ଜାଣନ୍ତୁ ଓଡ଼ିଶାରୁ ମେଡିକାଲ ପଢିବାକୁ ୟୁକ୍ରେନ କାହିଁକି ଯାଉଛନ୍ତି ଛାତ୍ରଛାତ୍ରୀ?

ଭୁବନେଶ୍ୱର: ୟୁକ୍ରେନ ଉପରେ ଏବେ ଋଷିଆ ଲଗାତାର ଆକ୍ରମଣ କରୁଛି | ଆଉ ଏହାରି ଭିତରେ ୟୁକ୍ରେନରେ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ୁଥିବା ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବେ ଚିନ୍ତାରେ ଅଛନ୍ତି | ସାରା ଭାରତରୁ ପାଖାପାଖି ୧୮ ହଜାର ପିଲା ୟୁକ୍ରେନରେ ମେଡିକାଲ ପାଠ ପଢୁଥିବାବେଳେ ସୂତ୍ରରୁ ଜଣାପଡିଛି ଯେ ଓଡ଼ିଶାର ପ୍ରାୟ ୧ହଜାରରୁ ଅଧିକ ପିଲା ସେଠାରେ ମେଡିକାଲ ପାଠ୍ୟକ୍ରମ ପଢୁଛନ୍ତି | ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏତେ ସଂଖ୍ୟାରେ ପିଲା କାହିଁକି ୟୁକ୍ରେନମୁହାଁ ହେଉଛନ୍ତି | ମେଡିକାଲ ସିଟ ବାବଦରେ କହିବାକୁ ଗଲେ ଓଡ଼ିଶାରେ ସମୁଦାୟ ୨୨୫୦ଟି ମେଡିକାଲ ସିଟ ଥିବାବେଳେ ୧୫୫୦ଟି ସରକାରୀ ଓ ୭୦୦ଟି ବେସରକାରୀ ସିଟ ରହିଛି | ଆଉ ଭାରତରେ ସମୁଦାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଏମବିବିଏସ ସିଟ ଥିବାବେଳେ ହଜାର ହଜାର ପିଲା ୟୁକ୍ରେନ ଯିବା ପଛରେ କିଛି ପ୍ରମୁଖ କାରଣ ରହିଛି |

ଏମ୍ସ, ଭୁବନେଶ୍ୱରର ପ୍ରଫେସର ଡାକ୍ତର ଦିଲ୍ଲୀପ ପରିଡାଙ୍କ କହିବା ମୁତାବକ ଭାରତ ଅପେକ୍ଷା ୟୁକ୍ରେନରେ ମେଡିକାଲ ପାଠ୍ୟକ୍ରମ ବହୁତ ଶସ୍ତା | ଭାରତରେ କୌଣସି ବେସରକାରୀ ମେଡିକାଲ କଲେଜରେ ପାଠ ପଢିବାକୁ ହେଲେ ବର୍ଷକୁ ପ୍ରାୟ ୧୦ ଲକ୍ଷରୁ ୨୭ ଲକ୍ଷ ଯାଏଁ ଖର୍ଚ୍ଚ କରିବାକୁ ପଡିଥାଏ | ଅର୍ଥାତ ୫ବର୍ଷ ଏମବିବିଏସ କଲେ ପ୍ରାୟ ୫୦ ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡେ | କିନ୍ତୁ ୟୁକ୍ରେନରେ ଯଦି ଜଣେ ମେଡିକାଲ ପାଠ୍ୟକ୍ରମ ପଢୁଛି ୫ ବର୍ଷରେ ସମୁଦାୟ ୨୫ରୁ ୩୦ ଲକ୍ଷ ଖର୍ଚ୍ଚ କରିବାକୁ ପଡିଥାଏ | ଏହା ଛଡା ବିଦେଶରୁ ମେଡିକାଲ ଡିଗ୍ରୀ ମୋହ ସହ ବର୍ତ୍ତମାନ ସେଠାରେ ପଢିବା ପାଇଁ ନିଟ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ କିନ୍ତୁ ପୂର୍ବରୁ ନିଟ ଉତ୍ତୀର୍ଣ୍ଣ ଆବଶ୍ୟକ ନଥିଲା | ତେଣୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନିଟ ଉତ୍ତୀର୍ଣ୍ଣ ନ ହେଲେ ବି ଯାଇପାରୁଥିଲେ | ସେହିପରି ୟୁକ୍ରେନରେ ସଂରକ୍ଷଣର କୌଣସି ନିୟମ ନାହିଁ | ୟୁକ୍ରେନର ମେଡିକାଲ ପାଠ୍ୟକ୍ରମକୁ ‘ହୁ’ ଓ ଏମସିଆଇ(ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆ) ର ମାନ୍ୟତା ଥିବା ସହ ବହୁତ ପୁରୁଣା ବିଶ୍ୱବିଦ୍ୟାଳୟ ରହିଛି | ୟୁକ୍ରେନରେ ମେଡିକାଲ ପାଠ୍ୟକ୍ରମ ଇଂରାଜୀରେ ଥିବାବେଳେ ଚୀନ ଓ ଋଷିଆରେ ମେଡିକାଲ ପାଠ୍ୟକ୍ରମ ଇଂରାଜୀ ସହ ସ୍ଥାନୀୟ ଭାଷାରେ ପଢ଼ାଯାଉଛି | ତେଣୁ ଭାରତରୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ଅଧିକ ସୁବିଧା ହେଉଛି | ଏହା ଛଡା ଅଧିକାଂଶ ପିଲା ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କଠାରୁ ଶୁଣି ୟୁକ୍ରେନ ଯାଉଛନ୍ତି | ଏହାବାଦ କିଛି ଏଜେଣ୍ଟ ଅଛନ୍ତି ଯେଉଁମାନେ ସେଠାରେ ପାଠ ପଢିବାକୁ ଲୋଭ ମଧ୍ୟ ଦେଖାଉଛନ୍ତି |

ତେବେ ଏସସିବି ମେଡିକାଲ କଲେଜ,କଟକର ଆସିଷ୍ଟାଣ୍ଟ ପ୍ରଫେସର ଦୀପ୍ତି ବିଷୋୟୀ କହିଛନ୍ତି ଯେ ଓଡିଶା ତଥା ଭାରତରୁ ୟୁକ୍ରେନ ଯିବା ପଛରେ ଅନେକ କାରଣ ରହିଛି | ରାଙ୍କ ଅନୁସାରେ ସରକାରୀ ମେଡିକାଲ କଲେଜରେ ସିଟ ନ ପାଇଲେ ଛାତ୍ରଛାତ୍ରୀ ବେସରକାରୀ ମେଡିକାଲ କଲେଜକୁ ଯାଉଛନ୍ତି | କିନ୍ତୁ ଭାରତରେ ମେଡିକାଲ କୋର୍ସ ଫି ଅଧିକ ଥିବାରୁ ସେମାନେ ବାହାର ଦେଶରେ ପଢିବାକୁ ଯାଉଛନ୍ତି | ବଡ କଥା ଯେ ଭାରତରେ ମେଡିକାଲ ପାଠ୍ୟକ୍ରମ ପଢିବାକୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡୁଥିବାବେଳେ ୟୁକ୍ରେନରେ ସେମିତି କୌଣସି ପ୍ରବେଶିକା ପରୀକ୍ଷା ଦେବାକୁ ପଡେନାହିଁ | ଆଡ଼ମିସନ ପ୍ରକ୍ରିୟା ସରଳ ସହ ୟୁକ୍ରେନରୁ ଭିସା ପାଇବା ବହୁତ ସହଜ | ଯେଉଁ ଭାରତୀୟ ଛାତ୍ରଛାତ୍ରୀ ଯାଉଛନ୍ତି ସେଠାରେ ସ୍ୱତନ୍ତ୍ର ଭାରତୀୟ ଖାଦ୍ୟର ମେସ ଅଛି ଓ ୟୁକ୍ରେନର ମେଡିକାଲ କଲେଜରେ ଅଧିକାଂଶ ଭାରତୀୟ ପ୍ରଫେସର ଅଛନ୍ତି | ଏହା ଛଡା ଭାରତରୁ ୟୁକ୍ରେନକୁ ସିଧାସଳଖ ବିମାନ ଥିବାବେଳେ ବର୍ଷକୁ ଦୁଇରୁ ତିନିମାସ ଛୁଟି ମିଳୁଥିବାରୁ ଛାତ୍ରଛାତ୍ରୀ ନିଜ ଘରକୁ ଆସି ରହି ପୁଣି ଯାଇପାରୁଛନ୍ତି | ଏଥିପାଇଁ ଅଧିକାଂଶ ପିଲା ୟୁକ୍ରେନ ମୁହାଁ ହେଉଛନ୍ତି |

ପ୍ରମୁଖ କାରଣ
୧.ଆବଶ୍ୟକ ନାହିଁ ପ୍ରବେଶିକା ପରୀକ୍ଷା
୨.କୋର୍ସ ଫି ୫ ଗୁଣ କମ
୩.ବର୍ଷକୁ ତିନିମାସ ଛୁଟି ସହ ଆନୁସଙ୍ଗିକ ସୁବିଧା ଉପଲବ୍ଧ
୪.ଭାରତରୁ ୟୁକ୍ରେନକୁ ସିଧାସଳଖ ବିମାନ

କିନ୍ତୁ ବଡ଼କଥା ଯେ ୟୁକ୍ରେନରେ ଜଣେ ଏମବିବିଏସ କଲେ ବି ଭାରତରେ ଆସି ଏକ ପରୀକ୍ଷା ଦେବାକୁ ପଡିଥାଏ | ସେଥିରେ ଉତ୍ତୀର୍ଣ୍ଣ ହେଲେ ହିଁ ଭାରତରେ ସେ ଡାକ୍ତର ହୋଇପାରିବେ |

ସମ୍ବନ୍ଧିତ ଖବର