କାହିଁକି ଅଟକିଛି ତାଳଚେର-ବିମଳାଗଡ଼ ରେଳପଥ ?

ସମ୍ବଲପୁର: ୨୦୦୩-୦୪ ମସିହାରୁ ମଞ୍ଜୁର ହୋଇଥିବା ତାଳଚେର-ବିମଳାଗଡ଼ ରେଳପଥକୁ ୨୦ ବର୍ଷ ବିତିଥିବାବେଳେ ଏ ପର୍ଯ୍ୟନ୍ତ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ନାମକୁ ମାତ୍ର କିଛି ଜମି ଅଧିଗ୍ରହଣ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରେ ବି ବିବାଦୀୟ ଅଂଶଗୁଡ଼ିକ ବାକି ରହିଛି। ଏଭଳି ସ୍ଥିତିରେ ଆସନ୍ତା ଜୁଲାଇ ମାସ ସୁଦ୍ଧା ସୁନ୍ଦରଗଡ଼ ଓ ଅଗଷ୍ଟ ଶେଷ ବେଳକୁ ଦେବଗଡ଼ ଜିଲ୍ଲାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କହାଯାଇଛି। ଗତ ୧ ତାରିଖ ଦିନ ସମ୍ବଲପୁରରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂପର୍କିତ ସମୀକ୍ଷା ବୈଠକରେ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳାଇ ସଂପୃକ୍ତ ଜିଲ୍ଲାପାଳ ଓ ରାଜସ୍ବ ଅଧିକାରୀମାନଙ୍କ ଉପସ୍ଥିତିରେ ରେଳବାଇ ଅଧିକାରୀଙ୍କୁ ଏ ସଂପର୍କରେ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ଆଧାର କରି ପୂର୍ବତଟ ରେଳବାଇ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଟେଣ୍ଡର ଡାକି କାମ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେଲେ ଯେଉଁ କାମ ୨୦ ବର୍ଷ ଧରି ହୋଇପାରି ନାହିଁ, ତାହା ଆଉ ୨ ମାସ ମଧ୍ୟରେ କେମିତି ହେବ ସେନେଇ ବୁଦ୍ଧିଜୀବୀମାନେ ସନ୍ଦେହ ପ୍ରକାଶ କରିଛନ୍ତି।
୧୪୯.୭୮ କିଲୋମିଟର୍ ବିଶିଷ୍ଟ ଏହି ରେଳପଥ ଉପରୋକ୍ତ ୩ଟି ଜିଲ୍ଲାକୁ ସଂଯୋଗ କରିବ।

ଏହି ରେଳପଥର ସର୍ବାଧିକ ୮୨.୬୫ କିଲୋମିଟର୍ ଅନୁଗୁଳ, ୩୫.୦୩ କିଲୋମିଟର୍ ସୁନ୍ଦରଗଡ଼ ଓ ୩୨.୧୦ କିଲୋମିଟର ଦେବଗଡ଼ ଜିଲ୍ଲା ଦେଇ ଯିବ। ଏହା ଜରିଆରେ ଅନୁନ୍ନତ ଦେବଗଡ଼ ଜିଲ୍ଲାରେ ପ୍ରଥମ କରି ରେଳ ଗଡ଼ିବ। ହେଲେ ଦେବଗଡ଼ ଜିଲ୍ଲାର ୧୯ଟି ମୌଜାରେ ଅଧିଗ୍ରହଣ ହେବାକୁ ଥିବା ମୋଟ ୧୯୨ ଏକର ଘରୋଇ ଓ ୮୧ ଏକର ସରକାରୀ ଜମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଖୁବ୍ କମ ଅଧିଗୃହୀତ ହୋଇଛି। ଗୋଟିଏ ମୌଜାରେ ଲୋକଙ୍କୁ ସୁହାଇବା ଭଳି ନିୟମରେ ଜମି ଅଧିଗ୍ରହଣ ହେବାରୁ ସେଠାକାର ଲୋକେ ଟଙ୍କା ନେଇ ଜମି ହସ୍ତାନ୍ତର କରିଛନ୍ତି। ଆଉ ଗୋଟିଏ ମୌଜାରେ ବି ଅଧିକାଂଶ ଲୋକ ଜମି ହସ୍ତାନ୍ତର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ହେଲେ ଅବଶିଷ୍ଟ ୧୭ଟି ମୌଜାରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅଧିଗ୍ରହଣ ନୀତି ଯୋଗୁଁ କାମ ଅଟକି ଯାଇଛି। ୧୨ଟି ମୌଜାର ଲୋକେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଟଙ୍କା ବି ଗ୍ରହଣ କରି ନାହାନ୍ତି। ଏହି ପ୍ରକଳ୍ପର ଇନ୍ଦ୍ରାଣିଝରଣ ମୌଜାରେ ଜମି ଯିବାକୁ ଥିବା ବାରକୋଟ ନିବାସୀ ଦୁଃଶାସନ ଗୁରୁଙ୍କ କହିବା ହେଲା, ଦେବଗଡ଼ବାସୀ ରେଳ ପ୍ରକଳ୍ପକୁ ସ୍ବାଗତ କରୁଛନ୍ତି ଓ ନ୍ୟାୟୋଚିତ କ୍ଷତିପୂରଣ ମିଳିଲେ ତୁରନ୍ତ ଜମି ହସ୍ତାନ୍ତର କରିବାକୁ ରାଜି ଅଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ୨୦୧୩ର ଆଇନ୍ ଅନୁଯାୟୀ ଅଧିଗ୍ରହଣ କରାଯିବ ବୋଲି କହା ଯାଉଥିଲେ ବି ବାସ୍ତବରେ ତାହା ଅବଲମ୍ବନ ହେଉ ନାହିଁ।

ଜମିର ବଜାର ଦର ବଦଳରେ ବେଞ୍ଚମାର୍କ ଦର ବିଚାରକୁ ନିଆଯାଉଛି। ଫଳରେ ‌ଏନ୍‌ଏଚ୍‌-୪୯ ନିର୍ମାଣ ପାଇଁ ଯେଉଁ ମୌଜାରେ ଡିସିମିଲ୍ ପିଛା ୧ ଲକ୍ଷ ଟଙ୍କାରେ ଅଧିଗ୍ରହଣ କରା ଯାଇଥିଲା, ୨ ବର୍ଷ ପରେ ରେଳ ପ୍ରକଳ୍ପ ପାଇଁ ସେଠାରେ ଲୋକଙ୍କୁ ଗୋଟିଏ ଡିସିମିଲକୁ ୧୩୫୦ ଟଙ୍କା ଦେବାକୁ ପ୍ରସ୍ତାବ ରହିଛି। ଇନ୍ଦ୍ରାଣିଝରଣ ମୌଜାରେ ଜମିର ଡିସିମିଲ ପିଛା ବେଞ୍ଚମାର୍କ ମୂଲ୍ୟ ମାତ୍ର ୧୧୦୦ ଟଙ୍କା ରହିଛି। ତେଣୁ ଆଜିର ସମୟରେ ୧୧୦୦ ଟଙ୍କା ମୂଲ୍ୟରେ କିଏ ଜମି ଛାଡ଼ିବାକୁ ରାଜି ହେବ ବୋଲି ଶ୍ରୀ ଗୁରୁ ପ୍ରଶ୍ନ କରିଛନ୍ତି। ଦେବଗଡ଼ ଜିଲ୍ଲାରେ ଜମି ହରାଇବାକୁ ଥିବା ଅଧିକାଂଶ ଲୋକ ପୂର୍ବରୁ ରେଂଗାଲି ଡ୍ୟାମ୍ ପ୍ରକଳ୍ପ ବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣବେଳେ ବିସ୍ଥାପିତ ହୋଇଛନ୍ତି। ହେଲେ ସେମାନେ ଶାଗମାଛ ମୂଲ୍ୟରେ ଜମି ଦେଇ ଦ୍ବିତୀୟବାର କାହିଁକି ବିସ୍ଥାପିତ ହେବାକୁ ଚାହିଁବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

୨୦୦୩-୦୪ରେ ମଞ୍ଜୁରିପ୍ରାପ୍ତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ବର୍ତ୍ତମାନ ସୁଦ୍ଧା ଅନୁଗୁଳ ପଟୁ ମାତ୍ର ୧୭.୬୨ କିଲୋମିଟର୍ କାମ ଶେଷ ହୋଇଛି। ଅନୁଗୁଳ ଜିଲ୍ଲାରେ ଆଉ ୩୦.୫ କିଲୋମିଟର୍ କାମ ଜାରି ରହିଛି। ଏଥି ପାଇଁ ୬୭ ଗାଁର ମୋଟ ୫୩୧ ଏକର ଘରୋଇ ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ୬୧ଟି ଗାଁର ସିଂହଭାଗ ଜମି ଅଧିଗୃହୀତ ହୋଇ ପୂର୍ବତଟ ରେଳବାଇକୁ ହସ୍ତାନ୍ତର ସରିଛି। କିନ୍ତୁ କୋର୍ଟରେ ଅନେକ ମାମଲା ବିଚାରାଧୀନ ଥିବାରୁ ଅବଶିଷ୍ଟ ୬ଟି ଗାଁରେ ଅଧିଗ୍ରହଣ ହୋଇପାରି ନାହିଁ। ଅପରପକ୍ଷରେ ଜିଲ୍ଲାର ୨୦୩ ଏକର ସରକାରୀ ଜମି ରେଳବାଇକୁ ହସ୍ତାନ୍ତର ହୋଇ ସାରିଥିବାବେଳେ ଏହାର ପଟ୍ଟା ଦେବା କାମ ବାକି ରହିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୨୯ଟି ମୌଜାର ୨୪୮ ଏକର ଘରୋଇ ଜମି ମଧ୍ୟରୁ ରେଳବାଇକୁ ଗୋଟିଏ ମୌଜାର ମାତ୍ର ୨.୦୫ ଏକରର ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ୧୪୪ ଏକର ସରକାରୀ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥଇବାବେଳେ କେବଳ କୋଇଡ଼ା ତହସିଲର ୭.୯୮ ଏକର ଜମିର ପଟ୍ଟା ହସ୍ତାନ୍ତର ହୋଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ଦଳାଇ ଅଗଷ୍ଟ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରାଯିବ ବୋଲି ରେଳବାଇକୁ ପ୍ରତିଶ୍ରୁତି ଦିଆ ଯାଇଥିବା ସ୍ବୀକାର କରିଛନ୍ତି। ଏନେଇ ସରକାରୀ କଳ ତତ୍ପର ରହିଛି ଓ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ନେଇ ଆମେ ଆଶାବାଦୀ ଅଛୁ ବୋଲି ‘ସମ୍ବାଦ’କୁ ଡ. ଦଳାଇ କହିଛନ୍ତି।

ସମ୍ବନ୍ଧିତ ଖବର