ୟୁକ୍ରେନ୍‌‌ରେ ‌ମେଡିକାଲ ପଢ଼ିବା ପାଇଁ କାହିଁକି ଏତେ ଆଗ୍ରହ? ଓଡ଼ିଶାର ଶହଶହ ପିଲା ପଢ଼ୁଛନ୍ତି

ଭୁବନେଶ୍ବର : ‘କୋଭିଡ୍‌ ସମୟରେ ତା’ ମା’ର ଦେହାନ୍ତ ହୋଇଗଲା। ନିଟ୍‌ରେ ଭଲ ରେଜଲ୍ଟ କରିଥିଲେ ମଧ୍ୟ ଭଲ ସରକାରୀ ମେଡିକାଲ କଲେଜରେ ଆଡମିସନ୍‌ ମିଳିଲା ନାହିଁ। ତେଣୁ ସେ ମାନସିକ ଭାବେ ଚାପଗ୍ରସ୍ତ ରହୁଥିଲା। ୟୁକ୍ରେନ୍‌ ମେଡିକାଲ କଲେଜ ବିଷୟରେ ମୁଁ ପୂର୍ବରୁ ଜାଣିଥିଲି। ସେଠାରେ ନାମଲେଖା ଫି’ ବହୁତ କମ୍‌ ଏବଂ ଶିକ୍ଷାର ମାନ ବି ଗୁଣାତ୍ମକ। ତେଣୁ କିଛି ମାସ ପୂର୍ବରୁ ୟୁକ୍ରେନ୍‌ର ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍ସରେ ପୁଅର ନାଁ ଲେଖାଇଥିଲି।’ ୟୁକ୍ରେନ୍‌ରେ ମେଡିକାଲ ପଢ଼ୁଥିବା ମହମ୍ମଦ ଜାକିଙ୍କ ବାପା ଅଜିମ ଅଜ୍ଜୁ ଏହା କହିଛନ୍ତି। ଅଜିମ୍‌ଙ୍କ ଘର ସମ୍ବଲପୁରରେ। ତେବେ କେବଳ ଜାକି ନୁହନ୍ତି, ଓଡ଼ିଶା ସମେତ ସମଗ୍ର ଦେଶର ଅନେକ ବିଦ୍ୟାର୍ଥୀ ୟୁକ୍ରେନ୍‌ରେ ମେଡିକାଲ ଏବଂ ଏରୋ‌ନେଟିକ୍ସ ଇଂଜିନିୟରିଂ ପଢ଼ୁଛନ୍ତି। ଏଥିମଧ୍ୟରୁ ରାଜଧାନୀସ୍ଥିତ ଗ୍ଲୋବାଲ ଫୋକସ୍‌ ଜରିଆରେ ଯାଇଥିବା ୧୩୦୦ ମେଡିକାଲ ପିଲା ସେଠା‌ରେ ଅଛନ୍ତି। ବର୍ଷକୁ ଏହି ସଂସ୍ଥା ପ୍ରାୟ ୧୦୦ରୁ ୧୩୦ ପିଲାଙ୍କୁ ୟୁକ୍ରେନ୍‌ ପଠାଉଥିବା କହିଛନ୍ତି ଏହାର ମୁଖ୍ୟ ଅବଦୁଲ ଜାହିର। ଅର୍ଥାତ୍‌ ସେଠାରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ଆହୁରି ଅନେକ ଅଧିକ ହୋଇଥିବା ଅନୁମାନ କରାଯାଉଛି।

କେବଳ ରାଜଧାନୀ ନୁହେଁ, ରାଜ୍ୟର ସବୁ ଜିଲ୍ଲାର ପିଲା ୟୁକ୍ରେନ୍‌ରେ ମେଡିକାଲ ପଢ଼ନ୍ତି। ଏହାର ପ୍ରମୁଖ କାରଣ ହେଉଛି, ରାଜ୍ୟ‌ରେ ଥିବା ଘରୋଇ ମେଡିକାଲ କଲେଜଗୁଡ଼ିକର ଅତ୍ୟଧିକ ଫି’। କେନ୍ଦ୍ର ସରକାରଙ୍କ ମେଡିକାଲ କଲେଜ ଏମ୍‌ସରେ ନାମଲେଖା ଫି’ ବା‌ର୍ଷିକ ୫ହଜାର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପରିଚାଳିତ ମେଡିକାଲ କଲେଜ‌ରେ ଫି’ ୨୨ ହଜାର ଟଙ୍କା ରହିଛି। ସେହିପରି ରାଉରକେଲାସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଫି’ ବାର୍ଷିକ ୫.୫ ଲକ୍ଷ, ଭୁବନେଶ୍ବର ହାଇଟେକ୍‌ରେ ଫି’ ବାର୍ଷିକ ୬.୫ ଲକ୍ଷ, କିମ୍ସ‌ରେ ବାର୍ଷିକ ୧୬ ଲକ୍ଷ ଏବଂ ସମ୍‌ରେ ଫି’ ବାର୍ଷିକ ୧୭.୯ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହା କେବଳ ନାମଲେଖା ଫି’। ଅନ୍ୟ ଖର୍ଚ୍ଚ ମିଶାଇଲେ, ପାଖାପାଖି ୧ କୋଟିକୁ ଅତିକ୍ରମ କରିଯାଏ।

କିନ୍ତୁ ୟୁକ୍ରେନ୍‌ରେ ମେଡିକାଲ ପାଠ୍ୟକ୍ରମ ପାଇଁ ୫ବର୍ଷର ଫି’ ୪୦ଲକ୍ଷ ଟଙ୍କା ରହିଛି। ଏପରିକି ‘ଗ୍ଲୋବାଲ ଫୋକସ୍‌’ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ୫ ବର୍ଷର ମେଡିକାଲ ପାଠ ଖର୍ଚ୍ଚ ୩୦ଲକ୍ଷ ପର୍ଯ୍ୟନ୍ତ ରହିଥାଏ। ଏକାସଙ୍ଗେ ଟଙ୍କା ଦେଲେ ମଧ୍ୟ ସେଥିରେ କିଛି ରିହାତିର ବ୍ୟବସ୍ଥା ରହିଛି। ନଚେତ୍‌ ବର୍ଷକୁ ୧୦ ଲକ୍ଷ ଟଙ୍କା ହିସାବରେ ଦେବାକୁ ପଡ଼ିଥାଏ। ଆଉ ମଧ୍ୟ, ଅନ୍ତର୍ଜାତୀୟ ପ୍ରତିଷ୍ଠାନରେ ପଢ଼ିବାର ଆକର୍ଷଣ ଅନେକଙ୍କୁ ସେଠାକୁ ଟାଣିନିଏ।

ଅନେକ ଅଭିଭାବକ ଏବଂ ବିଶେଷଜ୍ଞଙ୍କ ଅନୁସାରେ, ସୋଭିଏତ୍‌ ରୁଷ୍‌ର ବିଭାଜନ ପୂର୍ବରୁ ହିଁ ସେଠାରେ ଅନେକ ଜାତୀୟ ସରକାରୀ ମେଡିକାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଥିଓରିଟିକାଲ ଦୃଷ୍ଟିରୁ ମେଡିକାଲ ପାଠପଢ଼ାର ସ୍ତର ସେତେବେଳେ ଅତି ଉଚ୍ଚମାନର ଥିଲା। ସେ ସମୟରେ ବିଦେଶର ଅନେକ ପିଲାଙ୍କୁ ରିହାତିରେ ପାଠ ପଢ଼ିବା ପାଇଁ ସୁଯୋଗ ମିଳୁଥିଲା। କିନ୍ତୁ ସୋଭିଏତ୍‌ ରୁଷ୍‌ର ବିଭାଜନ ପରେ ୟୁକ୍ରେନ୍‌ରେ ଅନେକ ମେଡିକାଲ ବିଶ୍ବବିଦ୍ୟାଳୟ ରହିଗଲା, ଯାହାକି ମେଡିକାଲ ପାଠର ହବ୍‌ ବୋଲି କୁହାଯାଏ। ସେଥିମଧ୍ୟରେ ରହିଛି, ଖାର୍କିଭ୍‌ ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ଫୁଡ୍‌ ଟେକ୍ନୋଲୋଜି, ଓଏମ୍‌ ବେକଟଭ ଜାତୀୟ ବିଶ୍ବବିଦ୍ୟାଳୟ, ଖାରକିଭ ନେସନାଲ ୟୁନିର୍ଭସିଟି ଅଫ ଏୟାରଫୋର୍ସ ସମେତ ଆହୁରି କେତେ। ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ପାଖାପାଖି ୨୩୦ବର୍ଷ ପୁରୁଣା। ସେଠାକାର ବିଦ୍ୟାର୍ଥୀଙ୍କ ତୁଳନାରେ ସିଟ୍‌ ସଂଖ୍ୟା ଅନେକ ଅଧିକ। ତେଣୁ ସେମାନେ ବିଦେଶୀ ବିଦ୍ୟାର୍ଥୀଙ୍କୁ ସେଠାକୁ ପଢ଼ାଇବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରନ୍ତି। ଯାହା ସେମାନଙ୍କ ଆୟର ମୁଖ୍ୟ ସ୍ରୋତ ମଧ୍ୟ। ବିଦେଶରେ ପାଠ ପଢ଼ିବା ପାଇଁ ଚାହୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଅନ୍ୟ ସ୍ଥାନ ଅପେକ୍ଷା ତୁଳନାତ୍ମକ ଭାବେ ୟୁକ୍ରେନ୍‌ ବହୁତ ଶସ୍ତା। ସେଠାରୁ ପାଠପଢ଼ି ଆସିଥିବା ଛାତ୍ରଛାତ୍ରୀମାନେ ଭାରତର ଅନେକ ବଡ଼ ଡାକ୍ତରଖାନାରେ ଚାକିରି କରୁଛନ୍ତି। ବର୍ତ୍ତମାନ କିନ୍ତୁ ୟୁକ୍ରେନ୍‌ର ଏହି ବିଦ୍ୟାର୍ଥୀଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଛି। ସୁରକ୍ଷିତ ସ୍ଥିତିରୁ ସେମାନେ ବାହାରି ଆସିବେ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର