ସୁବର୍ଣ୍ଣପୁର ତାତୁଛି କାହିଁକି? ପୋତି ହେଉଛି ନଦୀଶଯ୍ୟା, କ୍ଷୟ ହେଉଛି ଜଙ୍ଗଲ
କଂକ୍ରିଟ ରାସ୍ତା ନିର୍ମାଣ ପ୍ରମୁଖ କାରଣ
ସୋନପୁର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡକୁ ତତଲାଗଡ ବୋଲି କୁହାଯାଉଥିଲା। ଏଠାରେ ପାରଦ ସର୍ବୋଚ୍ଚସ୍ତରରେ ପହଞ୍ଚୁଥିଲା। ଏମିତିକି ଅଧିକାଂଶ ବର୍ଷ ଜାତୀୟସ୍ତରର ସର୍ବାଧିକ ତାପମାତ୍ରା ଏଠାରେ ରେକର୍ଡ କରାଯାଉଥିଲା। ଏବେ କିନ୍ତୁ ଆଉ ଗୋଟିଏ ଭିନ୍ନ ଚିତ୍ର ଦେଖିବାକୁ ମିଳିଲାଣି। ଗତ ଦୁଇ ତିନି ଦିନ ଧରି ସୋନପୁର ଜିଲ୍ଲା ଭାରତର ସର୍ବୋଚ୍ଚ ଉତ୍ତପ୍ତ ସହର ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଦେଉଛି। କେବଳ ଏବର୍ଷ ନୁହେଁ, ଗତ ଚାରିପାଞ୍ଚବର୍ଷ ଧରି ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ପରିପ୍ରେକ୍ଷୀରେ ପରିବେଶବିତ୍ ଚିନ୍ତାରେ ପଡ଼ିଛନ୍ତି। ଗୁରୁବାର ଏଠାରେ ସର୍ବାଧିକ ୪୪.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହେବା ପରେ କାହିଁକି ସୁବର୍ଣ୍ଣପୁର ଜିଲ୍ଲା ହଠାତ୍ ତାତୁଛି, ତା ଉପରେ ଗବେଷଣା ଜୋର ଧରିଛି। ଜିଲ୍ଲାରେ ଜଙ୍ଗଲ କ୍ଷୟ, କଂକ୍ରିଟ ରାସ୍ତାଘାଟ ନିର୍ମାଣ ଏବଂ ମହାନଦୀ ଓ ତେଲନଦୀ ସମେତ ଅନ୍ୟାନ୍ୟ ଶାଖାନଦୀର ଶଯ୍ୟା ପୋତି ହେବା ଘଟଣାକୁ କାରଣ ବୋଲି କୁହାଯାଉଛି। ନଦୀ ଶଯ୍ୟା ପୋତି ହେବାରୁ ଉତ୍ତପ୍ତ ବାଲି ଶଯ୍ୟା ଓ ପଥରର ବିକିରଣ ପାଇଁ ପରିବେଶ ଅଧିକ ଉତ୍ତପ୍ତ ହେଉଥିବା ପରିବେଶବିତ୍ ମତ ରଖୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଧ୍ୟାନରୁ ଜଣାଯାଇଛି କି, ଜିଲ୍ଲାର ଜନସଂଖ୍ୟା ଅନୁପାତରେ ୩୫ ଭାଗ ଜଙ୍ଗଲ ଜମିର ଆବଶ୍ୟକତା ରହିଛି। ହେଲେ ଉଦବେଗଜନକ କଥା ହେଉଛି, ରାଜ୍ୟ ସରକାର ପ୍ରତିବର୍ଷ ବନୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଏହି ଜିଲ୍ଲାରେ ଏବେ ମାତ୍ର ୧୮ ଭାଗ ଜଙ୍ଗଲ ରହିଛି। ଏଥିରୁ ପ୍ରଶ୍ନ ଉଠେ ଯେ ବାସ୍ତବରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ନା ଜଙ୍ଗଲ କ୍ଷୟ ଜାରି ରହିଥିବା ବେଳେ କାଗଜପତ୍ରରେ ବନୀକରଣ ଚାଲିଛି? ଏକଥା ବି ସତ ଯେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନୂତନ ବସତି ସ୍ଥାପନ ପାଇଁ ପୁରୁଣା ଜଙ୍ଗଲଗୁଡ଼ିକୁ କଟାଯାଉଛି। ଜିଲ୍ଲା ଗଠନ ହେଲା ପରେ ଜିଲ୍ଲା ସଦର ମହକୁମାରେ ଜନସଂଖ୍ୟା ବଢ଼ିବା ସହ ଅନେକ କୋଠା ଘର, କଂକ୍ରିଟ ରାସ୍ତାଘାଟ ନିର୍ମାଣ ହୋଇଛି। ଏସବୁକୁ ଉତ୍ତାପ ବୃଦ୍ଧିର ଗୋଟିଏ ଗୋଟିଏ କାରଣ ବୋଲି ପରିବେଶବିତମାନେ କହୁଛନ୍ତି। ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଜିଲ୍ଲାରେ ପଞ୍ଚାୟତ ପୋଖରୀ, ରାଜସ୍ବ ପୋଖରୀ ତଥା ଅନ୍ୟାନ୍ୟ ପୋଖରୀ ମିଶି ୪ ହଜାର ୬୪୨ଟି ରହିଛି। ତେବେ ଏହି ପୋଖରୀଗୁଡ଼ିକରେ ମାଟି ପୋତି ହେଉଥିବାରୁ ଗ୍ରୀଷ୍ମ ଋତୁରେ ଜଳ ଆହରଣ ପରିମାଣ କମୁଛି। କେତେକ ଜଳଉତ୍ସ ପୂରା ଶୁଖିଲା ପଡୁଛି। ମନ୍ରେଗା ଯୋଜନା ତଥା ଅନ୍ୟାନ୍ୟ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ପ୍ରତିବର୍ଷ ଅନେକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଏଥିରେ ବ୍ୟାପକ ଅନିୟମିତତା ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ। ଜଳଉତ୍ସରେ ଜଳସ୍ତର ହ୍ରାସ ପାଉଛି। ସେହିପରି ଜିଲ୍ଲାରେ ଭୂତଳ ଜଳ ହ୍ରାସ ମଧ୍ୟ ଉତ୍ତାପ ବୃଦ୍ଧିର କାରଣ ପାଲଟିଛି।
ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ କୁହନ୍ତି, ସୁବର୍ଣ୍ଣପୁର ଜିଲ୍ଲା ସବୁଠୁ ଉତ୍ତପ୍ତ ସହର ପାଲଟିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମହାନଦୀ, ତେଲନଦୀ ଶଯ୍ୟାରେ ପ୍ରଚୁର ଜଳ ସଂରକ୍ଷଣ ପାଇଁ ସଂଗମ ସ୍ଥଳ ତଳ ମୁଣ୍ଡ ଖଇରମାଳଠରେ ବ୍ୟାରେଜ ନିର୍ମାଣ ଯୋଜନା ରହିଛି। ଏ ସମ୍ପର୍କରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ମାତ୍ର ଜିଲ୍ଲାର ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ସତ୍ତ୍ବେ ଏହି ଫାଇଲ ସରକାରୀ ଶୀତଳ ଭଣ୍ଡାରରେ ପଡ଼ି ରହିବା ଦୁର୍ଭାଗ୍ୟଜନକ। ପରିବେଶବିତ ଶ୍ରାମାଓଁ ପ୍ରସାଦ ମିଶ୍ର କୁହନ୍ତି, ସୋନପୁର ସହର ଗୁରୁବାର ସବୁଠୁ ଉତ୍ତପ୍ତ ସହର ପାଲଟିବା ଉଦବେଗର କଥା। ଏହା ଆଗକୁ ଆହୁରି ଭୟଙ୍କର ହୋଇପାରେ।