କାହିଁକି କାର୍ଯ୍ୟକାରୀ ହେଉନି ‘ତଡ଼ିପାର୍‌’?

ଜେଲ୍ ବାହାରେ ୧୦ ଗ୍ୟାଙ୍ଗଷ୍ଟର୍ ସହଯୋଗୀ, ଅଟକି ରହିଛି ଡିସିପିଙ୍କ ସୁପାରିସ

କଟକ : ଗ୍ୟାଙ୍ଗଷ୍ଟର୍‌ ଟିଟୋଠାରୁ ଧଳସାମନ୍ତ ଓ ସକିଲ୍‌ ଯାଏ, ୧୧ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ‘ତଡ଼ିପାର‌୍‌’ କରିବାକୁ କଟକ କମିସନରେଟ୍ ଇତିହାସରେ ପ୍ରଥମ ଥର ପୁଲିସ ପଦକ୍ଷେପ ନେଇଥିଲା। କିନ୍ତୁ କଟକ ଡିସିପିଙ୍କ ଏ ପ୍ରକାର ସୁପାରିସ ଗଲା ୬ ମାସ ହେବ କାର୍ଯ୍ୟକାରୀ ନହେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସହରରୁ ବିଦା କରିବାରେ କି ପ୍ରକାର ସମସ୍ୟା ପୁଲିସ କ୍ଷେତ୍ରରେ ସୃଷ୍ଟି ହେଉଛି, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, କଟକ କମିସନରେଟ୍ ପୁଲିସ ଗଲା ପାର୍ବଣରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ୧୧ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଥିଲା। କଟକ ଡିସିପିଙ୍କ ଅଫିସ ଏହି ତାଲିକା ପୁଲିସ କମିସନର୍‌ଙ୍କ କାର୍ଯ୍ୟାଳୟକୁ ପଠାଇଥିଲା। କମିସନର୍‌ଙ୍କ କୋର୍ଟ ପକ୍ଷରୁ ସେହି ମାସରେ ଗ୍ୟାଙ୍ଗଷ୍ଟର୍‌ ସକିଲ୍ ସମେତ ମିଲନ ଲେଙ୍କା, ଡାନି ଓରଫ ଶଶିକାନ୍ତ ଖଣ୍ଡେଇଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ ପୁଲିସ କମିସନର୍‌ଙ୍କ କୋର୍ଟରେ ହାଜର ହୋଇଥିଲା। ତାକୁ କାହିଁକି ତଡ଼ିପାର୍ କରାଯିବ ନାହିଁ ବୋଲି କୋର୍ଟରେ ଯୁକ୍ତି ରଖାଯିବାକୁ କୁହାଯାଇଥିଲା। କିନ୍ତୁ ସେ ସନ୍ତୋଷଜନକ ଉତ୍ତର ନଦେବାରୁ ତା ବିରୋଧରେ ‘ତଡ଼ିପାର‌୍‌’ ଲାଗୁ କରାଯାଇଥିଲା। ସେବେଠାରୁ ତାକୁ ସହର ବାହାରର ରାସ୍ତା ଦେଖାଇ ଦିଆଯାଇଛି। କିନ୍ତୁ ଏହି ପର୍ଯ୍ୟାୟରେ ମିଲନ ଓ ଡାନି କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଲେ ନାହିଁ। ଅବଶିଷ୍ଟ ୮ଜଣଙ୍କ ସୁପାରିସ ସମ୍ପର୍କରେ ପୁଲିସ କମିସନର୍‌ଙ୍କ କୋର୍ଟ କୌଣସି ବିଚାର ଏଯାଏ କଲା ନାହିଁ।

Image Courtesy of India Today

ଏହି ୧୧ଜଣ ପେସାଦାର ଅପରାଧୀ ଜେଲ୍‌ରୁ ଫେରି ସହରରେ ବୁଲୁଥିଲେ। ପୁଲିସ ‘ଗୁଣ୍ଡା ପରେଡ୍ ସମୟରେ ଏମାନଙ୍କୁ ଚିହ୍ନଟ କରିଥିଲା। ଏମାନେ ପୂର୍ବ ଭଳି ପୁଣି ସହରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ସହିତ ଅପରାଧିକ କାର୍ଯ୍ୟକଳାପରେ ସମ୍ପର୍କ ରଖୁଥିବା ଗୁଇନ୍ଦା ସୂଚନା କଟକ କମିସନରେଟ୍ ପୁଲିସର ହସ୍ତଗତ ହୋଇଥିଲା। ତେଣୁ ଏମାନେ ସହରରେ ରହିଲେ ସାଧାରଣ ଲୋକ, ଠିକାଦାର, ବାଲିଘାଟ ମାଲିକ ପ୍ରଭାବିତ ହେବାର ଆଶଙ୍କା ଥିଲା। ଟେଣ୍ଡର୍‌ ଫିକ୍ସିଂ ଓ ଚୋରା ବନ୍ଧୁକ କାରବାରରେ ଏମାନଙ୍କ ସମ୍ପୃକ୍ତି ଥିବା ଆଧାରରେ ଏମାନଙ୍କୁ କଟକ ସହରରୁ ବିଦା କରିବା ପାଇଁ ପୁଲିସ କମିସନରଙ୍କ କୋର୍ଟରେ କଟକ କମିସନରେଟ୍ ପୁଲିସ ତଥ୍ୟ ପ୍ରମାଣ ଦାଖଲ କରିଥିଲା। କିନ୍ତୁ ଏହି ୮ଜଣଙ୍କ ସମ୍ପର୍କରେ କୌଣସି ନୋଟିସ୍ ଜାରି ନହେବା ଘଟଣା ଆଗାମୀ ଦିନରେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ପୁଲିସ ଏଭଳି ଆଶଙ୍କା କରି ସେମାନଙ୍କ ବିରୋଧରେ ‘ତଡ଼ିପାର‌୍‌ କାର୍ଯ୍ୟକାରୀ କରିବାକୁ ସୁପାରିସ କରିଥିଲା। ଏହି ତାଲିକାରେ ଗ୍ୟାଙ୍ଗଷ୍ଟର୍‌ ଧଳସାମନ୍ତ, ସକିଲ୍‌, ଟିଟୋ ସମେତ ତପୁ ଓରଫ ପ୍ରଶାନ୍ତ ଦାସର ଖାସ୍ ସହଯୋଗୀମାନେ ରହିଛନ୍ତି। ଏବେ ଏହା କାର୍ଯ୍ୟକାରୀ ହେଉ ନଥିବା ବେଳେ ଏହି ଅପରାଧୀମାନେ ସହରରେ ବିଶୃଙ୍ଖଳା ସୃଷ୍ଟି କଲେ ଏଥିପାଇଁ ଉତ୍ତରଦାୟୀ କିଏ ହେବ?

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଜଣେ ପେସାଦାର ଅପରାଧୀ ବିରୋଧରେ ସର୍ବନିମ୍ନ ୬ଟି ଅପରାଧିକ ମାମଲା ଥିଲେ ‘ତଡ଼ିପାର‌୍‌ କରାଯାଏ। ପୁଲିସ କମିସନର୍‌ଙ୍କ କୋର୍ଟର ନିର୍ଦ୍ଦେଶ ବଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଲାଗିଥାଏ। ଓୟୁପି(ଓଡ଼ିଶା ସହରାଞ୍ଚଳ ପୁଲିସ) ଆକ୍ଟ-୨୦୦୩ର ଧାରା ୪୬ ଓ ୪୭ ଆଧାରରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇଥାଏ। କମିସନରେଟ୍‌ ପୁଲିସ୍‌ରେ ପାଖାପାଖି ୬ ମାସ ଯାଏ ‘ତଡ଼ିପାର‌୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ। ୬ ମାସ ଯାଏ ସମ୍ପୃକ୍ତ ଅପରାଧୀ ସ୍ଥାନୀୟ ଅଞ୍ଚଳକୁ ପ୍ରବେଶ କଲେ ପୁଲିସ ସେମାନଙ୍କ ବିରୋଧରେ କୋର୍ଟରୁ ଵାରେଣ୍ଟ ଜାରି କରି ଗିରଫ କରିବା ଭଳି ଆଇନଗତ ପଦକ୍ଷେପ ନେବାର ବ୍ୟବସ୍ଥା ରହିଛି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁଯାୟୀ, କଟକରୁ ଯେଉଁ ‘ତଡ଼ିପାର‌୍‌ ପ୍ରସ୍ତାବ ଆସିଛି ଏଥିରେ କାହାର ଗତିବିଧି ବଢ଼ୁଛି ତାକୁ ଅନୁଧ୍ୟାନ କରାଯାଉଛି। ‘ତଡ଼ିପାର‌୍‌ ପ୍ରସ୍ତାବ ଆସିବା ପରେ କମିସନର୍‌ ପ୍ରଥମେ ସନ୍ତୁଷ୍ଟ ହେଲେ ଏହି ସୁପାରିସକୁ କାର୍ଯ୍ୟକାରୀ କରିଥାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର