ଭୁବନେଶ୍ବର : ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଇ-ଡେସ୍ପାଚ୍ରେ ଶେଷ ଥର ଚିଠି ଅପ୍ଲୋଡ୍ ହୋଇଥିଲା ୨୦୧୯ ଜୁନ୍ ୨୦ ତାରିଖରେ। ଜଙ୍ଗଲ ଓ ପରିବେଶ ବିଭାଗରେ ଶେଷ ଥର ଅପ୍ଲୋଡ୍ ହୋଇଥିଲା ୨୦୧୯ ଡିସେମ୍ବର ୩୦ ତାରିଖରେ। କୃଷି ବିଭାଗର ଶେଷ ଚିଠି ଅପ୍ଲୋଡ୍ ହୋଇଥିଲା ୨୦୨୦ ମେ’ ୨୭ରେ। ନଗର ଉନ୍ନୟନ ବିଭାଗର ଚାରି ମାସ ତଳେ ଓ ଖାଦ୍ୟ ଯୋଗାଣ ବିଭାଗର ତିନି ମାସ ତଳେ।
ରାଜ୍ୟର ପ୍ରଶାସନିକ ବିଭାଗଗୁଡ଼ିକରେ ଏମିତି ଟେକ୍ନୋଲୋଜିକୁ ଗ୍ରହଣ କରାଯାଇଛି। ଅନ୍ୟ ବିଭାଗ ଦୂରର କଥା। ସବୁ ବିଭାଗର ପ୍ରଦର୍ଶନକୁ ମୂଲ୍ୟାୟନ କରୁଥିବା ଖୋଦ୍ ସାଧାରଣ ପ୍ରଶାସନ ବିଭାଗ ବି ଏ ଦିଗରେ ଅତ୍ୟନ୍ତ ବେପରୱା। ଏହି ବିଭାଗରେ ୫ ମାସରୁ ଅଧିକ ସମୟ ହେଲା ଇ-ଡେସ୍ପାଚ୍ରେ ଚିଠି ଅପ୍ଲୋଡ୍ ହୋଇନି। ସାଧାରଣ ପ୍ରଶାସନ ବିଭାଗ ନିଜେ ଯେତେବେଳେ ଏପରି ଗୁରୁତର ତ୍ରୁଟି କରୁଛି, ଅନ୍ୟ ବିଭାଗ ଏହି ଭୁଲ୍ କଲେ ଛାଟ ମାରିବ କିଏ?
ସରକାର ୫-ଟିକୁ ଗୁରୁତ୍ବ ଦେଉଛନ୍ତି। ୫-ଟିର ଦୁଇଟି ମୁଖ୍ୟ ଅଂଶ ହେଲା େଟକ୍ନୋଲୋଜି ଓ ଟ୍ରାନ୍ସପରେନ୍ସି। ଟେକ୍ନୋଲୋଜିକୁ ବ୍ୟବହାର କରି ସରକାରୀ କାର୍ଯ୍ୟକୁ ସରଳ କରିବା ସହ ସେଥିରେ ସ୍ବଚ୍ଛତା ଅଣାଯାଉଛି ବୋଲି ସରକାର ପ୍ରଚାର କରୁଛନ୍ତି। ନିର୍ଦ୍ଦେଶାଳୟ ଓ ଜିଲ୍ଲା ସ୍ତରରେ ଟେକ୍ନୋଲୋଜିକୁ କେତେ ଆପଣାଇଛନ୍ତି, ତାହାର ଭିନ୍ନ କଥା। ଖୋଦ୍ ପ୍ରଶାସନିକ ବିଭାଗରେ ଟେକ୍ନୋଲୋଜିକୁ ସର୍ବନିମ୍ନ ଗୁରୁତ୍ବ ବି ଦିଆଯାଉନି। ଇ-ଡେସ୍ପାଚ୍ ଏହାର ଏକ ବଡ଼ ଉଦାହରଣ। ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ସବୁ ବିଭାଗରେ ଇ-ଡେସ୍ପାଚ୍ ବ୍ୟବସ୍ଥା ଲାଗୁ କରିଛନ୍ତି। ବିଭିନ୍ନ ବିଭାଗକୁ ଆସୁଥିବା ଚିଠି ଓ ଯାଉଥିବା ଚିଠିକୁ ଇ-ଡେସ୍ପାଚ୍ରେ ଅପ୍ଲୋଡ୍ କରିବାକୁ ସରକାରୀ ନିେର୍ଦ୍ଦଶ ରହିଛି। ଏଥି ପାଇଁ ଏକ ଘରୋଇ ସଫ୍ଟୱେର୍ ସଂସ୍ଥାକୁ ଦାୟିତ୍ବ ମଧ୍ୟ ଦିଆଯାଇଛି। କିନ୍ତୁ ବିଭାଗଗୁଡ଼ିକ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ବିଭାଗଗୁଡ଼ିକୁ ଆସୁଥିବା ଚିଠି ଇ-ଡେସ୍ପାଚ୍ରେ ରହୁଛି। କିନ୍ତୁ ବିଭାଗରୁ ଯାଉଥିବା ଚିଠି ମାସ ମାସ ଧରି ଅପ୍ଲୋଡ୍ ହେଉନି।
ସରକାରଙ୍କ ଅଧାରୁ ଅଧିକ ବିଭାଗ ଇ-ଡେସ୍ପାଚ୍କୁ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ସଂସ୍କୃତି ବିଭାଗ ପରି କିଛି ବିଭାଗରେ ଆଦୌ ଚିଠି ଇ-ଡେସ୍ପାଚ୍ରେ ନାହିଁ। ବିଜ୍ଞାନ ଓ କାରୀଗରି ବିଭାଗ ପାଖାପାଖି ଦେଢ଼ ବର୍ଷ ତଳେ ଶେଷ ଚିଠି ଅପ୍ଲୋଡ୍ କରିଥିଲା। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଗତ ନଭେମ୍ବର ମାସରେ ଗୋଟିଏ ଚିଠି ଶେଷ ଥର ପାଇଁ ଅପ୍ଲୋଡ୍ ହୋଇଥିଲା। ତାହା ପୂର୍ବରୁ ଜୁଲାଇ ମାସରେ ଗୋଟିଏ ଚିଠି ଅପ୍ଲୋଡ୍ ହୋଇଥିଲା। ପର୍ଯ୍ୟଟନ, କୃଷି ପରି କିଛି ବିଭାଗ ଧର୍ମକୁ ଆଖି ଠାର ନ୍ୟାୟରେ ମାସକୁ ଗୋଟିଏ ଦୁଇଟି ଚିଠି ଅପ୍ଲୋଡ୍ କରି କାମ ସାରି ଦେଉଛନ୍ତି। ସ୍ବାସ୍ଥ୍ୟ, ପୂର୍ତ୍ତ, ରାଜସ୍ବ ବିଭାଗ ପରି କାଁ ଭାଁ କିଛି ବିଭାଗ ନିୟମିତ ଚିଠି ଅପ୍ଲୋଡ୍ କରୁଥିବାର ଦେଖିବାକୁ ମିଳୁଛି।
ବିଭାଗଗୁଡ଼ିକ କାହିଁକି ଇ-ଡେସ୍ପାଚ୍କୁ ଅଣଦେଖା କରୁଛନ୍ତି ତାହା ବୁଝା ପଡ଼ୁ ନାହିଁ। ସବୁଥିରେ ଟେକ୍ନୋଲୋଜି ବ୍ୟବହାରକୁ ସରକାର ଗୁରୁତ୍ବ ଦେଉଥିଲା ବେଳେ ଖୋଦ୍ ଲୋକସେବା ଭବନରେ ବାବୁମାନଙ୍କର ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅଭିେଯାଗ ହେଉଛି ଯେ ସରକାରୀ ଅଧିକାରୀମାନେ ଜାଣିଶୁଣି ଏପରି କାମ କରୁଛନ୍ତି। ଇ-ଡେସ୍ପାଚ୍ରେ ଚିଠି ଅପ୍ଲୋଡ୍ ନ କରିବା ପାଇଁ ବହୁ ଅଧିକାରୀ ଅଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପରି ଚକ୍ରାନ୍ତକାରୀ ଅଧିକାରୀଙ୍କ ମୁଖ୍ୟ ଲକ୍ଷ୍ୟ ହେଲା ସାଧାରଣ ଜନତା ଓ ଗଣମାଧ୍ୟମ କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ନ ଜାଣନ୍ତୁ। ଅଧିକାରୀମାନଙ୍କର ଏପରି ମନୋଭାବ ଗଣତନ୍ତ୍ର ପ୍ରତି ସାଂଘାତିକ ବିପଦ ବୋଲି ସଚେତନ ନାଗରିମାନେ ମତ ଦେଇଛନ୍ତି।
ପ୍ରଶ୍ନ ଉଠୁଛି ଯଦି ମୂଳ ବିଭାଗଗୁଡ଼ିକ ଇ-ଡେସ୍ପାଚ୍କୁ ଏପରି ଖାମଖିଆଲ ଢଙ୍ଗରେ ନେବେ, ତେବେ ବିଭାଗ ଅଧୀନସ୍ଥ ନିର୍ଦ୍ଦେଶାଳୟଗୁଡ଼ିକୁ ଏହା କି ବାର୍ତ୍ତା ଦେବ ? ଯଦି ଇ-ଡେସ୍ପାଚ୍କୁ ସଚିବମାନେ ଗୁରୁତ୍ବହୀନ ଭାବୁଛନ୍ତି, ତା’ହେଲେ ତାହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେଲେ ଅସୁବିଧା କ’ଣ? ଆଉ ଯଦି ଇ-େଡସ୍ପାଚ୍ର ଗୁରୁତ୍ବ ରହିଛି, ତେବେ ସବୁ ବିଭାଗରେ ଏହାକୁ ବାଧ୍ୟତାମୂଳକ କାହିଁକି କରାଯିବନି? ଯେଉଁ ବିଭାଗଗୁଡ଼ିକ ଇ-ଡେସ୍ପାଚ୍କୁ ଗୁରୁତ୍ବ ଦେଉ ନାହାନ୍ତି, ସେଠାରେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ?