ଭୁବନେଶ୍ବର: କିଟ୍ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ୧୦ଦିନ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ କାହିଁକି ନିରବ ଅଛନ୍ତି? କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି କଂଗ୍ରେସ ବିଧାୟକ ସି.ଏସ୍ ରାଜନ ଏକ୍କା ପ୍ରଶ୍ନ କରିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଏକ୍କା କହିଛନ୍ତି ଯେ କିଟ୍ ଘଟଣା କେବଳ ଓଡ଼ିଶା ନୁହେଁ ଆମ ଦେଶକୁ ବିଶ୍ବ ଦରବାରରେ ନିନ୍ଦିତ କରିଛି। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବ୍ୟାଘାତ ହୋଇଛି। ଘଟଣା ଘଟିବାର ୧୦ଦିନ ପରେ ବି ରାଜ୍ୟର ଶିକ୍ଷା ମନ୍ତ୍ରୀ ଘଟଣାସ୍ଥଳକୁ ନଯିବା ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅହେତୁକ ନିରବତା ବହୁତ କିଛି ଅକୁହା କଥା କହୁଛି। ଡବଲ ଇଞ୍ଜିନ ସରକାର ଦେଶ ଓ ରାଜ୍ୟର ମର୍ଯ୍ୟଦା ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରିକି ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ବିଧାନସଭାରେ ଉଠାଇଥିବାବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ଥାଇ ବି ଚୁପ୍ ରହିଲେ। ଏ ସରକାର କଥାରେ କେବଳ ଓଡ଼ିଆ ଅସ୍ମିତା, କିନ୍ତୁ କାମରେ ଓଡ଼ିଶା ସ୍ୱାର୍ଥ ବିରୋଧୀ। ନେପାଳ ଛାତ୍ରୀ ମୃତ୍ୟୁ ଘଟଣାରେ ସଂପୃକ୍ତ ଛାତ୍ର ଅଦ୍ଭିକ୍ ଶ୍ରୀବାସ୍ତବକୁ ଏପର୍ଯ୍ୟନ୍ତ ପୁଲିସ୍ କାହିଁକି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରୁନାହିଁ।
ଆଇନର ବାଟକୁ କିଏ ଓଗାଳୁଛି? ସରକାର ବାଟ ଓଗାଳିବା ପାଇଁ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି କି? ମିଳିଥିବା ସୂଚନା ଅନୁଯାୟୀ ଅଦ୍ଭିକଙ୍କ ବାପା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅତି ନିକଟତମ ସହଯୋଗୀ। ଏପରିକି ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ବହୁ ବରିଷ୍ଠ ନେତାଙ୍କ ନିକଟତମ ବ୍ୟକ୍ତି। ଏହି ସଂପର୍କ ଯୋଗୁ ଅଦ୍ଭିକଙ୍କୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି କି ? ତାଙ୍କ ଯୋଗୁ ଯଦି ଛାତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇସାରିଛି ଏବଂ ପୁଲିସ ତାଙ୍କୁ ଗିରଫ କରିଛି, ତେବେ ତାଙ୍କୁ କାହିଁକି ଏପର୍ଯ୍ୟନ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଯାଉନି। ସରକାର ଯଦି ଦୋଷୀକୁ ଅତି ଶୀଘ୍ର ଦଣ୍ଡ ଦେବେନି ତେବେ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ବିଧାୟକ ଶ୍ରୀ ଏକ୍କା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରଜନୀ ମହାନ୍ତି, ମନୋଜ ବିଶ୍ୱାଳ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସଂପୃକ୍ତ ଛାତ୍ରଙ୍କୁ କାହିଁକି ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଉନି?
ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ, ନିକଟସ୍ଥ ଥାନାରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ଦାବି
ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଆଜି ପ୍ରଦେଶ ଯୁବ କଂଗ୍ରେସ, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ନେପାଳ-ଭାରତ ମଧ୍ୟରେ ସାଂସ୍କୃତିକ ଓ ଧାର୍ମିକ କ୍ଷେତ୍ରରେ ନିବିଡ଼ ସଂପର୍କ ରହିଛି। ମାତ୍ର କିଟ୍ର ପ୍ରତିଷ୍ଠାତା ଏହି ସୁସମ୍ପର୍କକୁ କ୍ଷୁଣ୍ଣ କରିଛନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ସେ ଓଡ଼ିଶାକୁ ନିନ୍ଦିତ କରିଛନ୍ତି। କିନ୍ତୁ ସରକାର ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ବାରା ଛାତ୍ରଛାତ୍ରୀମାନେ ଅତ୍ୟାଚାରିତ ହୋଇ ଅସହାୟ ହୋଇ ପଡ଼ୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ସରକାରଙ୍କ କର୍ତ୍ତବ୍ୟ। ଏଣୁ ସ୍ବତନ୍ତ୍ର ଭାବେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଏବଂ ସଂପୃକ୍ତ ଶିକ୍ଷାନୁଷ୍ଠାନର ନିକଟବର୍ତ୍ତୀ ଥାନାରେ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବାକୁ ଦାବି କରାଯାଇଛି। କିଟ୍ରୁ ଡିମ୍ଡ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରତ୍ୟାହାର କରି ନିଆଯାଉ। ସରକାର କିଟ୍ ବିଶ୍ବବିଦ୍ୟାଳୟର ନିୟନ୍ତ୍ରଣ ନିଜ ପାଖକୁ ଆଣନ୍ତୁ। ନେପାଳୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ। ଜବରଦଖଲରେ ଥିବା ସରକାରୀ ଜମିକୁ ମୁକ୍ତ କରାଯାଉ। ସାଧାରଣ ଲୋକଙ୍କ ଜମିକୁ ସେମାନଙ୍କୁ ଫେରାଯାଉ ବୋଲି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆଜିର ଏହି ବିକ୍ଷୋଭରେ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ବିଶ୍ବାଳ, ରଞ୍ଜିତ ପାତ୍ର, ଚୁନୁ ସିଂ, ଉଦିତ ପ୍ରଧାନ, ମହମ୍ମଦ ଇମଦାର, କିରଣ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।