ଭୁବନେଶ୍ବର: ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି । ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା । କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର । ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ୍ ମାସରେ ଅଧିକ ସତର୍କତା ଜରୁରୀ । କାରଣ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଫେରୁଛନ୍ତି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବ । ଏଥିସହ ଆଗକୁ ମୌସୁମୀ ଆସୁଥିବାରୁ ଏହା କରୋନା ଭୂତାଣୁକୁ ଆହୁରି ସକ୍ରିୟ କରିପାରେ ।ଏହି କାରଣରୁ ଜୁନ୍ ମାସଟିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିନ୍ତା କରୁଛନ୍ତି ସରକାର ।

Advertisment

publive-image

ଓଡି଼ଶା ଫେରୁଛନ୍ତି ପ୍ରବାସୀ :  ବର୍ତମାନ ଆମ ରାଜ୍ୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ୯୫ ପ୍ରତିଶତ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହଟ ହେଉଛନ୍ତି । ତେଣୁ ପ୍ରବାସୀଙ୍କ ସଂଖ୍ୟା ଯେତେ ବଢିବ ଆକ୍ରାନ୍ତଙ୍କ ସଂଖ୍ୟା ସେତିକି ବଢିବ । ସୋମବାର ସୁଦ୍ଧା ଓଡିଶାକୁ ୪ଲକ୍ଷ ୨୬ ହଜାର ପ୍ରବାସୀ ଫେରିଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବଢିପାରେ ।

କରୋନା ବଢାଇବ ମୌସୁମୀ : ଜୁନ୍ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ । ଗୋଟିଏ ପଟେ ବହୁ ସଂଖ୍ୟାରେ ପ୍ରବାସୀ ଥିବେ । ଆଉ ଗୋଟିଏ ପଟେ ମୌସୁମୀ କରୋନା ଭୂତାଣୁକୁ ଆହୁରି ସକ୍ରିୟ କରିବାରେ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇପାରେ ।

ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି: ମଙ୍ଗଳବାର ଓଡିଶାରେ ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ସ୍ଥାନୀୟ ଲୋକ ଅଛନ୍ତି । ଅର୍ଥାତ୍ ସେମାନେ ବାହାରୁ ଆସିନାହାନ୍ତି କିମ୍ବା ସେମାନେ ସଂଗରୋଧ କେନ୍ଦ୍ରରେ ନଥିଲେ । ଏମାନଙ୍କ ବିଷୟରେ ସରକାର ବିଶେଷ ତଥ୍ୟ ମଧ୍ୟ ଦେଇନାହାନ୍ତି । ଏହାର ଅର୍ଥ ହୋଇପାରେ ସେମାନେ କେମିତି ସଂକ୍ରମିତ ହୋଇଛନ୍ତି ସେବିଷୟରେ ସବିଶେଷ ତଥ୍ୟ ମିଳିପାରିନାହିଁ । ଯଦିଓ ଆମ ଦେଶରେ କିମ୍ବା ଓଡିଶାରେ ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ଠୋସ୍ ତଥ୍ୟ ମିଳିନାହିଁ, କିନ୍ତୁ ସତର୍କ ନହେଲେ ସଂକ୍ରମଣ ବଢିଯାଇପାରେ ।

ଓଡିଶା ସରକାର ଜୁନ୍ ମାସରେ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଅନେକ କଟକଣା ଲଗାଇଛନ୍ତି । ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ କଟକଣାକୁ ଜୁନ୍ ୩୦ ଯାଏ ବଳବତ୍ତର ରଖିଛନ୍ତି । ଏହାଦ୍ୱାରା ଅନେକ ଲୋକ ଆର୍ଥିକ ସଂକଟର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ଯଦି ଏହି ୨୧ ଦିନ ପରେ ବିପଦ କମିବ ହୁଏତ ସରକାରଙ୍କ ଏହି କଟକଣାକୁ ଗ୍ରହଣ କରିବା ପାଇଁ ଅନେକ ରାଜି ହୋଇପାରନ୍ତି ।