ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି। ସରକାର ଓ ସରକାରୀ ଦଳର ପ୍ରୋତ୍ସାହନରେ ପୀଡ଼ିତାଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଦଳ ଆରୋପ ଲଗାଇଛି। ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣାକୁ ରାଜ୍ୟ ସରକାର ଚପାଇଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ଘଟଣାଟି ୧୪ ତାରିଖ ରାତିରେ ଘଟିଥିଲେ ହେଁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଚପାଇ ଦେଇଥିଲେ। ପୀଡ଼ିତା ହାଇକୋର୍ଟରୁ ଜାମିନ ପାଇବା ପରେ ଏହି ଘଟଣାଟି ୧୮ ତାରିଖରେ ଲୋକଲୋଚନକୁ ଆସିଲା।

Advertisment

ଭିଡିଓ ଗଣମାଧ୍ୟମକୁ ଆସିଲା କିପରି? 
୬ ଘଣ୍ଟିଆ ହରତାଳରୁ ଜରୁରୀକାଳୀନ ସେବା ବାଦ୍ ପଡ଼ିବ

ଆଶ୍ଚର୍ଯ୍ୟର କଥା ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଘଟଣାକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ ନକରି ସେପ୍ଟେମ୍ବର ୧୭ ତାରିଖରେ ଏକ ଜାତୀୟ ଗଣମାଧ୍ୟମକୁ କେଉଁ ଆଧାରରେ ଦାୟିତ୍ବହୀନ ଭାବେ ଭରତପୁର ପୁଲିସକୁ କ୍ଲିନ୍‌ଚିଟ୍ ଦେଇଥିଲେ? ସେହିପରି ଥାନା ଭିତରର ଭିଡିଓ ରେକର୍ଡିଂ ଗଣମାଧ୍ୟମରେ ବୁଲିଲା କିପରି? ପବ୍ ଭିତରର ଭିଡିଓ ପୁଲିସ ଜବତ କଲା ପରେ ଏହା ଗଣମାଧ୍ୟମକୁ ଆସିଲା କିପରି? ଜଣେ ପୀଡ଼ିତା କ’ଣ ଖାଉଥିଲେ, କ’ଣ ପିନ୍ଧିଥିଲେ ଏହାର ପ୍ରଚାର କରି ପୀଡ଼ିତା ମହିଳାଙ୍କୁ କାହିଁକି ନିନ୍ଦିତ କରାଗଲା? ସରକାର ଓ ବିଜେପିର ମୁଖପାତ୍ରମାନେ ଓ ବିଜେପି ସମର୍ଥିତ ସାମାଜିକ ଗଣମାଧ୍ୟମମାନେ ପୀଡ଼ିତାଙ୍କୁ ନିନ୍ଦିତ କରିବାକୁ ଅଣ୍ଟା ଭିଡ଼ି ଲାଗି ପଡ଼ିଛନ୍ତି। ଯଦି ଏ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବା କଥା କହୁଛନ୍ତି, ତାହା ହେଲେ ଏଭଳି ନିନ୍ଦିତ କାର୍ଯ୍ୟ କାହିଁକି କରୁଛନ୍ତି? ଜଣେ ମହିଳା ସାହସର ସହିତ ଦୁର୍ବୃର୍ତ୍ତଙ୍କୁ ସାମ୍ନା କଲା ପରେ ତାଙ୍କୁ ପ୍ରଶଂସା କରିବା ବଦଳରେ ନିଚ୍ଚା ଦେଖାଇବାର ଅପଚେଷ୍ଟା କାହିଁକି କରାଯାଉଛି? 

ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଲେ, ଭରତପୁର ଥାନା ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଓଡ଼ିଶାର ସମ୍ମାନ ତଳକୁ ନେଇ ଯାଇଛି। ବିଜେପି ସରକାର କ୍ଷମତାକୁ ଆସିବାର ୧୦୦ ଦିନ ପୂରଣକୁ ନେଇ ବିଜେପି ଉତ୍ସବ ପାଳନରେ ମସ୍‌ଗୁଲ ଥିଲା ବେଳେ ଭରତପୁର ଥାନା ଲଜ୍ଜା ଘଟଣା ଲୋକଲୋଚନକୁ ଆସିଛି। ୧୦୦ ଦିନର ଯାତ୍ରାର ଆରମ୍ଭରେ ରାଜ୍ୟପାଳଙ୍କ ପୁଅ ଦ୍ବାରା ଆକ୍ରମଣର ଶୀକାର ହୋଇଥିଲେ ଜଣେ ସରକାରୀ ଅଧିକାରୀ ଏବଂ ୧୦୦ ଦିନର ପୂର୍ତ୍ତିର ଠିକ୍ ପୂର୍ବରୁ ଭରତପୁର ଥାନା ଲଜ୍ଜା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି।  ଭୁବନେଶ୍ବରରେ ହେବାକୁ ଥିବା ୬ ଘଣ୍ଟିଆ ହରତାଳ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ହରତାଳ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଭୂତି ବଳବନ୍ଦରାୟ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ ଓ ନବକିଶୋର ମଲ୍ଲିକ, ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଉପସ୍ଥିତ ଥିଲେ।