ସନ୍ଧ୍ୟା ବେଳେ କାହିଁକି ବନ୍ଦ ରହୁଛି ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାଧନାପୀଠ ’ଶାନ୍ତିକାନନ’?

ବ୍ୟବହାରରେ ଆସୁନି ଲକ୍ଷଲକ୍ଷ ଟଙ୍କାର ଲାଇଟ୍‌, ଜଳଫୁଆରା

ବାଲେଶ୍ବର: ବାଲେଶ୍ବର ପୌରପାଳିକାର ୧୫ ୱାର୍ଡରେ ଥିବା ବ୍ୟାସକବି ଫକୀରମୋହନ ସେନାପତି ସାଧନାପୀଠ ତଥା ଶାନ୍ତିକାନନକୁ ଅମୃତ ଯୋଜନାରେ ଉନ୍ନତୀକରଣ କରାଯାଇଛି। ଏଥିପାଇଁ ୫୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୌରପାଳିକା ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ବୁଝୁଛି। ହେଲେ ଦୁଃଖ ଓ ପରିତାପର ବିଷୟ ପ୍ରତିଦିନ ସଂଧ୍ୟା ୬ ପୂର୍ବରୁ ଶାନ୍ତିକାନନ ଫାଟକରେ ତାଲା ଝୁଲାଇ ଦିଆଯାଉଛି। ଫଳରେ ଏଠାକୁ ବୁଲିବାକୁ ଆସୁଥିବା ଛାତ୍ରଛାତ୍ରୀ, ସାହିତ୍ୟିକ, ବରିଷ୍ଠ ନାଗରିକମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ପୌରପାଳିକା ତରଫରୁ ଯେଉଁ ଆଳ ଦେଖାଯାଇଛି ତାହା ସଂଧ୍ୟା ସମୟରେ ପାର୍କ ବନ୍ଦ ରଖିବାର ମୂଳକାରଣ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଅଭିଯୋଗ ହୋଇଛି। ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ପଚାରିଲେ ସେମାନେ ସଂଧ୍ୟା ସମୟରେ ଶାନ୍ତିକାନନକୁ ଅଧିକ ଲୋକ ଆସୁଥିବାରୁ ଏହିପଟେ ଯାଇଥିବା ରାସ୍ତା ଅଧିକ ଜାମ୍‌ ହେଉଛି। ଶାନ୍ତିକାନନ ଭିତରେ ଅସାମାଜିକ ଲୋକ ଓ ପ୍ରେମୀଯୁଗଳଙ୍କ ଆଡ୍ଡା ଜମୁଛି, ତେଣୁ ଏହା ସଂଧ୍ୟା ସମୟରେ ଖୋଲାନଯାଇ ବନ୍ଦ ରଖାଯାଉଥିବା କୁହାଯାଇଛି। କିନ୍ତୁ ଏହା ପଛର ପ୍ରକୃତ କାରଣ ହେଉଛି, ଅମୃତ ଯୋଜନା ସମେତ ବିଭିନ୍ନ ଯୋଜନାରେ ଶାନ୍ତିକାନନକୁ ଉନ୍ନତୀକରଣ କରାଯିବା ପରେ ଏହା ଭିତରେ ଉଜ୍ଜ୍ବଳ ଆଲୋକର ମଧ୍ୟ ବ୍ୟବସ୍ଥା କରାଯାଇଛି। ୩୦ରୁ ଅଧିକ ବତିଖୁଣ୍ଟରେ ଲାଇଟ୍‌ ଜଳୁଥିବା ବେଳେ ପୋଖରୀ ଭିତରେ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ଫୁଆରା ବସାଯାଇଛି। ତେବେ ପ୍ରଥମରୁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଜଳ ଫୁଆରା ସାଙ୍ଗକୁ ସବୁ ଲାଇଟ୍‌ ଜଳୁଥିବା ଦେଖାଯାଇଥିଲା। ହେଲେ ବିଦ୍ୟୁତ୍‌ ବିଭାଗ ଗତ ୮ ମାସ ହେଲା ଏଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ିଛି। ନା ରଙ୍ଗିନ ଆଲୋକ ସହ ଜଳରାଶି ଫୁଆରା ବାହାରୁଛି ନା ବତିଖୁଣ୍ଟରେ ଲାଇଟ୍‌ ଜଳୁଛି। ଏହା ପଛର କାରଣ ହେଉଛି, ଶାନ୍ତିକାନନକୁ ଯେଉଁ ବିଦ୍ୟୁତ୍‌ ବ୍ୟବହାର ହୋଇଥିଲା, ତାହା ଚୋରାରେ; ବିଦ୍ୟୁତ୍‌ ବିଭାଗର ବିନା ଅନୁମତିରେ ଚାଲିଥିବା ଅଭିଯୋଗ ହୋଇଥିଲା।

Worldorgs.com

ଗୋଟିଏ ପାର୍କରେ ଏତେ ପରିମାଣର ବିଦ୍ୟୁତ୍‌ଶକ୍ତି ବ୍ୟବହାର କରାଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୌରପାଳିକା ବିନା ଅନୁମତିରେ କିପରି ଚୋରାରେ ବିଦ୍ୟୁତ୍‌ ବ୍ୟବହାର କରୁଛି ବୋଲି ଅଭିଯୋଗ କରି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଶାନ୍ତିକାନନର ବିଦ୍ୟୁତ୍‌ ସଂଯୋଗ କାଟିଦେଇଥିଲେ। ଏହା ପରଠାରୁ ଶାନ୍ତିକାନନ ପାର୍କ ଅନ୍ଧାରରେ ରହିଛି। ସକାଳ ସମୟ ଖୋଲା ରହୁଥିବା ବେଳେ ସଂଧ୍ୟା ପୂର୍ବରୁ ‌ଯେଉଁମାନେ ଶାନ୍ତିକାନନକୁ ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ସୁରକ୍ଷାକର୍ମୀ ବାହାରକୁ ବାହାର କରି ଗେଟ୍‌ରେ ତାଲା ପକାଇ ଦେଉଛନ୍ତି। ପ୍ରକୃତ ସମସ୍ୟା ଯେଉଁଠି ରହିଛି ତା’ର ସମାଧାନ ନକରି ଏଠାରେ ପାର୍କର ଉନ୍ନତୀକରଣ କରାଯାଇ ଜନସାଧାରଣଙ୍କ ପାଇଁ ଯେଉଁ ସୁବିଧା ଯୋଗାଇ ଦିଆଯାଇଛି ତା’ର ସଦୁପୋଯୋଗ ହୋଇପାରୁ ନଥିବା ଯୋଗୁଁ ସେଗୁଡ଼ିକୁ ନଷ୍ଟ ହେବାକୁ ମଧ୍ୟ ବସିଲାଣି। ତେଣୁ ଶାନ୍ତିକାନନକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରାଯାଉ ବୋଲି ସ୍ଥାନୀୟବାସିନ୍ଦା ତଥା ସହରବାସୀ ଦାବି କରିଛନ୍ତି।

ଏନେଇ ପାର୍କ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୌରପାଳିକାର ଗଦାଧର ମିଶ୍ରଙ୍କୁ ପଚାରିବାରୁ ତାଙ୍କୁ କେବଳ ସୁରକ୍ଷା ଦାୟିତ୍ବ ଦିଆଯାଇଛି, ପାର୍କରେ ବିଦ୍ୟୁତ୍‌ ସଂଯୋଗ କାହିଁକି ବିଚ୍ଛିନ୍ନ ହୋଇଛି ସେବିଷୟରେ ସେ କହିପାରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ୧୫ ନମ୍ବର ୱାର୍ଡର କାଉନ୍‌ସିଲର ସଂଧ୍ୟାରାଣୀ ଜେନାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ପୌର ନିର୍ବାଚନ ପୂର୍ବରୁ ଶାନ୍ତିକାନନ ବହୁତ ଅବ୍ୟବସ୍ଥାରେ ରହିଥିଲା। ଏବେ ସେ ନିୟମିତ ଶାନ୍ତିକାନନ ଭିତରର ସଫେଇ କାର୍ଯ୍ୟ ନିରୀକ୍ଷଣରେ ଆସୁଥିବା ବେଳେ ଏଠାକୁ ବିଦ୍ୟୁତ ସଂଯୋଗ କରିବାକୁ ପୌର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର