ଦୁବାଇରୁ କାହିଁକି ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ ? ଜାଣନ୍ତୁ ଅସଲ କାରଣ

ଭୁବନେଶ୍ୱର(ବୌଦ୍ଧାୟନ ଆଚାର୍ଯ୍ୟ): ୟୁନାଇଟେଡ଼ ଆରବ ଏମିରେଟସ(ୟୁଏଇ) ଦେଶର ଏମିତି ଏକ ସହର ରହିଛି ଯେଉଁଠିକି କାମ ସନ୍ଧାନରେ ଭାରତର ଅନେକ ଲୋକ ଯାଇଥାନ୍ତି | ୟୁଏଇର ଦୁବାଇ,ସାରଜାହା, ଆବୁଧାବିକୁ ଭାରତର ଅନେକ ଲୋକଙ୍କ ଭଳି ଓଡ଼ିଶାର ଅନେକ ଓଡ଼ିଆ ମଧ୍ୟ ଯାଇଥାନ୍ତି | ତେବେ ସାରା ବିଶ୍ୱକୁ ଏବେ କରୋନା ମହାମାରୀ ନିଜର ଶିକାର ବନାଇଥିବାବେଳେ ବହୁ ସଂଖ୍ୟାରେ ଓଡ଼ିଆ ଓଡ଼ିଶା ଫେରିବାକୁ ଅନାଇ ବସିଛନ୍ତି | ମେ ୧୪ ତାରିଖରେ ୧୫୦ଜଣ ଓଡ଼ିଆ ଦୁବାଇରୁ ଆସି ଭୁବନେଶ୍ବରରେ ପହଂଚିଥିଲେ । ଓଡ଼ିଶାର ୧୨ଟି ଜିଲ୍ଲାର ଲୋକ ଆସିଥିବାବେଳେ ଆସନ୍ତା ୧୯ ତାରିଖରେ ଆଉ ଏକ ବିମାନ ମଧ୍ୟ ଦୁବାଇରୁ ଆସିବ | ତେବେ ବର୍ତ୍ତମାନ କାହିଁକି ଏତେ ସଂଖ୍ୟାରେ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆ ଓଡ଼ିଶା ମୁହାଁ ହେଉଛନ୍ତି ସେ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ |

ଓଡ଼ିଶା ସମାଜ ୟୁଏଇର ସଦସ୍ୟା ସୁଧାଶ୍ରୀ ଦାଶଙ୍କ କହିବା ମୁତାବକ ପ୍ରଥମତଃ କରୋନା ପାଇଁ ୟୁଏଇରେ ଅଟ୍ଟାଳିକା ନିର୍ମାଣ କାମ ଏକଦମ ଠପ୍ ହୋଇଯାଇଛି | ନିର୍ମାଣ ଶ୍ରମିକ ଭାବେ ବହୁ ସଂଖ୍ୟାରେ ଲୋକ ଏଠାକୁ ଆସୁଥିବାବେଳେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି | କେହି ବି ଜାଣିନାହାନ୍ତି କେବେ ଏହି ସ୍ଥିତି ସୁଧୁରିବ | ଯେତେବେଳେ ବହୁ ଲୋକଙ୍କ ପାଖରେ ଖାଇବାକୁ ଟଙ୍କାଟିଏ ନାହିଁ, ପ୍ରାୟ ସମୟ ଭୋକରେ ରହୁଛନ୍ତି ତେଣୁ ସେମାନେ ଚାଁହୁଛନ୍ତି ଘରକୁ ଫେରିଗଲେ ଅତିକମରେ ଦୁଇ ଓଳି ଖାଇବାକୁ ପାଇବେ |

photo-wion

ଦ୍ଵିତୀୟରେ ଯେଉଁ ମାନେ ପର୍ଯ୍ୟଟକ ଭାବେ ଫେବୃୟାରୀ-ମାର୍ଚ୍ଚରେ ଦୁବାଇକୁ ବୁଲିବାକୁ ଆସିଥିଲେ ହଠାତ ଲକଡାଉନ ଯୋଗୁଁ ଫସିରହିଥିଲେ | ନିଜ ପରିବାର ସହ ରହିବାକୁ ଚାଁହୁଥିବା ଲୋକମାନେ ତେଣୁ ଓଡ଼ିଶା ଯିବା ପାଇଁ ବ୍ୟଗ୍ର ବୋଲି ସୁଧାଶ୍ରୀ କହିଛନ୍ତି | ସେହିପରି ଅଢେଇ ହଜାର ଓଡ଼ିଆ ଓଡିଶାକୁ ଫେରିବାକୁ ଚାଁହୁଥିବାବେଳେ ଯେଉଁମାନେ ଅତି ଖରାପ ଅବସ୍ଥାରେ ରହିଛନ୍ତି ସେମାନେ କିଭଳି ପ୍ରଥମେ ଯିବେ ତାହାକୁ ପ୍ରାଥମିକତା ଦେଇଥିଲୁ | ମେ ୧୪ରେ ଯାଇଥିବା ବିମାନରେ ପ୍ରାୟ ୯୨ରୁ ୯୫ ପ୍ରତିଶତ ଓଡ଼ିଆ ଦାଦନ ଶ୍ରମିକ ଓଡ଼ିଶା ଫେରିଛନ୍ତି | ଦ୍ଵିତୀୟ ପର୍ଯ୍ୟାୟରେ ମେ ୧୯ରେ ଯିବାକୁ ଥିବା ବିମାନରେ ମଧ୍ୟ ୧୫୦ ଜଣ ହିଁ ପ୍ରବାସୀ ଓଡ଼ିଆ ଯିବେ |

ସମ୍ବନ୍ଧିତ ଖବର