ଋଣ ଭାର ବଢ଼ୁଛି କାହିଁକି? ବିଧାନସଭାରେ ଋଣ ଭାର ନେଇ ବିରୋଧୀଙ୍କ ଉଦ୍‌ବେଗ

ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତୁଳନାରେ ଆମ ସ୍ଥିତି ଭଲ: ଅର୍ଥ ମନ୍ତ୍ରୀ

ଭୁବନେଶ୍ବର : ୨୨ ବର୍ଷ ତଳେ ରାଜ୍ୟର ଋଣ ଭାର ଥିଲା ୧୮,୧୦୦ କୋଟି ଟଙ୍କା। ତାହା ବଢ଼ି ବଢ଼ି ୨୦୨୧-୨୨ ଆର୍ଥିକ ବର୍ଷରେ ୯୭,୨୦୫ କୋଟି ଟଙ୍କା ହୋଇଛି। ମୁଣ୍ଡ ପିଛା ଋଣ ଭାର ୨୨,୦୪୨ ଟଙ୍କାରେ ପହଞ୍ଚିଛି। ରାଜ୍ୟର ଆର୍ଥିକ ସ୍ଥିତି ନେଇ ସରକାର ଗୋଲାପୀ ଚିତ୍ର ଦେଖାଉଥିଲା ବେଳେ ଋଣ ଭାର କାହିଁକି ବଢ଼ିଛି? ଗତକାଲି ବିଧାନସଭାରେ ସରକାରଙ୍କୁ ଏମିତି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ସଭ୍ୟମାନେ। ଅର୍ଥ ମନ୍ତ୍ରୀ ଋଣର ଯଥାର୍ଥତା ନେଇ ଯୁକ୍ତି ବାଢ଼ିଥିଲେ।

ରାଜ୍ୟ ସରକାରଙ୍କ ଋଣ ବାବଦରେ ବିରୋଧୀ ଦଳ ପକ୍ଷରୁ ବୁଧବାର ଦିନ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ସରକାର ବଜେଟ୍‌ର ଆକାର ବଢ଼ାଇ ଚାଲିଛନ୍ତି। କିନ୍ତୁ ସେଥିରୁ ୭୦% ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି। ଋଣ ଭାର ବଢ଼ି ବଢ଼ି ଚାଲିଛି। ଚଳିତ ବର୍ଷ ଆଉ ୨୪ ହଜାର କୋଟି ଟଙ୍କା ଋଣ କରାଯିବ। ଫଳରେ ମୋଟ୍ ଋଣ ପରିମାଣ ୧ ଲକ୍ଷ କୋଟି ଟଙ୍କା ଟପିଯିବ। ଓଡ଼ିଶାର ଆର୍ଥିକ ପରିସ୍ଥିତି ନେଇ ସରକାର ଶ୍ବେତପତ୍ର ଆଣିବାକୁ ସେ ଦାବି କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ୨୦୦୦ ମସିହା ବେଳକୁ ମୁଣ୍ଡ ପିଛା ଋଣ ପରିମାଣ ଥିଲା ୪୯୧୮ ଟଙ୍କା। ଏହାକୁ ଗାଁ ଗାଁ ବୁଲି ପ୍ରଚାର କରି ଭୋଟ୍ ଆଣିଲ। କିନ୍ତୁ ଏବେ ମୁଣ୍ଡ ପିଛା ଋଣ ପରିମାଣ ୨୨ ହଜାର ଟଙ୍କାରୁ ଅଧିକ ହୋଇଗଲା। ଏ ସରକାର ଖାଲି ବାହାସ୍ଫୋଟ ମାରୁଛନ୍ତି। ଗର୍ଭବତୀ ମା’ ପେଟରେ ଥିବା ପିଲା ମୁଣ୍ଡରେ ବି ଋଣ ବୋଝ ଲଦି ଦିଆଯାଉଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ରାଜ୍ୟ ସରକାର ଏବେ ଋଣ ଉପରେ ନିର୍ଭରଶୀଳ। ଭୋଟ୍ ପାଇବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ଭୋଟ୍ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ବାସ୍ତବରେ ରାଜ୍ୟର ଆର୍ଥିକ ପରିସ୍ଥିତି ଠିକ୍ ନାହିଁ। ରାଜସ୍ବ ଆୟର କିଛି ବାଟ ନାହିଁ। କେବଳ ଖଣି ରାଜସ୍ବ ଉପରେ ହିଁ ସରକାର ଭରସା କରିଛନ୍ତି। ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ଅଧିକ ଗୁରୁତ୍ବ ଦେବା କଥା। କାରଣ ରାଜ୍ୟର ପ୍ରଗତି ଏହା ଉପରେ ନିର୍ଭର କରେ। କିନ୍ତୁ ରାଜ୍ୟ ସରକାର ଏହି କ୍ଷେତ୍ରରେ କର୍ମ ଅର୍ଥ ଖର୍ଚ୍ଚ କରୁଛନ୍ତି। ରାଜ୍ୟର ଋଣ ଭାର ନେଇ ସରକାର ଶ୍ବେତପତ୍ର ଜାରି କରନ୍ତୁ। ବିଜେପି ସଭ୍ୟ କୁସୁମ ଟେଟେ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ସଭ୍ୟ ଶଶୀଭୂଷଣ ବେହେରା କହିଥିଲେ, ଦିନ ଥିଲା ଆମେ ସରକାରୀ କର୍ମଚାରୀଙ୍କୁ ଦରମା ଦେଇ ପାରୁ ନ ଥିଲୁ। କିନ୍ତୁ ଏବେ ସେହି ସ୍ଥିତି ନାହିଁ। ବିକାଶଶୀଳ ରାଜ୍ୟରେ ବିକାଶ ପାଇଁ ଋଣ ହେବା କିଛି ଅସ୍ବାଭାବିକ ନୁହେଁ। ସୁବାସ ଚନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନାର ଉତ୍ତର ରଖି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ରାଜ୍ୟର ବିକାଶଧାରାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ପୁଞ୍ଜିନିବେଶ ପାଇଁ ସୀମା ମଧ୍ୟରେ ରହି ଋଣ କରିବା ଏକ ଆବଶ୍ୟକତା। ପ୍ରତ୍ୟେକ ରାଜ୍ୟ ଏହା କରନ୍ତି। ୨୦୦୫-୦୬ ଠାରୁ ପ୍ରତି ବର୍ଷ ଆମେ ରାଜସ୍ବ ବଳକା ସୃଷ୍ଟି କରିଛୁ, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଅଧିନିୟମ(ଏଫ୍ଆର୍‌ବିଏମ୍) ସୀମା ମଧ୍ୟରେ ରହି ଋଣ ଆହରଣ କରିଛୁ ଏବଂ ଆହରଣ କରାଯାଇଥିବା ଋଣକୁ ସମ୍ପୂର୍ଣ୍ଣ ରୂପେ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହାର କରୁଛୁ। ଏହା ହିଁ ଶୃଙ୍ଖଳିତ ଆର୍ଥିକ ପରିଚାଳନାର ନିୟମ। ଅନ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହ ତୁଳନା କଲେ ଆମ ସ୍ଥିତି ସମସ୍ତଙ୍କ ଠାରୁ ଭଲ ଅବସ୍ଥାରେ ରହିଛି। ମୁଣ୍ଡ ପିଛା ଋଣରେ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ ସର୍ବନିମ୍ନ ଅଟେ। ଗତ ୨୨ ବର୍ଷରେ ମୁଣ୍ଡ ପିଛା ଋଣ ୪.୫ ଗୁଣା ହୋଇଥିଲା ବେଳେ ମୁଣ୍ଡ ପିଛା ଆୟ ୯.୮ ଗୁଣା ହୋଇଛି। ଋଣ ପରିଚାଳନା କ୍ଷେତ୍ରରେ ଆମେ ଅନେକ ସଂସ୍କାର ଆଣିଛୁ। ସମଗ୍ର ଦେଶରେ ଓଡ଼ିଶା ଆର୍ଥିକ ସଂସ୍କାର ଓ ଋଣ ପରିଚାଳନାରେ ଏକ ଆଦର୍ଶ ରାଜ୍ୟ ହିସାବରେ ପରିଗଣିତ।

ସମ୍ବନ୍ଧିତ ଖବର