛି। ସେହିପରି ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ୧୮ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। ପାରାଦୀପରୁ ସୁବର୍ଣ୍ଣପୁରକୁ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣ ଭାଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ରହିବ। ତେବେ ଉତ୍ତର ଭାଗରେ ବର୍ଷା କିଭଳି ରହିବ ତାହା ଲଘୁଚାପର ଘନୀଭୂତ, ସୃଷ୍ଟିର ସ୍ଥାନ ଓ ଗତିପଥ ଉପରେ ନିର୍ଭର କରିବ। ଅଷ୍ଟ୍ରେଲିଆ ପାଣିପାଗ ସଂସ୍ଥା କହୁଛି ଯେ ବର୍ତ୍ତମାନ ନ୍ୟୁଟ୍ରାଲ ରହିଥିବା ଏନ୍‌ସୋ(ଏଲ୍‌ନିନୋ ସର୍ଦ୍ଦନ ୱେଷ୍ଟ୍‌ଲେସନ) ଜାରି ରହିବ। ଲାନିନା ଆହୁରି ବିଳମ୍ବ ହେବ। ୭ଟି ‌ମଡେଲ୍‌ ମଧ୍ୟରୁ ୪ଟି ମଡେଲ୍ କହୁଛି ଯେ ଅଗଷ୍ଟ ପରେ ଲାନିନା ଆସିପାରେ। ତେଣୁ ଅଗଷ୍ଟରେ ବର୍ଷାର ପରିମାଣ ଅନିଶ୍ଚିତତା ରହିବ।

ସେପଟେ ୧୨ ତାରିଖଠାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୨ ତାରିଖ ମଧ୍ୟାହ୍ନଠାରୁ ୧୩ ତାରିଖ ସକାଳ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଜୁନ୍‌ ପହିଲାରୁ ଆଜି ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ବାଲେଶ୍ବର ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ରାଜଘରରେ ସର୍ବାଧିକ ୬୦ ମିମି ବର୍ଷା ହୋଇଛି।