ସଂସ୍କୃତି ବିଭାଗ ଅଛି କାହିଁକି?

କଟକଣାରେ ସବୁ ହେଉଛି, କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ ମନା

କଳାକୁ ବୃତ୍ତି କରିଥିବା ଶତାଧିକ କଳାକାରଙ୍କ ସ୍ଥିତି ଦୟନୀୟ
ଦୁଇ, ଚାରିଟା ଭର୍ଚୁଆଲ୍‌ କାର୍ଯ୍ୟକ୍ରମ କରି ବିଭାଗ ହାତ ଟେକିଦେଇଛି

ଭୁବନେଶ୍ୱର : କୋଭିଡ୍‌ ସମୟରେ ଜୀବନ ସହ ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର ବାରମ୍ବାର ଘୋଷଣା କରୁଛନ୍ତି। ସେଥି ପାଇଁ ସବୁ ବୃତ୍ତିରେ କଟକଣା ଭିତରେ ରୋଜଗାର ନିମନ୍ତେ ସୁଯୋଗ ଦିଆଯାଉଛି। କିନ୍ତୁ ନୃତ୍ୟ, ଗୀତ, ଅଭିନୟ ଆଦିକୁ ବୃତ୍ତି କରିଥିବା ରାଜ୍ୟର ଶହ ଶହ କଳାକାରଙ୍କ ପେଟରେ ଶକ୍ତ ଲାତ ମରାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳୁ ନ ଥିବାରୁ ଏହି ବୃତ୍ତିରେ ଥିବା ଲୋକମାନେ ରୋଜଗାର ହରାଇ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି। କଳା, ସଂସ୍କୃତିର ଦାୟିତ୍ବ ନେଇଥିବା ସଂସ୍କୃତି ବିଭାଗ ଯେମିତି ମୂକ ପାଲଟିଯାଇଛି। ବିଭାଗଟି ଏବେ କି କାମ କରୁଛି, ତାହା ବୁଝାପଡ଼ୁନି। ବିପଦ ସମୟରେ କାମରେ ଆସୁ ନ ଥିବା ଏହି ବିଭାଗ କାହିଁକି ଅଛି ବୋଲି କଳାକାରମାନେ ପ୍ରଶ୍ନ କଲେଣି।

କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଶହେ ଲୋକ ଏକାଠି ହେବାକୁ ଅନୁମତି ମିଳୁଛି। ଜନ୍ମଦିନ, ବାହାଘର ପାଳନ ହେଉଛି ଓ ଭୋଜିଭାତ ହେଉଛି। ନିର୍ବାଚନରେ ଶହ ଶହ ଲୋକ ଶୋଭାଯାତ୍ରାରେ ଯାଇପାରୁଛନ୍ତି। ନିର୍ବାଚନୀ ସଭାରେ ଲୋକ ସମାଗମ ହୋଇପାରୁଛି। ଏସବୁରେ କରୋନା ବ୍ୟାପୁ ନାହିଁ। କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ମହାମାରୀ ମାଡ଼ିଯିବ। ଏମିତି ଏକ ଉଦ୍ଭଟ ମାନସିକତା ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରୁ ରୋକ୍ ଉଠାଉ ନାହାନ୍ତି ସରକାର। ସରକାରୀ ବାବୁମାନଙ୍କର ଦୋମୁହାଁ ନୀତିରେ କି ଯୁକ୍ତି ରହିଛି, ତାହା କେହି ବୁଝି ପାରୁ ନାହାନ୍ତି।

ମାର୍ଚ୍ଚ ୨୩ ତାରିଖରେ ଲକ୍‌ଡାଉନ୍ ପର ଠାରୁ ସବୁ ପ୍ରକାର ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା। ଜୁଲାଇ ମାସରେ ଅନ୍‌ଲକ୍‌ ଆରମ୍ଭ ହେଲା ପରେ କିଛି କିଛି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଲା। ବାହାଘର, ବ୍ରତଘର ଓ ଜନ୍ମଦିନ ପରି କାର୍ଯ୍ୟକ୍ରମରେ ଶହେ ଲୋକଙ୍କୁ ଏକାଠି ହେବା ପାଇଁ ଅନୁମତି ମିଳିଲା। ହୋଟେଲ୍‌, କଲ୍ୟାଣ ମଣ୍ଡପ ଖୋଲାଗଲା। ପରବର୍ତ୍ତୀ ସମୟରେ ହାଟ, ବଜାର, ମଲ୍‌ ସବୁ ଖୋଲାଗଲା। ରେସ୍ତୋଁରା ଖୋଲିଲା ଓ ଲୋକଙ୍କୁ ସେଠାରେ ବସି ଖାଇବା ପାଇଁ ଅନୁମତି ବି ମିଳିଲା। କେବଳ ସାମାଜିକ ଦୂରତ୍ବ ଓ ମାସ୍କ କଟକଣାକୁ ‌କଡ଼ାକଡ଼ି କରାଯାଉଛି। କୋଭିଡ୍‌ ଗାଇଡ୍‌ଲାଇନ୍ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଏହି କଟକଣା ରଖି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ କେଉଁଠି ଅସୁବିଧା ରହୁଛି ବୋଲି କଳାକାରମାନେ ପ୍ରଶ୍ନ କରିଛନ୍ତି। ସବୁ ବୃତ୍ତି ପାଇଁ ସରକାର କୋହଳ ହେଉଥିଲା ବେଳେ କଳାକୁ ବୃତ୍ତି କରିଥିବା ଲୋକଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବାକୁ ଉଦ୍ଦେଶ୍ୟ କ’ଣ ଜଣାପଡ଼ୁନି। ସରକାର କଟକଣା ଭିତରେ ଅନୁମତି ଦେଲେ ଏହି ଦୁନିଆ ଚଳଚଞ୍ଚଳ ହୋଇପାରନ୍ତା। ନା ସରକାର ଏ ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି ନା ସଂସ୍କୃତି ବିଭାଗ କିଛି ପ୍ରସ୍ତାବ ଦେଉଛି। ବିଭାଗ ପକ୍ଷରୁ ଏ ନେଇ ମାନସ ମନ୍ଥନ ବି କରାଯାଉନି। କିପରି ବାଟ ବାହାରିପାରିବ ଓ କଳାକାରମାନେ ରୋଜଗାର କରିପାରିବେ, ତାହା ଉପରେ ବିଭାଗର ମନ୍ତ୍ରୀ, ଅଧିକାରୀମାନଙ୍କର ଚିନ୍ତା ନାହିଁ। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ କାଁ ଭାଁ କିଛି କାର୍ଯ୍ୟକ୍ରମ ଆୟୋଜନ କରି ବିଭାଗ କରୋନା ସମୟରେ ବହୁ କାମ କରିଦେଲା ବୋଲି ବିଭାଗ ବାହାସ୍ଫୋଟ ମାରୁଛି।

କଳା, ସଂସ୍କୃତି ଜଗତ ପ୍ରତି ସରକାରଙ୍କ ଚରମ ଅବହେଳାର ଆଉ ଏକ ଉଦାହରଣ ବି ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ସେପ୍ଟେମ୍ବର ମାସରେ ଓପନ୍ ଏୟାର ଥିଏଟର୍‌ ଖୋଲିବାକୁ ଅନୁମତି ଦେଲେ। ରାଜ୍ୟ ସରକାର ମଧ୍ୟ ତାହାକୁ ଗ୍ରହଣ କରି ଅନୁମତି ଦେଲେ। କିନ୍ତୁ ଏହି ଅନୁମତି ଉଦ୍ଭଟ ଧରଣର ଥିଲା। ଗୋଟିଏ ପଟେ ଓପନ୍ ଏୟାର ଥିଏଟର୍‌ ଖୋଲିବାକୁ ଅନୁମତି ଦେଇ ଅନ୍ୟ ପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଲେ। ଯଦି ସାଂସ୍କୃତିକ କା‌ର୍ଯ୍ୟକ୍ରମ ନ ହେବ, ତେବେ ଓପନ୍ ଏୟାର ଥିଏଟର୍‌ରେ କ’ଣ ‌କରାଯିବ ବୋଲି ପ୍ରଶ୍ନ ଉଠୁଛି। ଫଳରେ ଖୋଦ୍ ଭୁବନେଶ୍ବରରେ ସଂସ୍କୃତି ବିଭାଗ ଅଧୀନରେ ଥିବା ଓପନ୍ ଏୟାର ଅଡିଟୋରିୟମ୍ ଉତ୍କଳ ମଣ୍ଡପ ଖୋଲି ନାହିଁ।

ସେହିପରି ଅକ୍ଟୋବର ମାସରେ ଅଡିଟୋରିୟମ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଲେ। କିନ୍ତୁ ରାଜ୍ୟ ସରକାର ତାହାକୁ ଗ୍ରହଣ କରିନାହାନ୍ତି କି ଅନୁମତି ଦେଇ ନାହାନ୍ତି। ଯଦି ବଡ଼ ହଲ୍‌ରେ ଶହେ ଲୋକଙ୍କୁ ନେଇ ଭୋଜିଭାତ ହୋଇପାରୁଛି, ତେବେ ଅଡି‌େଟାରିୟମ୍‌ରେ କମ୍ ସଂଖ୍ୟକ ଦର୍ଶକଙ୍କୁ ନେଇ କାହିଁକି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ ବୋଲି ପ୍ରଶ୍ନ ଉଠୁଛି।

ଯେହେତୁ କେନ୍ଦ୍ର ସରକାର ସୀମିତ ସଂଖ୍ୟାରେ ଲୋକଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇସାରିଛନ୍ତି, ତେଣୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜକମାନଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ଅନୁଦାନ ପାଇଁ ପ୍ରସ୍ତାବ ମାଗିଲାଣି। କିନ୍ତୁ ଓଡ଼ିଶାରେ ଅନୁମତି ଦିଆଯାଉ ନ ଥିବାରୁ ଆୟୋଜକମାନେ ଆବେଦନ ବି କରିପାରୁ ନାହାନ୍ତି। ଏଠାରେ କେବେ ଅନୁମତି ମିଳିବ, ତାହାର ଉତ୍ତର କାହା ପାଖରେ ନାହିଁ। ଫଳରେ ସରକାରଙ୍କ ଅପାରଗତା ଯୋଗୁ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ସାଂସ୍କୃତିକ ସଂଗଠନଗୁଡ଼ିକ ଏହି ଅନୁଦାନ ପାଇବାରୁ ବଞ୍ଚିତ ହେବାକୁ ଯାଉଛନ୍ତି।

ସବୁ ପରେ ଓଡ଼ିଶାର ଏକ ବଡ଼ ପରିଚୟ ହେଉଛି କଳା, ସଂସ୍କୃତି। ଏ ଦିଗଟିକୁ ସରକାର ନଜର ଅନ୍ଦାଜ କରିଦେବା ସଂସ୍କୃତିପ୍ରେମୀଙ୍କୁ ବ୍ୟଥିତ କରିଛି। କଟକଣା ଭିତରେ କିପରି କାର୍ଯ୍ୟକ୍ରମ ହୋଇପାରିବ, ସେଥି ପାଇଁ ବାଟ ବାହାର କରିବାକୁ ଦାବି ଉଠୁଛି। ଅଧିକ ବିଳମ୍ବ ହେଲେ ଏହି ସୃଜନଶୀଳ କ୍ଷେତ୍ରଟି ସାଂଘାତିକ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର