ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ କାହିଁକି : କଂଗ୍ରେସ
ବିଜେପି ବିରୋଧୀ ରାଜନୈତିକ ମେଣ୍ଟରେ ବିଜେଡି ସାମିଲ ହେବ ବୋଲି ଆଶା
ଭୁବନେଶ୍ବର: ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ ଓ ଆଦାନି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ଆମି ୟାଗନିକ୍। ଦେଶର ଗଣତନ୍ତ୍ରର ରକ୍ଷା ପାଇଁ ସବୁ ବିରୋଧୀ ଦଳ ଏକାଠି ହେବାକୁ ସେ ଆହ୍ବାନ କରିଥିଲେ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ୟାଗନିକ୍ କହିଥିଲେ, ମୋଦୀ ସରକାରଙ୍କ ୮ବର୍ଷ ଭିତରେ ବିଶ୍ବ ଧନୀ ତାଲିକାରେ ଆଦାନି ୬୦୯ ସ୍ଥାନରୁ ତୃତୀୟ ସ୍ଥାନକୁ ଉଠିବା ପଛରେ କ’ଣ ଯାଦୁ ରହିଛି। କେଉଁ ସୂତ୍ରରୁ ଆଦାନି କମ୍ପାନି ସମୂହକୁ ୨୦ହଜାର କୋଟି ଟଙ୍କା ଆସିଛି ଓ ଏହି ଟଙ୍କା କାହାର। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଚୁପ୍ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧୀଙ୍କ ତରଫରୁ ହୋଇଥିବା ପ୍ରଶ୍ନର ଉତ୍ତର ନ ରଖି ଏକତରଫା ଭାଷଣ ଦେଉଛନ୍ତି। କଂଗ୍ରେସ ସରକାର ଅମଳରେ ନିର୍ମିତ ହୋଇଥିବା ଜାତୀୟ ସଂପତ୍ତିକୁ ଆଦାନି ତଥା ମୁଷ୍ଟିମେୟ ପୁଞ୍ଜିପତିମାନଙ୍କୁ ଗୋଟିଏ ପରେ ଗୋଟିଏ ଟେକି ଦିଆଯାଉଛି। ମୋଦୀ-ଆଦାନିଙ୍କ ମଧ୍ୟରେ ଥିବା ସଂପର୍କର ଗୂଢ଼ ରହସ୍ୟ କ’ଣ ?
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏସବୁ ପ୍ରଶ୍ନ ପଚାରୁଥିବାରୁ ଭୟଭୀତ ମୋଦୀ ସରକାର ଆକ୍ରୋଶ ରାଜନୀତିର ଆଶ୍ରୟ ନେଇଛନ୍ତି। ଫେବ୍ରୁଆରି ୨୭ରୁ ମାର୍ଚ ୨୩ ଏକ ମାସରୁ କମ୍ ସମୟ ଭିତରେ ମାନହାନୀ ମକଦ୍ଦମାରେ କୋର୍ଟର ରାୟ ଆସିବା ଓ ସର୍ବାଧିକ ୨ବର୍ଷର ଦଣ୍ଡ ମିଳିବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି। ଦେଶର ଗଣତନ୍ତ୍ର ପ୍ରତି ବିପଦ ଦେଖା ଦେଇଥିବା ବେଳେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପ୍ରତିବାଦ କରିବା ଜରୁରୀ। ଗଣତନ୍ତ୍ରରେ ବିଶ୍ବାସ ରଖୁଥିବା ଦାବି କରୁଥିବା ବିଜେଡି ଦଳ ମଧ୍ୟ ଅନ୍ୟ ବିଜେପି ବିରୋଧୀ ରାଜନୈତିକ ଦଳ ସହ ସାମିଲ ହେବା ନେଇ ଶ୍ରୀମତୀ ୟାଗନିକ ଆଶାବ୍ୟକ୍ତ କରିଥିଲେ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ଦେଶରେ ମୋଦୀ ସରକାର ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଚଳାଇଛନ୍ତି। ରାହୁଲ ଗାନ୍ଧୀଙ୍କ ଜନସ୍ବାର୍ଥ ସମ୍ମିଳିତ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ମୋଦୀ ସରକାର ପ୍ରତିହିଂସା ପରାୟଣ ରାଜନୀତିକୁ ଆଦରି ନେଇଛନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ଘୃଣ୍ୟ ମନୋଭାବର ଦୃଢ଼ ପ୍ରତିବାଦ କରାଯିବା ସହିତ ରାଜ୍ୟବ୍ୟାପୀ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପିସିସି ମିଡିଆ ସେଲ୍ର ଅଧ୍ୟକ୍ଷ ଗଣେଶ୍ବର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।