ରାକେଶ ରୋଷନ ମହାନ୍ତି
ଅନୁଗୁଳ: ‘ଋତୁସ୍ରାବ ଭାରି ଯନ୍ତ୍ରଣାଦାୟକ। ଏପଟେ ସାନିଟାରି ନାପକିନ୍ କିଣି ହେଉନି ବୋଲି ସପ୍ତାହେ ଯାଏ କଷ୍ଟ ଭୋଗିବାକୁ ପଡ଼ୁଛି। ଘରେ ବସିବା ଛଡ଼ା ସ୍କୁଲ୍ ବି ଯାଉ ହେଉନି।’ ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାର ଏକ ଆଦିବାସୀ ପଡ଼ାର ଜଣେ ସ୍କୁଲ୍ ଛାତ୍ରୀ ‘ସମ୍ବାଦ’ ପ୍ରତିନିଧିଙ୍କ ସାମ୍ନାରେ ଋତୁସ୍ରାବ ସମୟର ଦୁଃଖଦ ଅନୁଭୂତି ବଖାଣିଥିଲେ। ସାରା ରାଜ୍ୟରେ ଯେତେବେଳେ ଓଡ଼ିଶା ସରକାରଙ୍କ ‘ଖୁସି’ ଯୋଜନା କାର୍ଯ୍ୟକାରୀ ହେଉଥିବା ସେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନଙ୍କ ପାଖରେ ନା ସରକାରୀ ନାପ୍କିନ୍ କେବେ ପହଞ୍ଚିଛି ନା ବଜାରରୁ କିଣି ଆଣିବା ଭଳି ସୁବିଧା ସେମାନଙ୍କ ପାଖରେ ଅଛି। ସେଥିପାଇଁ ଅଧିକାଂଶ ମହିଳା, ଯୁବତୀ ଆଜି ବି ସାଧାରଣ କପଡ଼ା ବ୍ୟବହାର କରୁଥିବା ପ୍ରକାଶ କରିଥିଲେ।
ବଣପାହାଡ଼ ଘେରା ଅନୁଗୁଳ ବ୍ଲକ୍ ନନ୍ଦପୁର ପଞ୍ଚାୟତର ପବଲା ଗାଁରେ ‘ଖୁସି’ କଣ କେହି ଜାଣନ୍ତିନି। ଥରେ କରତପଟା ଅଙ୍ଗନବାଡ଼ି କର୍ମୀ ସ୍କୁଲ୍ରେ ପଢ଼ୁଥିବା ୨/୩ଜଣ ଛାତ୍ରୀଙ୍କୁଗୋଟାଏ ଲେଖାଏଁ ସାନିଟାରି ନାପକିନ୍ ଦେଇଥିଲେ। ତା’ ପରଠାରୁ ଆଉ କେବେ କାହାର ଦେଖାନାହିଁ। ଥରେ ମିଳିଥିବା ନାପକିନ୍ କେତେଦିନ ଯିବ ବୋଲି ସେମାନେ ପଚାରିଥିଲେ। ଗାଁର ଅଧିକାଂଶ ବିବାହିତାଙ୍କ ବୟସ ୩୦ ଭିତରେ। ଆଦିବାସୀ ଜନଜାତିର ହୋଇଥିବାରୁ ସେମାନଙ୍କର କମ୍ ବୟସରେ ବିବାହ ହୋଇଥିବା କିଛି ଜଣ କହିଛନ୍ତି। ପାଠ ପଢ଼ିବାର ସୁଯୋଗ ସେମାନଙ୍କ ଭାଗ୍ୟରେ ଜୁଟିନି। ଗାଁଟି ପାହାଡ଼ ଉପରେ ହୋଇଥିବାରୁ ସେଠାକୁ ପ୍ରାୟତଃ କେହି ଯାଉ ନାହାନ୍ତି। ଗାଁଠାରୁ ୫/୬ କି.ମି ଦୂରରେ କରତପଟାରେ ସ୍କୁଲ୍ ଅଛି। ହେଲେ ହାତୀ ଓ ବନ୍ୟଜନ୍ତୁଙ୍କ ଭୟ ଥିବାରୁ ପିଲାମାନେ ସ୍କୁଲ୍ ଯାଉନାହାନ୍ତି। କିଛି ବର୍ଷ ତଳେ ସରକାରଙ୍କ ପକ୍ଷରୁ କିଛି ପୁଅ ଓ ଝିଅଙ୍କୁ ଜନଜାତି ଆବାସିକ ବିଦ୍ୟାଳୟରେ ରଖାଯାଇ ପାଠ ପଢ଼ା ଯାଇଥିଲା।
ଋତୁସ୍ରାବ ସମ୍ପର୍କିତ ସଚେତନତା ଆଜି ବି ଗାଁର କିଶୋରୀ ଓ ମହିଳାଙ୍କ ନିକଟରେ ପହଞ୍ଚିନାହିଁ।
ଋତୁସ୍ରାବ ସମୟରେ କିଭଳି ନିଜକୁ ସ୍ବଚ୍ଛ ଓ ସୁସ୍ଥ ରଖାଯାଇ ପାରିବ ସେନେଇ ସେମାନେ ଜାଣିନାହାନ୍ତି। ଗାଁର ପୁରୁଷମାନେ କିଏ ଦାଦନ ଖଟି ଯାଇଛନ୍ତି, ତ କିଏ ପର ଗାଁରେ ମୂଲ ଲାଗିବାକୁ ଯାଉଛନ୍ତି। ତେଣୁ ଘର ପାଇଁ ସାନିଟାରି ନାପକିନ୍ କିଣିବା ସମ୍ଭବପର ହେଉନାହିଁ ବୋଲି ଗାଁର ଲବଙ୍ଗ ପଧାନ (୨୯) କହିଛନ୍ତି। ସେହିପରି ଗାଁରୁ ବଜାର ଦୂର ହୋଇଥିବାରୁ ଓ ମହିଳାମାନଙ୍କ ପାଖରେ ସେତିକି ସୁଯୋଗ ନଥିବାରୁ ନାପକିନ୍ ଯାଇ କିଣିବା ଅସମ୍ଭବ ହୋଇଥିବା ପୁଷ୍ପଲତା ପଧାନ (୨୭) କହିଛନ୍ତି। କଲେଜ ପଢ଼ୁଆ ରେବତୀ ପଧାନ (୧୮) କହିଛନ୍ତି, ଘରେ ପୁରୁଷ ଲୋକ ନାହାନ୍ତି। ତେଣୁ ବଜାରକୁ ଯିବା ସମ୍ଭବ ନୁହେଁ। ଘରେ ଅନ୍ୟମାନେ କପଡ଼ା ବ୍ୟବହାର କରୁଛନ୍ତି। ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ଭଳି କପଡ଼ା ବ୍ୟବହାର କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ମମତା ପଧାନ (୨୯), ଯଶୋବନ୍ତୀ ପଧାନ (୧୭), କୁନିତା ପଧାନ (୧୭), ଚଞ୍ଚଳା ପଧାନ (୨୦) ଓ ପବନି ପଧାନ (୧୬) ପ୍ରମୁଖ ଗାଁର ବହୁ ଜଣଙ୍କର ସମାନ କଥା।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଠିକ୍ ୫ବର୍ଷ ତଳେ ୨୦୧୯ ମସିହାରେ ‘ଖୁସି’ ଯୋଜନା ଲାଗୁ କରାଯାଇଥିଲା। ସେହିବର୍ଷ ଫେବ୍ରୁଆରି ମାସରେ କ୍ୟାବିନେଟ୍ ୫ବର୍ଷ ଯାଏଁ ଏହି ଯୋଜନାରେ ଖର୍ଚ୍ଚ ପାଇଁ ୪୬୬.୦୮ କୋଟି ଟଙ୍କା ମଞ୍ଜୁର କରିଥିଲା। ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ସହିତ ଜବାହର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଙ୍କୁ ମାଗଣାରେ ମାସିକ ୧୮ଟି ସାନିଟାରି ନାପକିନ୍ ଦିଆଯିବା ସହ ଗ୍ରାମାଞ୍ଚଳ ମହିଳାଙ୍କୁ ଆଶାକର୍ମୀଙ୍କ ଜରିଆରେ ୧ଟଙ୍କା ବିନିମୟରେ ସାନିଟାରି ନାପକିନ୍ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।