ଭୁବନେଶ୍ବର: କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯିବନି। କୌଣସି ମନ୍ତ୍ରୀ କି ମୁଖ୍ୟ ସଚିବ ଗଣମାଧ୍ୟମକୁ ସାମ୍ନା କରିବେନି। ସରକାର କ୍ୟାମେରା ଆଗରେ ଯାହା କହିବା କଥା କହୁଛନ୍ତି। ସେପଟୁ ଅର୍ଥାତ୍ ଗଣମାଧ୍ୟମରୁ ପ୍ରଶ୍ନ ଆସିବାର ନାହିଁ କି ଏପଟୁ ଉତ୍ତର ଦେବାର ଝିନ୍‌ଝଟ୍ ବି ନାହିଁ। ସରକାରୀ କ୍ୟାମେରାରେ ଯାହା ରେକର୍ଡିଂ ହେବ, ତାହା ହିଁ ଗଣମାଧ୍ୟମକୁ ଦିଆଯିବ। ଲୋକସେବା ଭବନର ନୂଆ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ହେଉଛି। ନୂଆ ନିଯୁକ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଘୋଷଣା ଯାଏ। ସେଠାକୁ ବି ଗଣମାଧ୍ୟମକୁ ଅନୁମତି ନାହିଁ। ସରକାର ଯାହା ପଠାଇବେ, ତାହା ହିଁ ଖବର। ଯାହା ପଠାଇବାକୁ ଚାହିଁବେ ନାହିଁ, ତାହା ଖବର ନୁହେଁ।

Advertisment

ଲୋକସେବା ଭବନରୁ ଆରମ୍ଭ ହୋଇଥିବା ଏହି ରୋଗ ମହାମାରୀ ପରି ଭୁବନେଶ୍ବରରେ ହେଉଥିବା ବହୁ ସରକାରୀ କାର୍ଯ୍ୟକ୍ରମକୁ ମାଡ଼ିଗଲାଣି। ରମାଦେବୀ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେଉ କି କଳିଙ୍ଗ ଷ୍ଟାଡିୟମ୍‌ରେ କୌଣସି ମ୍ୟାଚ୍‌, ସବୁଥିରେ ଗଣମାଧ୍ୟମ ଉପରେ କଟକଣା। ସ୍ବାଧୀନତା ଦିବସରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଗଲା। କିନ୍ତୁ ଗଣମାଧ୍ୟମକୁ ବାରଣ। କେବଳ ସରକାର ଯାହା ଭିଡିଓ ଓ ଫଟୋ ଦେବେ ତାହା ହିଁ ଗଣମାଧ୍ୟମ ଦେଖାଇବେ ଏବଂ ରାଜ୍ୟବାସୀ ତାହା ଦେଖିବାକୁ ବାଧ୍ୟ। ଏହା ବାଦ୍ ବିକଳ୍ପ କିଛି ନାହିଁ।

ଏମିତି ଲୁଚାଛପା କାର୍ଯ୍ୟକ୍ରମର ତାଲିକା ହିସାବ କରି ବସିଲେ ସରିବନି। କରୋନା ବେଳେ ମହାମାରୀ ଦେଇଥିବା ସୁଯୋଗକୁ ଏ ଯାଏ ବେଶ୍ ଭରପୂର ଉପଯୋଗ ଓ ଉପଭୋଗ କରିଚାଲିଛନ୍ତି ସରକାର। ଭର୍ଚୁଆଲ୍ ପ୍ଲାଟଫର୍ମ, ଲୋକଙ୍କ ଠାରୁ ଦୂରେଇ ରହିବା ଓ ଗଣମାଧ୍ୟମକୁ ବାରଣ କରିବା ଆଦି ଯେତେସବୁ କାମ କରୋନା ବେଳେ ଆରମ୍ଭ ହୋଇଥିଲା, ସେସବୁକୁ ଏବେ ବି ସରକାର ଗୋଟି ଗୋଟି କରି ପାଳନ କରୁଛନ୍ତି। ଏବେ ବି କ୍ଷମତା କରିଡର୍‌ରେ ଅଛୁଆଁ ରୋଗ ମାଡ଼ିଚାଲିଛି। କରୋନା ପରେ ବେଶ୍ ଯୋଜନାବଦ୍ଧ ଭାବେ ଅଛୁଆଁ ରୋଗକୁ ଆହୁରି ଅଧିକ ଖେଳାଇ ଦିଆଯାଇଛି। ମନ୍ତ୍ରୀ, ସଚିବ ସମସ୍ତେ ବେପରୱା।

କରୋନା ଗଲା, ସରକାରଙ୍କ କଟକଣା ଗଲା ନାହିଁ
କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ନାହିଁ
ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ବାରଣ
‘ଉପର ମହଲ’ କିଏ? ଗଣମାଧ୍ୟମକୁ ଡର କାହିଁକି??

ସବୁଠାରୁ ବଡ଼ କଥା ହେଲା, ଏବେ ସରକାରଙ୍କ କ୍ୟାବିନେଟ୍ ବୈଠକ ଆଉ ବିଧିବଦ୍ଧ ଭାବେ ଲୋକସେବା ଭବନର କ୍ୟାବିନେଟ୍ ରୁମ୍‌ରେ ବସୁନି। କରୋନା ସମୟରୁ ଚାଲିଥିବା ଭର୍ଚୁଆଲ୍ ପ୍ଲାଟଫର୍ମ ଏବେ ବି କାମ କରୁଛି। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରୁ ମନ୍ତ୍ରୀମାନେ। ଆଉ ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର କ୍ୟାବିନେଟ୍ ରୁମ୍‌‌ରେ ରହୁଛନ୍ତି। ମାତ୍ର କିଛି ମିନିଟ୍‌ ମଧ୍ୟରେ ୧୦/୧୫ ଏଜେଣ୍ଡା ପାରିତ ହେଉଛି। ବୈଠକ ପରେ ଜଣେ ଦୁଇ ଜଣ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ତୃତୀୟ ମହଲା ସମ୍ମିଳନୀ କକ୍ଷକୁ ଆସି କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗର କ୍ୟାମେରାରେ ରେକର୍ଡିଂ କରାଉଛନ୍ତି। କିନ୍ତୁ ଗଣମାଧ୍ୟମକୁ ଯେଉଁ ପ୍ରେସ୍ ବିବୃତି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ପଠାଯାଉଛି ସେଥିରେ ଲେଖାଯାଉଛି ‘ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ…’। ମୁଖ୍ୟ ସଚିବ କେଉଁ ଗଣମାଧ୍ୟମକୁ ସୂଚନା ଦେଲେ, ତାହା ଗଣମାଧ୍ୟମ ପ୍ରତିନିଧିମାନେ ଜାଣି ପାରୁ ନାହାନ୍ତି। କରୋନା ପରେ ଲୋକସେବା ଭବନକୁ କେବଳ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ଦିଆଯାଉଛି। ଯଦି ସବୁ ସାମ୍ବାଦିକ ଆସୁନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ କରୁ ନାହାନ୍ତି, ତେବେ ଲୋକସେବା ଭବନ ବାହାରେ ସାମ୍ବାଦିକ ସମ୍ମିଳନୀ କରି କ୍ୟାବିନେଟ୍ ନିଷ୍ପତ୍ତି ଜଣାଇବାରେ କିଛି ଅସୁବିଧା ନାହିଁ। କିନ୍ତୁ ଗଣମାଧ୍ୟମକୁ ସାମ୍ନା କରିବେ ନାହିଁ ବୋଲି ନେଇଥିବା ନିଷ୍ପତ୍ତିରେ ଯେମିତି ସରକାର ଅଟଳ ଅଛନ୍ତି। ସମ୍ଭବତଃ ଓଡ଼ିଶାର ପ୍ରାଶାସନିକ ଇତିହାସରେ ଦୁଇ ଜଣ ମୁଖ୍ୟ ଶାସନ ସଚିବଙ୍କ ନାମ ସବୁବେଳ ପାଇଁ ରହିବ, ଯିଏ କି କେବେ ବି ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଜଣାଇ ନାହାନ୍ତି। ସେମାନେ ହେଲେ ସୁରେଶ ମହାପାତ୍ର ଓ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପି କେ ଜେନା।

ସ୍ବାଧୀନତା ଦିବସ କାହିଁକି ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆର ସୀମିତ କଳେବରରେ କରାଯାଉଛି, ତାହାର ଉତ୍ତର କାହା ପାଖରେ ନାହିଁ। କରୋନା ବେଳେ ଦୁଇ ବର୍ଷ ପାଇଁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ୍ କରାଯାଇ ପ୍ରଦର୍ଶନୀ ପଡ଼ିଆରେ କରାଯାଇଥିଲା। କିନ୍ତୁ କରୋନା ପରେ ବି ସେହି ଧାରା ଜାରି ରହିଛି। ପ୍ରଶ୍ନ ଉଠୁଛି, ଗୋଟିଏ ରାଜ୍ୟର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ କାହିଁକି ଧୁମ୍‌ଧାମ୍‌ରେ ପାଳନ କରାଯିବ ନାହିଁ? ସରକାରଙ୍କର ଏହି ନିଷ୍ପତ୍ତି କିଏ ନେଇଛି ଓ ଏହାର ପଛର ଯୁକ୍ତି କ’ଣ? ପୁଣି ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ବାରଣ କରାଯିବା ବି ଆହୁରି ରହସ୍ୟଜନକ। ସବୁବେଳେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ସ୍ବତନ୍ତ୍ର ପାସ୍ ଦିଆଯାଇ କଭରେଜ୍ ପାଇଁ ସୁଯୋଗ ଦିଆଯାଏ। କିନ୍ତୁ ଏବେ ତାହା ବନ୍ଦ କରାଯିବା ଦ୍ବାରା ସରକାରଙ୍କର କି ସ୍ବାର୍ଥ ସାଧନ ହେଉଛି ବୋଲି ବହୁ ସଚେତନ ନାଗରିକ ପ୍ରଶ୍ନ କରିଛନ୍ତି। ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା ଯେ ଏମିତି ସବୁ କଟକଣା କରିବାକୁ କିଏ ନିର୍ଦ୍ଦେଶ ଦେଉଛି, ତାହାର ସ୍ପଷ୍ଟ ଉତ୍ତର କୌଣସି ସ୍ତରରେ ମିଳୁନି। ଆୟୋଜକଙ୍କ ଗୋଟିଏ ଉତ୍ତର, ‘ଉପରୁ ନିର୍ଦ୍ଦେଶ ଅଛି।’ ସେହି ଉପର କିଏ, ତାହା ରହସ୍ୟରେ ରହିଯାଇଛି। ଗଣମାଧ୍ୟମକୁ ଏତେ ଭୟ କାହିଁକି ?