ପ୍ରାଥମିକ ଶିକ୍ଷାରେ ସମ୍ବଲପୁର ପଛୁଆ କାହିଁକି?

ଦେଶର ଦୁର୍ବଳ ଜିଲ୍ଲା ଗୁଡ଼ିକ ମଧ୍ୟରେ ଅନ୍ୟତମ, ରାଜ୍ୟର ସବା ତଳେ ସମ୍ବଲପୁର

ସମ୍ବଲପୁର : ଦେଶର ସରକାରୀ ସ୍କୁଲ୍ ଗୁଡ଼ିକରେ ପ୍ରାଥମିକ ଶିକ୍ଷାର ସ୍ଥିତି ସଂପର୍କରେ ଜାତୀୟ ଶୈକ୍ଷିକ ଅନୁସଂଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ବାରା କରା ଯାଉଥିବା ଜାତୀୟ ଉପଲବ୍‌ଧି ସର୍ବେକ୍ଷଣ (ନାସ୍‌)ରେ ଓଡ଼ିଶାର ସ୍ଥାନ ଜାତୀୟ ସ୍ତରରେ ଯଥେଷ୍ଟ ତଳେ ରହିଛି। ତୃତୀୟ, ପଞ୍ଚମ ଓ ଅଷ୍ଟମ ତିନିଟି ଶ୍ରେଣୀର ପ୍ରଦର୍ଶନକୁ ନେଇ ହେଉଥିବା ସର୍ଭେରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରାହାରିର ଯଥେଷ୍ଟ ତଳେ ରହିଛି। ଏହାଠୁ ଅଧିକ ଉଦ୍‌ବେଗର ବିଷୟ‌ ଯେ ସମ୍ବଲପୁର ଜିଲ୍ଲା ରାଜ୍ୟସ୍ତରରେ ସବୁଠୁ ତଳେ ରହିଛି। ଉପରୋକ୍ତ ତିନିଟି ଶ୍ରେଣୀରେ ଗଣିତ, ଭାଷା ଜ୍ଞାନ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ୪ଟି ବିଷୟରେ ପରୀକ୍ଷା ହୋଇଥିଲା। ଏହାର ମୂଲ୍ୟାୟନ ଆଧାରରେ ପ୍ରକାଶିତ ତାଲିକାରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ ସମ୍ବଲପୁର ତୃତୀୟ ଶ୍ରେଣୀରେ ୨୯ତମ, ପଞ୍ଚମ ଶ୍ରେଣୀରେ ୩୦ତମ ଓ ଅଷ୍ଟମ ଶ୍ରେଣୀରେ ୨୯ତମ ସ୍ଥାନରେ ରହିଛି। ଏହି ତିନି‌ ଶ୍ରେଣୀରେ ‌ଜିଲ୍ଲାର ହାରାହାରି ନମ୍ବର ଯଥାକ୍ରମେ ୪୬, ୩୮ ଓ ୩୫ ରହିଛି। ଏହା କେବଳ ତୃତୀୟ ଶ୍ରେଣୀରେ କୋରାପୁଟ (୪୫) ଓ ଅଷ୍ଟମରେ ରାୟଗଡ଼ା (୩୨) ଉପରକୁ ରହିଛି। ତେବେ ତିନି ଶ୍ରେଣୀର ପ୍ରଦର୍ଶନକୁ ଯୋଡ଼ି ମୋଟ ଉପରେ ବିଚାରକୁ ନେଲେ ସମ୍ବଲପୁରର ସ୍ଥାନ ରାଜ୍ୟର ସବା ଶେଷରେ ରହିଛି।

The News Minute

୨୦୧୭ ମସିହା ନାସ୍‌ ରିପୋର୍ଟରେ ଜିଲ୍ଲାର ଏଭଳି ସ୍ଥିତି ଥିଲାବେଳେ ୨୦୨୧ରେ ବି କୌଣସି ସୁଧାର ଆସି ନାହିଁ। ଓଲଟା ୨୦୨୨ ବେଳକୁ ତାହା ଆହୁରି ନିମ୍ନଗାମୀ ହୋଇଥିବା ବିଶେଷଜ୍ଞ ମ‌ାନେ କହନ୍ତି। ବିଶେଷ କରି କରୋନା ୨ ବର୍ଷରେ ସରକାରୀ ସ୍କୁଲ୍ ଗୁଡ଼ିକରେ, ବିଶେଷ କରି ପ୍ରାଥମିକ ଶ୍ରେଣୀରେ ପାଠପଢ଼ା ଏକପ୍ରକାର ଶୂନ ହୋଇଯାଇଛି। ତେଣୁ ବର୍ତ୍ତମାନ ଏହି ସ୍ଥିତି ସୁଧାରିବାକୁ କେବଳ ଛାତ୍ର ବା ଶିକ୍ଷକ ନୁହେଁ, ଖୋଦ୍ ସରକାରଙ୍କୁ ମଧ୍ୟ ନିଷ୍ଠାବାନ ହେବାକୁ ପଡ଼ିବ‌ ବୋଲି ବିଶେଷଜ୍ଞଙ୍କ ମତ।
ସମ୍ବଲପୁର ଗସ୍ତରେ ଆସିଥିଲାବେଳେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ମାନିଥିଲେ ଯେ ରାଜ୍ୟରେ ତଥା ସାରା ଦେଶରେ ସମ୍ବଲପୁରର ପ୍ରଦର୍ଶନ ଅତି ଦୁର୍ବଳ ରହିଛି। ଏହାର ନିରାକରଣ ପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ। ହେଲେ ସମ୍ବଲପୁର ପାଇଁ କଣ ସବୁ ନିର୍ଦ୍ଦିଷ୍ଟ ଯୋଜନା ରହିଛି ସେହି ଉତ୍ତର ମନ୍ତ୍ରୀଙ୍କ ପାଖରେ ନଥିଲା। ସମ୍ବଲପୁର ପାଇଁ ନା ଅଧିକ ଶିକ୍ଷକ ଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ନା’ ଶିକ୍ଷକଙ୍କୁ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ ଯାବତୀୟ କାର୍ଯ୍ୟରୁ ନିସ୍ତାର ଦେବାକୁ। ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ଲାଗି ରହିଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି। ପ୍ରାଥମିକ ଶିକ୍ଷକ ମାନଙ୍କୁ ପାଠପଢ଼ା କମ୍ ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଧିକ ନିୟୋଜିତ କରାଯାଉଛି। ଖାସ୍‌ କରି ସହରାଞ୍ଚଳର ଶିକ୍ଷକ ମାନଙ୍କୁ ବିଭିନ୍ନ ବିଭାଗର ଯାବତୀୟ କାର୍ଯ୍ୟରେ ଲଗା ଯାଉଥିବାବେଳେ ପିଲାଙ୍କ ପାଠପଢ଼ା ଅବହେଳିତ ହେଉଛି। ଗ୍ରାମାଞ୍ଚଳରେ ଶିକ୍ଷକ ଅଭାବ ଉତ୍କଟ ରହିଛି। ପିଲାଙ୍କ ମୂଳଦୁଆ କହା ଯାଉଥିବା ପ୍ରଥମ, ଦ୍ବିତୀୟ, ତୃତୀୟ ଆଦି ଶ୍ରେଣୀରେ ପାଠପଢ଼ା ଠିକ୍‌ରେ ହେଉ ନାହିଁ। ଫଳରେ ପିଲାମାନେ ଉପର ଶ୍ରେଣୀରେ ପାଠ ଧରିବା କଷ୍ଟକର ହୋଇ ପଡ଼ୁଛି।

Image Courtesy of India.com

ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳଙ୍କ କହିବା ହେଲା ୨୦୧୭ର ନାସ୍ ରିପୋର୍ଟ ଆଧାରରେ ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷ କରି ପିଲାଙ୍କ ଭାଷା ଜ୍ଞାନ ଓ ଅଙ୍କ ଜ୍ଞାନ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଥି ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନରେ କେମିତି ଭଲ କରିବେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରାଯାଉଛି। ବିଇଓ, ସିଆର୍‌ସିସି ମାନଙ୍କ ନିୟମିତ ବୈଠକ କରାଯାଇ ଖରାଦିନିଆ ପାଠପଢ଼ା କେମିତି ଭଲ ଭାବରେ ହୋଇ ପାରିବ ତାହା ନିଶ୍ଚିତ କରାଯାଉଛି। ଏହାଦ୍ବାରା ଶିକ୍ଷା ବର୍ଷ ଆରମ୍ଭ ବେଳକୁ ପିଲାମାନେ ଭଲ ସ୍ଥିତିରେ ଥିବେ। ପ୍ରାଥମିକ ଶିକ୍ଷକଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବା ପ୍ରସଂଗରେ ଶ୍ରୀମତୀ ମଙ୍ଗଳ କହିଲେ ଯେ ସରକାର ଯାହା କାମ ଦେବେ ତାହା ତ’କରିବାକୁ ହେବ, କିନ୍ତୁ ଯେତିକି ସମୟ ମିଳୁଛି ଠିକ୍‌ରେ ପାଠ ପଢ଼ାଇଲେ ନିଶ୍ଚୟ ଫଳ ମିଳିବ। ଆଗକୁ ସମ୍ବଲପୁର ଜିଲ୍ଲାର ସ୍ଥିତି ସୁଧୁରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏନ୍‌ସିଇଆର୍‌ଟି ସର୍ଭେରେ ବିଭିନ୍ନ ଜିଲ୍ଲାର ସ୍ଥିତି
ବିଭିନ୍ନ ଶ୍ରେଣୀରେ ପ୍ରଦର୍ଶନ ୧୦୦ରୁ
ସ୍ଥାନ     ଜିଲ୍ଲା    ତୃତୀୟ    ପଞ୍ଚମ   ଅଷ୍ଟମ   ମୋଟ
୧ ଜଗତସିଂପୁର   ୮୦     ୮୦    ୫୯    ୨୧୯
୨ କଟକ            ୭୪     ୬୮     ୫୪   ୧୯୬
୨୬ ମୟୂରଭଞ୍ଜ   ୫୧     ୪୫     ୩୫   ୧୩୧
୨୭ କନ୍ଧମାଳ     ୪୮      ୪୪     ୩୬   ୧୨୮
୨୮ ରାୟଗଡ଼ା    ୫୦      ୪୨     ୩୨   ୧୨୪
୨୯ କୋରାପୁଟ  ୪୫       ୪୨    ୩୫   ୧୨୨
୩୦ ସମ୍ବଲପୁର    ୪୬     ୩୮     ୩୫   ୧୧୯

ସମ୍ବନ୍ଧିତ ଖବର