ଯାଜପୁର/ବରୀ: ରାଜନୈତିକ ଛକାପଞ୍ଝା, ଦୂରଦୃଷ୍ଟି ଅଭାବ ଯୋଗୁ କୋଟି କୋଟି ଟଙ୍କାର ପ୍ରକଳ୍ପ ବର୍ଷ ବର୍ଷ ଧରି କାର୍ଯ୍ୟକାରୀ ହୋଇପାରୁନି। ଯାଜପୁର ଜିଲ୍ଲାର ଡଙ୍କାରୀରେ ୬୫୦୦କୋଟି ଟଙ୍କାର ଅଶୋଧିତ ତୈଳଭଣ୍ଡାର ପ୍ରକଳ୍ପ ହୋଇନପାରିବା ଭଳି ୪୩୮୦କୋଟି ଟଙ୍କାର ୫ନମ୍ବର ଜାତୀୟ ଜଳପଥ ଯୋଜନା ମଧ୍ୟ ବାଟ ହୁଡ଼ିଛି। କେନ୍ଦ୍ର ସରକାରଙ୍କ ଏହି ଦୁଇଟି ବୃହତ ପ୍ରକଳ୍ପ ଯାଜପୁର ଜିଲ୍ଲାର ବିକାଶକୁ ଗତିଶୀଳ କରାଇ ପାରିଥା’ନ୍ତା। ମାତ୍ର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ତା’ସହିତ ସ୍ଥାନୀୟ ନିଯୁକ୍ତି ସହିତ ଆର୍ଥିକ ସମୃଦ୍ଧି ଯୋଜନା ବି ବାଧାପ୍ରାପ୍ତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୦୮ ମସିହାରୁ ପ୍ରସ୍ତାବିତ ୫ ନମ୍ବର ଜଳପଥ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୧୫ରେ ଶେଷ ହେବାର ଲକ୍ଷ୍ୟ ଥିବାବେଳେ ୨୦୦୧୭-୧୮ ମସିହା ସୁଦ୍ଧା ଏହି ଜଳପଥରେ ୨୫.୪୨ବିଲିୟନ୍ ଟନ୍ ସାମଗ୍ରୀ ପରିବହନ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକଳ୍ପ ଦ୍ବାରା ଯାଜପୁର ସହିତ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲାର ସିଧାସଳଖ ବିକାଶ ସହିତ ରାଜ୍ୟର ଜଳପଥର ବିକାଶରେ ନୂତନ ଯୁଗ ଆରମ୍ଭ ହୋଇଥାନ୍ତା। ବ୍ରାହ୍ମଣୀ -ମହାନଦୀର ତ୍ରିକୋଣ ଭୂମି ଓ ପୂର୍ବତଟ କେନାଲର ବିକାଶ ଯୋଜନା ରହିଥିଲା। ଯୋଜନାର ପ୍ରାରମ୍ଭିକ ପ୍ରସ୍ତାବ ଅନୁଯାୟୀ ନଦୀ ପଥରେ ୩୭୧ କିମିର ବିକାଶ ପାଇଁ ୨୨୩୦କୋଟି ଟଙ୍କା ଓ କେନାଲର ୨୧୭କିମି ବିକାଶ ପାଇଁ ୧୯୭୯କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ଜରିଆରେ ବ୍ରାହ୍ଣଣୀର ଶାଖା ଖରସ୍ରୋତା, ତନ୍ତିଘାଇ ନଦୀର ଏରଡ଼ା ଠାରେ ଏହି ଯୋଜନା ସଫଳ କରିବାକୁ ଏକ ଅସ୍ଥାୟୀ ବନ୍ଦର ନିର୍ମାଣ ଆରମ୍ଭ ହୋଇଥିଲା। ବରୀ ବ୍ଲକ୍ ବୋଦୁଅ ପଞ୍ଚାୟତର ଏରଡ଼ା ଠାରେ ଅସ୍ଥାୟୀ ବନ୍ଦର ସ୍ଥାପନ କରାଯାଇ ସ୍ଥଳପଥରେ ବିଭିିନ୍ନ ଅଞ୍ଚଳରୁ ଖଣିଜ, ସାର ଓ ଅନ୍ୟାନ୍ୟ ସାମଗ୍ରୀ ଏହି ବନ୍ଦରକୁ ଆସିବା ପରେ ଧାମରା ଓ ପାରାଦୀପ ବନ୍ଦର ବାଟେ ପରିବହନ ହୋଇଥା’ନ୍ତା। ପାରାଦୀପ ଓ ଧାମରା ବନ୍ଦର ସହିତ କଳିଙ୍ଗନଗର ଇସ୍ପାତ ରାଜଧାନୀକୁ ଯୋଡିବା ପାଇଁ କାମ ଆରମ୍ଭ ହେବାର କିଛି ଦିନ ପରେ ୨୦୧୬ ମସିହାରୁ ୪ ବର୍ଷ ହେଲା ଠିକାଦାର ବିବାଦ ଯୋଗୁଁ କାମ ଠପ୍ ହୋଇଯାଇଛି।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ଦେଶରେ ୧୦୬ଟି ଜାତୀୟ ଜଳପଥର ପରିକଳ୍ପନା କରି ଯୋଜନା ଆରମ୍ଭ କରିଥିଲେ। ଗଙ୍ଗାନଦୀରେ ୧ନମ୍ବର ଜାତୀୟ ଜଳପଥ ୧୬୨୦କିିମି, ୨ନମ୍ବର ଜଳପଥ ବ୍ରହ୍ମପୁତ୍ର ନଦୀରେ ୮୯୧କିମି, ୩ନମ୍ବର ଜଳପଥ ୱେଷ୍ଟକୋଷ୍ଟ କେନାଲରେ ୨୦୫କିମି ଓ ୪ନମ୍ବର ଜଳପଥ ଗୋଦାବରୀ, କୃଷ୍ଣା, କାକିନଡ଼ା, କୁଦୁଚେରୀ କେନାଲରେ୧୦୬୮କିମି କାର୍ଯ୍ୟକାରୀ କରି ଜାତୀୟ ବିକାଶରେ ବ୍ୟବହାର ହେଲାଣି। ଅଥଚ ଓଡ଼ିଶାରେ ଏହି ୫ନମ୍ବର ଜାତୀୟ ଜଳପଥ ଠିକାଦାର ବିବାଦ, ଜମି ଅଧିଗହଣ, ଧାମରା ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅସହଯୋଗ ସହିତ ସରକାରଙ୍କ ଆନ୍ତରିକତା ଅଭାବରୁ ଜନ୍ମ ପୂର୍ବରୁ ଅପମୃତ୍ୟୁ ହେବାକୁ ଯାଉଛି। ଏଥିପ୍ରତି ସ୍ଥାନୀୟ ରାଜନେତା ଓ ପ୍ରଶାସନର ନଜର ନାହିଁ। ବର୍ତ୍ତମାନ ଚାଲିଥିବା କେତେକ ଲୋକଦେଖାଣିଆ ବିକାଶ ଜିଲ୍ଲା ଓ ରାଜ୍ୟର ସମୃଦ୍ଧିରେ ସହାୟକ ହୋଇପାରିବ କି ବୋଲି ପ୍ରଶ୍ନ ହେଉଛି।