ଓଡ଼ିଆ ଭାଷାକୁ ଅଣଦେଖା କାହିଁକି? ସୀମାନ୍ତରେ ରେଲୱେ ବୋର୍ଡର ମନମାନି ନେଇ ଭୀଷଣ ପ୍ରତିକ୍ରିୟା

ଓଡ଼ିଆ ନାମଫଳକର ପୁନରୁଦ୍ଧାର ଦାବି କଲେ ଡ. ଦିନେଶ ଷଡ଼ଙ୍ଗୀ

ଭୁବନେଶ୍ବର : ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ରେଳ ମନ୍ତ୍ରଣାଳୟ ଓଡ଼ିଆ ଭାଷାକୁ ଅଣଦେଖା କରୁଥିବା ନେଇ ଅଭିଯୋଗ ଉଠିଛି। ମୟୂରଭଞ୍ଜ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରେଳଷ୍ଟେସନରେ ପୂର୍ବରୁ ଓଡ଼ିଆ ଭାଷାରେ ନାମ ଫଳକ ଥିଲା। ଏବେ କିନ୍ତୁ ଏଭଳି ଫଳକ ନାହିଁ। ତେଣୁ ରେଲୱେ ବୋର୍ଡ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଝାଡ଼ଖଣ୍ଡର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଦିନେଶ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଏବଂ ରେଲୱେ ବୋର୍ଡର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଓଡ଼ିଶାରେ ମଧ୍ୟ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ଓଡ଼ିଆ ଭାଷାରେ ଲିଖିତ ବୋର୍ଡ ପରିବର୍ତ୍ତନ ହେଲା, ସେ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଲାଣି।

ଡ. ଷଡ଼ଙ୍ଗୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଚକୁଳିଆ(କାନୁମୋହୁଲି ହଲ୍‌ଟ)ରୁ ପୂର୍ବ ସିଂହଭୂମରେ ଥିବା ଖଡ଼ଗପୁର ରେଲୱେ ଡିଭିଜନ ଅନ୍ତର୍ଗତ ଟାଟା ନଗର ପର୍ଯ୍ୟନ୍ତ ରେଳ ଷ୍ଟେସନଗୁଡ଼ିକରେ ଅନ୍ୟ ଭାଷା ସହ ଓଡ଼ିଆରେ ନାମ ଫଳକ ଲେଖାଯାଉ। ଏନେଇ ଝାଡ଼ଖଣ୍ଡ ବିଧାନସଭାର ବିରୋଧୀ ଦଳର ପୂର୍ବତନ ବିଧାୟକ କୁନାଲ ଷଡ଼ଙ୍ଗୀଙ୍କ ଦ୍ବାରା ଡକାଯାଇଥିବା ଦକ୍ଷିଣ-ପୂର୍ବ ରେଲୱେ ଜୋନାଲର ପରାମର୍ଶଦାତା ବୈଠକରେ ଦାବି ଉଠିଥିଲା। ସେ ବହୁବାର ଚିଠି ଲେଖିଛନ୍ତି। ହେଲେ କିଛି ସୁଫଳ ମିଳିନି।

ଡ. ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ଟାଟାନଗର, ଘଟଶିଳା, ଧଳବୁମଗଡ଼ ଏବଂ ଚକୁଳିଆ ଷ୍ଟେସନଗୁଡ଼ିକରେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାର ଲୋକମାନେ ଯାତାୟାତ କରନ୍ତି। ଏହା ସେମାନଙ୍କ ପାଇଁ ମୁମ୍ବାଇ-ହାଓଡା ମୁଖ୍ୟ ଲାଇନ୍। ହେଲେ ଏଠାରେ କୌଣସି ଷ୍ଟେସନରେ ଓଡ଼ିଆରେ ନାମଫଳକ ନାହିଁ।

ଅପରପକ୍ଷେ ରେଳ ବଜେଟ୍‌ରେ ବୁଦାମରା-ଚକୁଳିଆ ରେଳ ଲାଇନ୍‌ରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଚଳିତ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହୋଇଛି। ଏବେ ରେଲୱେ କ୍ବାର୍ଟର୍ସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆସରିଛି। ପରବର୍ତ୍ତୀ ସମୟରେ ଚକୁଳିଆ ଏକ ରେଳ ଜଙ୍କସନ୍ ହେବ। ଏବେ ଟାଟା-ବାଦାମପାହାଡ଼ ରେଳ ଲାଇନ୍ ଏବଂ ରାଜଖରସାୱନ-ବଡ଼ବିଲ ରେଲୱେ ଲାଇନ୍ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବାବେଳେ ଟାଟାନଗର ଓ ରାଜଖରସାୱନରେ ଏହାର ଜଙ୍କସନ୍ ଅଛି।

d.indiarailinfo.com

କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ସାଂସଦଙ୍କ ଚାପରେ ଉପରୋକ୍ତ ଷ୍ଟେସନ ଓ ଜଙ୍କସନ୍‌ରେ ଇଂରାଜୀ, ହିନ୍ଦୀ, ବଙ୍ଗଳା, ସାନ୍ତାଳି(ଓଲଚିକି) ଭାଷାରେ ନାମ ଫଳକ ଲାଗିବା ସହ ଘୋଷଣା ହେବ। ଏଠାରେ ଓଡ଼ିଆ ଭାଷାରେ ନାମ ଫଳକ ଲାଗିବନି କି ରେଳୱେ ପକ୍ଷରୁ ଟ୍ରେନ୍ ସୂଚନା ସମ୍ପର୍କିତ ଘୋଷଣା ହେବନି। ଯେତେବେଳେକି ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ଓଡ଼ିଆ ଏକ ସ୍ବୀକୃତିପ୍ରାପ୍ତ ଭାଷା ଏବଂ ଝାଡ଼ଖଣ୍ଡ ଦ୍ବିତୀୟ ସରକାରୀ ଭାଷା। ସେବେ ଉପରୋକ୍ତ ଭାଷା ସହ ଓଡ଼ିଆ ଭାଷାରେ ଏଠାରେ ନାମଫଳକ ଲେଖାଗଲେ ଓ ଘୋଷଣା କରାଗଲେ କୌଣସି ଅଭିଯୋଗ କି ପ୍ରତିବାଦ ରହିବନି ବୋଲି ଡ. ଷଡ଼ଙ୍ଗୀ କହିଛନ୍ତି।

ଏହାକୁ ନଜରରେରଖି ଆମେ ଅନୁରୋଧ କରୁଛୁ ଯେ, ଚକୁଳିଆରୁ ଟାଟାନଗର ପର୍ଯ୍ୟନ୍ତ ଷ୍ଟେସନଗୁଡ଼ିକରେ ଅନ୍ୟ ଭାଷା ସହ ଓଡ଼ିଆରେ ରେଳ ଷ୍ଟେସନର ନାମ ଫଳକ ଲେଖିବା, ଓଡ଼ିଆରେ ଟିକେଟ୍ ଛାପିବା ଓ ଘୋଷଣା କରିବା ନେଇ ରେଳ ମନ୍ତ୍ରଣାଳୟ ଓ ରେଲୱେ ବୋର୍ଡ ପକ୍ଷରୁ ତୁରନ୍ତ ନିର୍ଦ୍ଦେଶନାମା ଜାରି କରନ୍ତୁ। ଏହାଦ୍ବାରା ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ସଂଖ୍ୟାଲଘୁଙ୍କର ସାମ୍ବିଧାନିକ ଅଧିକାର ଅକ୍ଷୁଣ୍ଣ ରହିବ ବୋଲି ଡ. ଷଡ଼ଙ୍ଗୀ କହିଛନ୍ତି।

ସେ ଆହୁରି କହିଛନ୍ତି, ବ୍ରିଟିସ୍ ଶାସନ ସମୟରେ ସିଂହଭୂମରୁ ଆରମ୍ଭ କରି ଜରେଇକେଲା, ଗୋଏଲକେରାରୁ ଚକୁଳିଆ ପର୍ଯ୍ୟନ୍ତ ସବୁ ଷ୍ଟେସନରେ ଓଡ଼ିଆରେ ନାମ ଫଳକ ଥିଲା। କିଛି ଦୁର୍ବୃତ୍ତଙ୍କ ବିବାଦ ଯୋଗୁଁ ୧୯୭୦ରେ ଓଡ଼ିଆ ନାମଫଳକଗୁଡ଼ିକୁ ଲିଭାଇ ଦିଆଯାଇଥିଲା। ଏହାପରେ ଆମେ ପ୍ରତିବାଦ କରିବାରୁ କେନ୍ଦ୍ର ଉପମନ୍ତ୍ରୀ ସି.ପି ମାଝୀଙ୍କ ହସ୍ତକ୍ଷେପ ଯୋଗୁଁ ଓଡ଼ିଆ ଭାଷାର ପୁନରୁଦ୍ଧାର ହୋଇଥିଲା। ଦୁର୍ଭାଗ୍ୟବଶତଃ ୧୯୮୦ରେ ସବୁ ରେଳ ଷ୍ଟେସନର ନାମଫଳକ ଓ ଟିକେଟ୍‌ରୁ ଓଡ଼ିଆ ଭାଷାକୁ ହଟାଇ ଦିଆଯାଇଥିଲା।‌

ସମ୍ବନ୍ଧିତ ଖବର