ସୁନ୍ଦରଗଡ଼ : ‘ଦୀପ ତଳ ଅନ୍ଧାର’ ଉକ୍ତିର ଏକ ଭଲ ଉଦାହରଣ ହେଉଛି ସ୍ମାର୍ଟ ସିଟି ରାଉରକେଲାର ପରିଚିତ ଉଦିତନଗର ଖେଳ ପଡ଼ିଆ। ରାଉରକେଲା ମହାନଗର ନିଗମର ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ଵ ପଡ଼ିଆ ନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ସମସ୍ତ ଶିକ୍ଷା ଅନୁଷ୍ଠାନ ବାର୍ଷିକ କ୍ରୀଡ଼ା ପାଇଁ ଉଦିତ ନଗର ପଡ଼ିଆ ଉପରେ ନିର୍ଭର କରନ୍ତି। ଟାଉନ୍ ସିପ୍ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ଏକମାତ୍ର ଅଭ୍ୟାସ ସ୍ଥଳୀ। କିନ୍ତୁ ଉଡିତନଗର ଉଚ୍ଚ ବିଦ୍ୟାଳୟ ଓ ସ୍ମାର୍ଟ ସିଟି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ପଡ଼ିଆର ଅବସ୍ଥା ଏମିତି ଯେ ଏଠାରେ ଅଭ୍ୟାସ କରିବା କିମ୍ବା କୌଣସି ପ୍ରତିଯୋଗିତାର ଆୟୋଜନ କରିବା ଅତ୍ୟନ୍ତ ବିପଦଜନକ। ଘାସ ନଥିବା ଏହି ପଡ଼ିଆର ଭୂମି ଏତେ କଠିନ ଯେ ପଡ଼ିଗଲେ ଖଣ୍ଡିଆଖାଵରା ହେବାର ଭୟ ସବୁବେଳେ ଥାଏ। ପଡ଼ିଆର କେତେକ ସ୍ଥାନରେ ମୋରମ ପଥର ମଧ୍ୟ ରହିଛି। ଉଲ୍ଲେଖନୀୟ ଯେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିର ଚାଳକମାନେ ମଧ୍ୟ ଏଠାରେ ଅଭ୍ୟାସ କରନ୍ତି।

Advertisment

publive-image

ଏସବୁ ପରେ ମଧ୍ୟ ଏଇ ପଡ଼ିଆ ଅନେକ ବଡ଼ ସ୍ତରର ଫୁଟବଲ ଓ କ୍ରିକେଟ ପ୍ରତିଯୋଗିତାର ସାକ୍ଷୀ ରହିଛି। ଏଠାରେ ସ୍ଥାନୀୟ ସ୍ତରର ପ୍ରତିଯୋଗିତାରୁ ଆରମ୍ଭ କରି ଜାତୀୟ ସ୍ତରର ସର୍ବଭାରତୀୟ ପୁଲିସ ଫୁଟବଲ, ରାଉରକେଲା ଫୁଟବଲ ଲିଗ ସହ ଅନେକ ଉଚ୍ଚସ୍ତରର କ୍ରିକେଟ ପରିଯୋଗିତାର ଆୟୋଜନ ହୋଇ ସାରିଛି। ବିଶ୍ଵ କପ କ୍ରିକେଟ ବିଜେତା ଭାରତୀୟ ଦଳର ପୂର୍ବ ଅଧିନାୟକ କପିଳଦେବ, ଦଳର ଅନ୍ୟତମ ସଦସ୍ୟ ବଲବିନ୍ଦର ସିଂହ ସାନ୍ଧୁ, ଜୁନିୟର ଭାରତୀୟ ଦଳର ଅଧିନାୟକ ରଞ୍ଜୀବ ବିଶ୍ଵାଳଙ୍କ ଭଳି ତାରକାମାନେ ଅତିଥି ଭାବେ ଏଡାକୁ ଆସି ପୁରୁସ୍କାର ବିତରଣ କରିଛନ୍ତି। ଯେତେବେଳେ ବି ହାଇ ପ୍ରୋଫାଇଲ ଅତିଥି ଆସିଛନ୍ତି, ସେମାନଙ୍କ ଆଗରେ ଏ ପଡ଼ିଆର ଅବସ୍ଥା ସୁଧାରିବା ପାଇଁ ବଡ଼ ବଡ଼ କଥା କୁହା ଯାଇଥିଲେ ମଧ୍ୟ ପରେ ସବୁ ପାଣିର ଗାର ସାବ୍ୟସ୍ତ ହୋଇଛି। ପ୍ରକୃତରେ ସ୍ମାର୍ଟସିଟି କାର୍ଯ୍ୟାଳୟ, ଏଡିଏମ୍‌ଙ୍କ ବାସଗୃହ, ଉଦିତ ନଗର ଉଚ୍ଚ ବିଦ୍ୟାଳୟକୁ ଲାଗି ରହିଥିବା ଏଇ ପଡ଼ିଆର ଦୁର୍ଦ୍ଦଶା ଲଜ୍ଜାକର। ଯେମିତିକି ସରକାରୀ ବାବୁମାନଙ୍କ ପାଇଁ ଏ ପଡ଼ିଆ ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ସମାରୋହର ଆୟୋଜନ ସ୍ଥଳ ବ୍ୟତୀତ ଅନ୍ୟ କିଛି ନୁହେଁ। ରାଉରକେଲା ସ୍ମାର୍ଟସିଟିରେ ବିର୍ସା ମୁଣ୍ଡା ଷ୍ଟାଡିୟମର ବିକାଶ ପାଇଁ ୧୨୫ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରା ଯାଇଛି। ଏପରି ସ୍ଥିତିରେ ଉଦିତ ନଗର ପଡ଼ିଆର ଉନ୍ନତି ପାଇଁ ଚିନ୍ତା ମଧ୍ୟ ନକରାଯିବା ବିସ୍ମୟକର।

publive-image

କଳିଙ୍ଗ ସ୍ପୋର୍ଟସ ଫେଡେରେସନର ସମ୍ପାଦକ ଓ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସଂଜୟ ବବୁତା ଏ ପଡ଼ିଆର ସ୍ଥତି ଉପରେ କ୍ଷୋଭ ପ୍ରକଟ କରି କହନ୍ତି, " ବିଗତ ୫୦ ବର୍ଷରୁ ଏଇ ପଡ଼ିଆରୁ ଅନେକ ଉଚ୍ଚମାନର କ୍ରୀଡ଼ାବିତ୍ ବାହାରିଛନ୍ତି। ମୁଁ ନିଜେ ଏହି ପଡ଼ିଆରେ ଅଭ୍ୟାସ କରିଛି। ଅତ୍ୟନ୍ତ କ୍ଷୋଭର ବିଷୟ ଯେ ସରକାର ଏହାର ଉନ୍ନତି ପାଇଁ ଚେଷ୍ଟା ମଧ୍ୟ କରି ନାହାନ୍ତି। ଆଜି ଯେତେବେଳେ ରାଉରକେଲାରେ କ୍ରୀଡ଼ା ସୁବିଧା ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି, ସେଥିରୁ ଏକ ଛୋଟ ଅଂଶର ଖର୍ଚ୍ଚରେ ଏଇ ପଡ଼ିଆର ରୂପ ବଦଳା ଯାଇ ପାରିବ।’’