ପେସା ଆଇନ କାହିଁକି ଲାଗୁ ହେଉନି: ବିରୋଧୀ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ବଜେଟ୍‌ର ଖର୍ଚ୍ଚ ଦାବି ଆଲୋଚନା

ଭୁବନେଶ୍ବର : ରାଜ୍ୟରେ ମୋଟ୍ ଜନସଂଖ୍ୟାର ୨୨.୮୫% ଜନଜାତି ଥିବାବେଳେ ସେମାନେ ରାଜ୍ୟର ୪୫% ଅଞ୍ଚଳରେ ବାସ କରୁଛନ୍ତି। ୧୩ଟି ଜିଲ୍ଲାର ୧୧୯ଟି ବ୍ଲକରେ ଆଦିବାସୀ ରହୁଥିବାବେଳେ ସେମାନେ ୭୪ ପ୍ରକାରର ଉପଭାଷାରେ କଥା ହେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର ଯେପରି ବିକାଶ ହେବା କଥା ହେଉନାହିଁ। ଓଡ଼ିଶାରେ କାହିଁକି ପେସା ଆଇନ ଲାଗୁ ହୋଇପାରୁନି। ସେମାନଙ୍କ ଜମି କାହିଁକି ଜୋରଜବରଦସ୍ତ ନିଆଯାଉଛି? ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ କାହିଁକି ବସୁନି? ଆଶ୍ରମ ସ୍କୁଲରେ ପିଲାଙ୍କୁ କାହିଁକି ଭଲ ଖାଇବାକୁ ଦିଆଯାଉନି? ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି? ଆଦିବାସୀମାନେ କେତେଦିନ ଅବହେଳିତ ହୋଇ ରହିଥିବେ? ଆଜି ଏହିଭଳି ଭାବେ ବିରୋଧୀ ଦଳର ବିଧାୟକମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ବଜେଟ୍‌ର ଖର୍ଚ୍ଚ ଦାବି ଆଲୋଚନାବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହାସହ ଉଭୟ ବିଜେପି ଓ କଂଗ୍ରେସ ବିଭାଗର ଖର୍ଚ୍ଚ ଦାବି ଆଲୋଚନାକୁ ବିରୋଧ କରି ଗୃହ ତ୍ୟାଗ କରିଥିଲେ।

ବିଜେପି ବିଧା‌ୟକ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ରାଜ୍ୟରେ ପେସା ଆଇନ ଲାଗୁ ହେଉନଥିବାରୁ ଆଦିବାସୀଙ୍କ ଗ୍ରାମସଭାକୁ କ୍ଷମତା ଦିଆଯାଉନି। ଜୋର୍‌ଜବରଦସ୍ତ ସେମାନଙ୍କ ଜମି ଛଡ଼ାଇ ନିଆଯାଉଛି। ସରକାରୀ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଉଛି, ସେମାନଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କା ହଡ଼ପ କରାଯାଉଛି। କେନ୍ଦ୍ର ସରକାର ଓଡ଼ିଶା ପାଇଁ ୭୮ଟି ଏକଲବ୍ୟ ସ୍କୁଲ ମଞ୍ଜୁର କରିଥିଲେ ବି ରାଜ୍ୟ ସରକାର ଏପର୍ଯ୍ୟନ୍ତ କେବଳ ୪୫ଟିର ଶିଳାନ୍ୟାସ କରିଛନ୍ତି। ଜମି ଯୋଗାଉନାହାନ୍ତି। ରାଜ୍ୟ ସରକାରଙ୍କ ଅସହ‌ଯୋଗ କାରଣରୁ ଆଦିବାସୀମାନଙ୍କ ଉନ୍ନତି ହୋଇପାରୁନି। ଗଣେଶ ରାମସିଂହ ଖୁଣ୍ଟିଆ କହିଥିଲେ ଯେ, ଆଶ୍ରମ ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉଛି କି? ସେମାନଙ୍କୁ କେବଳ ଭାତ ଓ ପାଣି ଡାଲି ଦିଆଯାଉଛି।

ବିଧାୟକ ସନାତନ ବିଜୁଳି କହିଥିଲେ ଯେ, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଉନି। ଯେତିକି ଲୋକଙ୍କୁ ପଟ୍ଟା ଦିଆଯାଇଛି ସେଥିରେ ଭୁଲ୍‌ ଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ବିଧାୟକ ସୁରଜ ସୂର୍ଯ୍ୟବଂଶୀ କହିଥିଲେ, ଭଦ୍ରକ ପୌରାଞ୍ଚଳରେ ୪୦% ମୁସଲିମ୍ ବାସ କରୁଥିବାବେଳେ, ଧାମନଗର ନିର୍ବାଚନ ମଣ୍ଡଳୀରେ ୪୬% ବାସ କରୁଛନ୍ତି। ଭଦ୍ରକରେ କେବଳ ୨.୫ଲକ୍ଷ ମୁସଲିମ୍ ଅଛନ୍ତି। ତେଣୁ ଭଦ୍ରକରେ ମେଡିକାଲ କଲେଜ ନହେବା ସଂଖ୍ୟାଲଘୁଙ୍କ ପ୍ରତି ଏକ ଅବହେଳା। କେନ୍ଦ୍ର ସରକାର ୬୦% , ରାଜ୍ୟ ସରକାର ୪୦% ଅନୁଦାନ ଦେବେ ବୋଲି ପୂର୍ବରୁ କୁହାଯାଇଛି। ‌ତେଣୁ ମୁଁ ଅନୁରୋଧ କରୁଛି ଯେ, ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୋ ବିଧାୟକ ପାଣ୍ଠିରୁ ସମସ୍ତ ଅନୁଦାନକୁ ରାଜ୍ୟ ସରକାରଙ୍କ ଅନୁଦାନ ଭାବେ ଦିଆଯାଉ।

ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକ୍କିମ୍ କହିଥିଲେ ଯେ, ଆଦିବାସୀ ସ୍କୁଲରେ ବହୁ ସ୍ଥାନରେ +୨ ପଢ଼ିବା ସୁଯୋଗ ନାହିଁ। ପିଲାଙ୍କୁ ଉଚ୍ଚଶିକ୍ଷା ମିଳୁନଥିବାରୁ ସେମାନେ ବେକାର ହୋଇ ବୁଲୁଛନ୍ତି। ୱାକଫ୍ ବୋର୍ଡ ଠିକ୍ ଭାବେ କାର୍ଯ୍ୟ କରୁନି, ହଜ୍‌ କମିଟି ଗଠନ ହେଉନି, ଉର୍ଦ୍ଦୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଉନଥିବାରୁ ବହୁ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ସରକାର ଏ ଦିଗରେ ଚିନ୍ତା କରିବା ଦରକାର।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟ ସରକାର ଗୃହକୁ ଜଣାଇବା ଦରକାର କେତେ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ, ମେଡିକାଲ କଲେଜରେ ଏସ୍‌ସି, ଏସ୍‌ଟି, ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି। ଖାଲି ସ୍ନାତକ ଡିଗ୍ରି ହାସଲ କରିଦେଲେ ସେମାନଙ୍କର ଉନ୍ନତି ହେବନି।

ବିଧାୟକ ସିଏସ୍‌ ରାଜେନ ଏକ୍କା କହିଥିଲେ, ପେସା ଆଇନକୁ ବହୁତ ରାଜ୍ୟ ଗ୍ରହଣ କରିଥିବାବେଳେ ରାଜ୍ୟ ସରକାର କାହିଁକି ଏହାକୁ ଲାଗୁ କରୁନାହାନ୍ତି। ଆଦିବାସୀ ଲୋକଙ୍କର ସର୍ବନିମ୍ନ ୫ଏକର ଜମିଥିଲେ ସେମାନେ ଜମି ବିକିପାରିବା ନିୟମ କାହିଁକି କଡ଼ାକଡ଼ି କରାଯାଉନି। ମୁଖ୍ୟମନ୍ତ୍ରୀ ଆଦିବାସୀ ଉପଦେଷ୍ଟା ପରିଷଦର ଅଧ୍ୟକ୍ଷ ଥିଲେ ହେଁ ଏହି ପରିଷଦର ବୈଠକ ଥରୁଟିଏ ବି ବସିନି। ତେଣୁ ରାଜ୍ୟପାଳଙ୍କୁ ଏହାର ଅଧ୍ୟକ୍ଷ କରାଯାଉ। ରାଜ୍ୟରେ ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ବହୁତ କାର୍ଯ୍ୟ କରାଯାଉଛି ବୋଲି ପ୍ରଚାର କରାଯାଉଛି। ହେଲେ କ୍ଷେତ୍ରସ୍ତରରେ ଏହାର ଚିତ୍ର ଅଲଗା। ବିରୋଧୀଙ୍କ ପକ୍ଷରୁ ଉପରୋକ୍ତ ବିଧାୟକଙ୍କ ସମେତ ଦାଶରଥୀ ଗମାଙ୍ଗ, ନବଚରଣ ମାଝୀ, ପ୍ରକାଶ ସୋରେନ୍, କୁସୁମ ଟେଟେ ପ୍ରମୁଖ ଭାଗ ନେଇଥିଲେ।

ସେହିପରି ଶାସକ ଦଳ ପକ୍ଷରୁ ବିଧାୟକ ଶଶୀଭୂଷଣ ବେହେରା ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରି କହିଥିଲେ, ଯେଉଁମାନେ ରାଜ୍ୟରେ ପୂର୍ବରୁ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲେ ସେମାନେ ଆଦିବାସୀଙ୍କ ପାଇଁ ବିଶେଷ କିଛି କରିନଥିଲେ। ରାଜ୍ୟ ସରକାର ଆଦିବାସୀ ପିଲାଙ୍କୁ ମେଧା ବୃତ୍ତି ଦେବା ସହ ସମସ୍ତଙ୍କୁ ଶିକ୍ଷା ଦେବାକୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ବିଧାୟକ ସୁଦାମ ମାରାଣ୍ଡି କହିଥିଲେ, ଦଳିତ ଓ ଆଦିବାସୀଙ୍କ ଶିକ୍ଷା ହାର ବଢ଼ାଇବାକୁ ବିଭିନ୍ନ ଯୋଜନା କରୁଛନ୍ତି। ଏବେ ଶିଶୁ ବିକ୍ରି ହେଉନି, ଆଦିବାସୀ ଅଞ୍ଚଳରେ ମାତୃ ଶିଶୁ ମୃତ୍ୟୁହାର ପୂର୍ବଭଳି ନାହିଁ। ଆର୍ଟିକିଲ୍ (୨୭୫)ରେ ଯେଉଁ ଅର୍ଥ ଆସିବା କଥା ତାହା ବିଳମ୍ବରେ ମିଳୁଥିବାରୁ ଭିତ୍ତିଭୂମିର ବିକାଶ ହୋଇପାରୁନି। ଶାସକ ଦଳ ପକ୍ଷରୁ ଏହି ଖର୍ଚ୍ଚ ଦାବିକୁ ପ୍ରକାଶ ଚନ୍ଦ୍ର ମାଝୀ, ଭାଗିରଥୀ ସେଠୀ, ପ୍ରଦୀପ କୁମାର ଦିଶାରୀ, ସୁଶାନ୍ତ କ‌ୁମାର ବେହେରା, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସମର୍ଥନ କରିଥିବାବେଳେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଶେଷରେ ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର