ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଛଡ଼ା ନଯିବାକୁ ନେଇ ବିଧାନସଭାରେ ଉଦବେଗ

ଭୁବନେଶ୍ବର: ବିଧାନସଭାର ଶୁନ୍ୟକାଳରେ ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ ଗ୍ୟାଲେରି ଓ ଲୋକସେବା ଭବନକୁ ଛଡ଼ା ନ ଯିବାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସବୁ କିଛି ସ୍ୱାଭାବିକ ହେଲାଣି। କରୋନା ଗଲାଣି। ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି। ତେଣୁ ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡ଼ାଯିବନି। ସେମାନଙ୍କୁ ଖବର ପରିବେଷଣ ପାଇଁ ସରକାର ଭିତରକୁ ଛାଡ଼ନ୍ତୁ। କେଉଁ କଥା ଲୁଚାଇବା ପାଇଁ ସରକାର ସାମ୍ବାଦିକମାନଙ୍କୁ ଛାଡୁ ନାହାନ୍ତି ବୋଲି ବି ପ୍ରଶ୍ନ କରିଛନ୍ତି ମୋହନ।

ମୋହନ ମାଝୀଙ୍କ ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇଥିଲେ। ସାମ୍ବାଦିକଙ୍କୁ କାହିଁକି ଲୋକସେବା ଭବନ ଛଡ଼ାଯିବନି ବୋଲି ଉଭୟେ ପ୍ରଶ୍ନ କରିଥିଲେ। ଲୋକସେବା ଭବନକୁ ଛଡ଼ାନଯିବା ଦ୍ବାରା ସାମ୍ବାଦିକଙ୍କ ପ୍ରତି ଅନ୍ୟାୟ ହେଉଛି। ଏଣୁ ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ତୁରନ୍ତ ଛଡ଼ାଯିବା ଲାଗି ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର