ଲିବର୍ଟି ହାଉସକୁ ଏତେ ଅନୁକମ୍ପା କାହିଁକି ?  ମାଡ଼ିବସିଛି ୫୦ ଏକର ସରକାରୀ ଜମି

ଯାଞ୍ଚ କରିବାକୁ ତହସିଲଦାରଙ୍କ ପଛଘୁଞ୍ଚା!

ରାଉରକେଲା: କୁଆରମୁଣ୍ଡା ଚାର୍ଡିହରିପୁରସ୍ଥ ଲିବର୍ଟି ହାଉସ୍‌ କାରଖାନା ପକ୍ଷରୁ ଚାଲିଥିବା ବେଆଇନ ଜମି ଅଧିଗ୍ରହଣ ଉପରେ ଅଙ୍କୁଶ ଲାଗୁନି। ଜିଲ୍ଲା ପ୍ରଶାସନ ପକ୍ଷରୁ କାରଖାନାକୁ ଯେତିକି ଜମି ଅଧିଗ୍ରହଣ କରିବାକୁ ଅନୁମତି ମିଳିଥିଲା,  ତା’ଠାରୁ ପ୍ରାୟ ୫୦ ଏକର ମୂଲ୍ୟବାନ ସରକାରୀ ଜମି ମାଡ଼ିଛି। ତା’ପୁଣି ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ। କାରଖାନା ଇତିମଧ୍ୟରେ କିଛି ଜମି ପାର୍ଶ୍ବରେ ପାଚେରି ନିର୍ମାଣ କରି ନିଜ କବ୍‌ଜାକୁ ନେଇ ସାରିଛି। ଆଉ କିଛି ଜମିକୁ ତାରବାଡ ଓ ସିମେଣ୍ଟ ଖୁଣ୍ଟି ସହାୟତାରେ ଘେରାବନ୍ଦୀ କରି ରଖିଛି।

କାରଖାନା ମୁଖ୍ୟ ଗେଟ୍‌ରୁ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ସରକାରୀ ଜମିକୁ  ଅକ୍ତିଆର ହୋଇ ସାରିଛି। ଜାତୀୟ ରାଜପଥ କଡ଼ରେ ଓ ପ୍ରକାଶ୍ୟରେ ଏହି ବେଆଇନ ଜମି ହଡ଼ପ ଚାଲିଥିଲେ ହେଁ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ନେଇ ସାଂସଦଙ୍କ ସମେତ ସ୍ଥାନୀୟ ବିଧାୟକ ମଧ୍ୟ କଡ଼ା ଅଭିଯୋଗ କରି ସାରିଛନ୍ତି। କିନ୍ତୁ କୁଆରମୁଣ୍ଡା ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। କୁଆରମୁଣ୍ଡାରେ ଜଣେ ପରେ ଜଣେ ତହସିଲଦାର ଯୋଗ ଦେଉଛନ୍ତି। ବେଆଇନ ଜମି ଦଖଲ ଅଭିଯୋଗର ତଦନ୍ତ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସମୟ ଗଡ଼ାଇବାଲାଗି କେବଳ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଚୁପ୍‌ ବସୁଛନ୍ତି। ପରବର୍ତ୍ତୀ ସମୟରେ ବଦଳି ହୋଇ ଚାଲିଯାଉଛନ୍ତି।

ଏହାର ଭରପୂର ଫାଇଦା ଉଠାଉଛନ୍ତି କାରଖାନା କର୍ତ୍ତୃପକ୍ଷ। ତହସିଲ କର୍ତ୍ତୃପକ୍ଷ ଓ କାରଖାନା ଭିତରେ ସଲାସୁତରାରେ ବିଦ୍ଧିବଦ୍ଧ ଭାବେ ଏସବୁ ଚାଲିଛି ବୋଲି ଅଭିଯୋଗ ହେଉଛି। ମାମଲା ସେତିରେ ସରି ଯାଇନି, ଆହୁରି ଆଶ୍ଚର୍ଯ୍ୟ କଥା, କାରଖାନା କିଛି ବ୍ୟକ୍ତିଗତ ଜମିକୁ ମଧ୍ୟ ଦଖଲ କରିଥିବାର ଅଭିଯୋଗ ମଧ୍ୟ ରହିଛି। କିନ୍ତୁ ଲୋକଙ୍କୁ ତାଙ୍କ ଜମି ବାବଦରେ ଟଙ୍କା ମିଳିନାହିଁ। ଜମି ହରାଇଥିବା କିଛି ସ୍ଥାନୀୟ ଲୋକ ଏ ବାବଦର ସ୍ଥାନୀୟ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି। ଏତେସବୁ ଅଭିଯୋଗ ପ‌ରେ ମଧ୍ୟ ଲିବର୍ଟି ହାଉସ୍‌ କାରଖାନା ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅହେତୁକ ଅନୁକମ୍ପା ଦେଉଥିବା ଅଭିଯୋଗ ହେଉଛି।

ଉଲ୍ଲେଖନୀୟ ଯେ କୁଆରମୁଣ୍ଡାରେ ଲିବର୍ଟି ହାଉସ୍‌ କାରଖାନା ମାଡ଼ିବସିଥିବା ସରକାରୀ ଓ ଘରୋଇ ଜମିର ବଜାର ମୂଲ୍ୟ ପାଖାପାଖି ୧୦୦ କୋଟିରୁ ଅଧିକ ହେବ ବୋଲି କୁହା ଯାଉଛି। ମଜା କଥା ହେଉଛି, କାରଖାନା ଦ୍ବାରା ଜମି ହଡ଼ପ ସଂକ୍ରାନ୍ତରେ କୁଆରମୁଣ୍ଡାର ତହସିଲଦାର ଡକ୍ଟର ରାଜେଶ ସାହୁଙ୍କୁ ପଚାରିବାରେ ପ୍ରାୟ ୧୫ ଦିନ ତଳେ ‘ସମ୍ବାଦ’କୁ ସେ କହିଥିବା ନିଜ ବକ୍ତବ୍ୟକୁ ଦୋହରାଇଛନ୍ତି, ‘‘କାର୍ଯ୍ୟ ବ୍ୟସ୍ତତା ଥିବାରୁ କାରଖାନାର କାଗଜପତ୍ର ଯାଞ୍ଚ କରିପାରି ନାହିଁ। କାଗଜପତ୍ର ଯାଞ୍ଚ କରିବା ପରେ କାରଖାନା କର୍ତ୍ତୃପକ୍ଷ ବେଆଇନ ଭାବେ ଜମି ମାଡ଼ିବସିଛି କି ନାହିଁ କହିପାରିବି।’’ ସେପଟେ କାରଖାନା କେବଳ ସରକାରୀ ଓ ବେସରକାରୀ ଜମି ମାଡ଼ିବସି ନାହିଁ, ସ୍ଥାନୀୟ ନିଯୁକ୍ତିକୁ ମଧ୍ୟ ଅଣଦେଖା କରିଛି ବୋଲି ପ୍ରବଳ ଅଭିଯୋଗ ହେଉଛି।

ପୁଣି ପାରିପାର୍ଶ୍ବିକ ବିକାଶ ପାଣ୍ଠି (ସିଏସ୍ଆର୍)ରୁ ମଧ୍ୟ ଟଙ୍କାଟିଏ ସ୍ଥାନୀୟ ଅଞ୍ଚଳରେ ଖର୍ଚ୍ଚ କରାଯାଉ ନାହିଁ। କୁଆରମୁଣ୍ଡା ବ୍ଲକ ନିକଟରେ କାରଖାନା ପୂର୍ବର ପୂର୍ବ ମାଲିକ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ। ଏହି ପ୍ରକଳ୍ପରୁ ହଜାର ହଜାର ଲୋକ ଉପକୃତ ହେଉଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚାର୍ଡିହରିହରପୁର ଠାରେ ୧୮ ବର୍ଷ ତଳେ ଆଧୁନିକ ମେଟାଲିକ୍ସ କାରଖାନା ପ୍ରତିଷ୍ଠା ହୋଇଥିଲା। ଅତ୍ୟଧିକ ଋଣ ଭାର ଓ ଅନ୍ୟାନ୍ୟ କାରଣରୁ କାରଖାନା ବନ୍ଦ ହୋଇଯାଇଥିଲା। କାରଖାନାରେ କାମ କରୁଥିବା ଶ୍ରମିକମାନେ କର୍ମସଂସ୍ଥାନ ହରାଇଥିଲେ। କିଛି ସ୍ଥାୟୀ ଶ୍ରମିକ ନିଜର ବକେୟା ଦରମା ଓ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଆନ୍ଦୋଳନ ଜାରି ରଖିଥିଲେ। ଗତ ୨୦୧୮ ଏପ୍ରିଲରେ ଇଂଲଣ୍ଡର ଲିବର୍ଟି ହାଉସ ଏହି କାରଖାନାକୁ ୪୬୦ କୋଟି ଟଙ୍କାରେ କିଣିବାକୁ ରାଜି ହୋଇ ୨୦୨୦ରେ ଏହାକୁ କିଣିଥିଲେ। ଏବେ କାରଖାନାରେ ପ୍ରାୟ ୧୧୦୦ ସ୍ଥାୟୀ  ଓ ୨୦୦ରୁ ଅଧିକ ଅସ୍ଥାୟୀ ଶ୍ରମିକ କାମ କରୁଛନ୍ତି। କାରଖାନାର ମୋଟ୍‌ ୧୧ ୟୁନିଟ୍ ମଧ୍ୟରୁ ବର୍ତ୍ତମାନ ୩ଟି ୟୁନିଟ୍ କାର୍ଯ୍ୟକ୍ଷମ ରହିଛି।

ସମ୍ବନ୍ଧିତ ଖବର