ଭୁବନେଶ୍ବର : ଶିଳ୍ପାନୁଷ୍ଠାନଗୁଡ଼ିକ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର କରିବାବେଳେ କହୁଛନ୍ତି ଯେ, ଆମେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବୁ। ରାଜ୍ୟ ସରକାର ବି ପ୍ରଚାର କରୁଛନ୍ତି ଯେ, ଏତେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ହେଲେ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ହେବା ପରେ ଦେଖିଲା ବେଳକୁ ଅଣଓଡ଼ିଆ କର୍ମଚାରୀ ଭର୍ତ୍ତି ହୋଇଯାଉଛନ୍ତି। ଯେତିକି ଓଡ଼ିଆ ପିଲାଙ୍କୁ ଚାକିରି ଦିଆଯାଉଛି ସେମାନଙ୍କୁ ଧୀରେଧୀରେ ଛଟେଇ କରିଦିଆଯାଉଛି। ରାଜ୍ୟ ସରକାର କେବେ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ନେଇ କଡ଼ାକଡ଼ି ନିୟମ କରିବେ। କେବେ ଏମ୍ଓୟୁରେ ଏହାକୁ ବାଧ୍ୟତାମୂଳକ କରାଯିବ?
ଆଜି ପ୍ରଶ୍ନକାଳରେ ବିରୋଧୀ ଏହିଭଳି ପ୍ରଶ୍ନ ବାଣରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କୁ ଘେରିିଥିଲେ। ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପଶ୍ନର ମନ୍ତ୍ରୀ ଉତ୍ତର ଦେବା ପରେ ବିଧାୟକମାନେ ସେମାନଙ୍କ ଅଞ୍ଚଳର ଶିଳ୍ପାନୁଷ୍ଠାନରେ ଦେଖାଦେଉଥିବା ନିଯୁକ୍ତି ଓ ଛଟେଇ ସଂକ୍ରାନ୍ତ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ।
ବିଧାୟକ ସୁର ରାଉତରାୟ କହିଥିଲେ ଯେ, ଆମେ ଆମ ଖେଳପଡ଼ିଆ, ମଶାଣି ଜମି ଶିଳ୍ପ ପାଇଁ ଦେଲୁ। ହେଲେ ସବୁ ଶିଳ୍ପାନୁଷ୍ଠାନାରେ କାହିଁକି ଅଗ୍ରାଧିକାର ଭିତ୍ତିରେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଉଛି। ବୈଷୟିକ ଶିକ୍ଷା ହାସଲ କରିଥିବା ସ୍ଥାନୀୟ ପିଲାଙ୍କୁ କେବେ ନିଯୁକ୍ତି ଦିଆଯିବ? ବରୁଣେଇ, ଚନ୍ଦକା, ଚନ୍ଦ୍ରଶେଖରପୁର, ଛତାବରରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ଭୁବନେଶ୍ବର ଆଖପାଖର ପିଲାଙ୍କୁ କାହିଁକି ନିଯୁକ୍ତି ଦିଆଯାଉନି?
ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେଉଁମାନେ ଦକ୍ଷତା କେନ୍ଦ୍ରରେ ତାଲିମ୍ ନେଉଛନ୍ତି ସେମାନଙ୍କୁ ବ୍ଲକ ଓ ଜିଲ୍ଲାସ୍ତରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ସହ ସଂଯୋଗ କରାଯାଉ। ଏଥିପାଇଁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଉ, ଏମ୍ଓୟୁ ସ୍ବାକ୍ଷର କରିବାବେଳେ ରାଜ୍ୟ ସରକାର ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ କରନ୍ତୁ।
ବିଧାୟକ ନାଉରୀ ନାୟକ କହିଥିଲେ, ରାଜ୍ୟ ସରକାର ତ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦେଉନାହାନ୍ତି। ସବୁଠୁ ବଡ଼ ସମସ୍ୟା ହେଉଛି ଯେଉଁ ଅଞ୍ଚଳର ଲୋକ ଜମି ଦେଉଛନ୍ତି ସେହି ଅଞ୍ଚଳର ପିଲାଙ୍କୁ ନିଯୁକ୍ତି ମିଳୁନି। ତେଣୁ ଯେଉଁଠି ଶିଳ୍ପ ପ୍ରତିଷ୍ଠା ହେଉଛି ସେଠାରେ ସ୍ଥାନୀୟ ବ୍ଲକ, ଜିଲ୍ଲା ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉ, ତା’ପରେ ବାକି ଓଡ଼ିଶା ପିଲାଙ୍କୁ ନିଯୁକ୍ତି ଦିଆଯାଉ। ଏନେଇ ଆର୍ଆଣ୍ଡ୍ ଆର୍ ପଲିସିରେ ସଂଶୋଧନ କରାଯାଉ।
ବିଧାୟକ ସିଏସ୍ ରାଜନ୍ ଏକ୍କା, ଚନ୍ଦ୍ର ସାରଥୀ ବେହେରା, ପ୍ରେମାନନ୍ଦ ନାୟକ ପ୍ରମୁଖ ସେମାନଙ୍କ ଅଞ୍ଚଳର ସମସ୍ୟା ବିଷୟରେ କହିଥିଲେ।
ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ମୂଳ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଦ୍ବାରା ସର୍ବେକ୍ଷଣ କରାଯାଇ ପିଏଲ୍ଏଫ୍ଏସ୍ ଦ୍ବାରା ପ୍ରକାଶିତ ୨୦୨୦-୨୧ର ବାର୍ଷିକ ବିବରଣୀ ଅନୁଯାୟୀ, ଓଡ଼ିଶାରେ କାମ କରିବା ବୟସର ଜନସଂଖ୍ୟାର ୪୧.୭% କର୍ମକ୍ଷେତ୍ରରେ ନିୟୋଜିତ ଥିବାବେଳେ ଏହା ଜାତୀୟ ସ୍ତରରେ ୩୯.୮%। ସେହିପରି ରାଜ୍ୟରେ ୬.୩% କାମ କରିବାକୁ ଚାହୁଁଥିଲେ ମଧ୍ୟ ନିଯୁକ୍ତି ପାଇପାରିନାହାନ୍ତି। ଯାହା ଜାତୀୟସ୍ତରରେ ୪.୯%। ରାଜ୍ୟ ସରକାର କାମ କରିବାର ବୟସ ଜନସଂଖ୍ୟାକୁ ସଂପୂର୍ଣ୍ଣ ଭାବେ କର୍ମ କ୍ଷେତ୍ରରେ ନିୟୋଜିତ କରିବା ପାଇଁ ଅଙ୍ଗୀକାରବଦ୍ଧ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି।
ସେହିପରି ବିଧାୟକମାନଙ୍କ ଅଭିଯୋଗର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଆର୍ ଆଣ୍ଡ ଆର୍ ପଲିସିରେ ସଂଶୋଧନ କରିବା ଆମ ବିଭାଗର ଦାୟିତ୍ବ ନୁହେଁ। ଯେଉଁ ବିଭାଗର ଦାୟିତ୍ବ ସେ ବିଭାଗ ସହ ବୈଠକ କରି ଆବଶ୍ୟକୀୟ ପଦକ୍ଷେପ ନେବୁ। ଏହାସହ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ଯେପରି ଅଧିକ ନିଯୁକ୍ତି ମିଳିବ ସେଥିପାଇଁ ବୈଷୟିକ ତାଲିମ୍ ଦେବୁ। ରାଜ୍ୟରେ ଯେପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶା ଡାକୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ୟମକୁ ସମେସ୍ତ ଧନ୍ୟବାଦ ନଜଣାଇଲେ ପାପ ଲାଗିବ।
ଆଜିର ପ୍ରଶ୍ନକାଳରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପର୍କିତ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନ ଏବଂ ରଣପୁର ନିର୍ବାଚନ ମଣ୍ଡଳୀର ରଣପୁର ଓ ଓଡ଼ଗାଁ ବ୍ଲକର ରାସ୍ତା ସମସ୍ୟାକୁ ନେଇ ବିଧାୟକ ସତ୍ୟନାରାୟଣ ପ୍ରଧାନ ପଚାରିଥିବା ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ପାନୀୟ ଜଳ ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ରାସ୍ତା ସମ୍ପର୍କିତ ପ୍ରଶ୍ନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଉତ୍ତର ରଖିଥିଲେ।