ରାଜଗାଙ୍ଗପୁର ହାଜତ ମୃତ୍ୟୁ ମାମଲା: ଅଭିଯୁକ୍ତ ପୁଲିସ ଇନ୍ସପେକ୍ଟରଙ୍କୁ ସୁରକ୍ଷା କାହିଁକି?

ରାଜଗାଙ୍ଗପୁର (ସୁନ୍ଦରଗଡ଼): ବୀରମିତ୍ରପୁର ଥାନାରେ ଅଟକ ଜଣେ ଯୁବକଙ୍କ ସନ୍ଦେହଜକନ ମୃତ୍ୟୁ ଓ ପୁରୀ ହାଜତ ମୃତ୍ୟୁ ଘଟଣାରେ ପୁଲିସ ଉଚ୍ଚ ଅଧିକାରୀ ଦୁଇ ସ୍ଥାନୀୟ ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଅନ୍ୟ କେତେକ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ରାଜଗାଙ୍ଗପୁର ହାଜତ ମୃତ୍ୟୁ ଘଟଣାକୁ ଦୁଇବର୍ଷ ପୁରିବାକୁ ବସିଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ସୁରକ୍ଷା ମିଳିଛି। ରାଜ୍ୟ ମାନବ ଅଧିକାର ସେଲ୍‌ ଏବଂ ବିଚାର ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇନାହିଁ।

୨୦୧୮ ମସିହା ଡିସେମ୍ବର ମାସରେ ରାଇକଚ୍ଚାରର ଜୟ ଲାକଡ଼ାଙ୍କ ବିରୋଧରେ ସେହି ଗାଁର ରବିନ୍ଦ୍ର ଲାକଡ଼ା, ନକୁଳ ଲାକଡ଼ା ଏକ ଠକେଇ ଅଭିଯୋଗ ଆଣିଥିଲେ। ଥାନା ଅଧିକାରୀ ଜୟଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ ବେଆଇନ ଭାବେ ଅଭିଯୁକ୍ତ ଜୟକୁ ୪/୫ ଦିନଧରି ଥାନାରେ ଅଟକ ରଖିଥିଲେ। ଅଭିଯୁକ୍ତ ଜୟ ଲାକଡ଼ା ଡିସେମ୍ବର ମାସ ୫ ତାରିଖ ସଂଧ୍ୟାରେ ନିଜର ଶୀତ କପଡ଼ାରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଥାନା ଅଧିକାରୀ ପ୍ରଦୀପ କୁମାର ଜେନା, ମହିଳା ଡିସିଓ ଏଏସଆଇ ସୁଚିତ୍ରା ମହାନ୍ତି ଏବଂ ଜଣେ କନେଷ୍ଟବଳ ସଂପୃକ୍ତ ଥିଲେ। ଜିଲ୍ଳା ପୁଲିସ କେବଳ ୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ। ଜିଲ୍ଲା ପୁଲିସ କେବଳ ସଂପୃକ୍ତ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରିଥିଲେ। ଏବଂ ପରବର୍ତ୍ତି ସମୟରେ ମହିଳା ଅଧିକାରୀଙ୍କୁ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ମାନବ ଅଧିକାର ସେଲ୍‌ ଏବଂ ବିଚାର ବିଭାଗ ପକ୍ଷରୁ ତତ୍କାଳୀନ ଥାନା ଅଧିକାରୀଙ୍କୁ ଦୋଷୀ ପାଇଛନ୍ତି। ଏଣୁ ପ୍ରଦୀପ କୁମାର ଜେନାଙ୍କ ବିରୋଧରେ ଫୌଜଦାରୀ ମାମଲା (୨୪୪/୨୦୨୦),ଦଫା ୪୩୨)ରେ ମାମଲା ରୁଜୁ କରିଛନ୍ତି।

ରାଜଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରି ଜିଲ୍ଲା ପୁଲିସ ନିରବ ରହିଛି। ମାମଲା ରୁଜୁ କରିବାର ମାସେ ଅତିବାହିତ ହୋଇଥିଲେ ମଧ୍ୟ କଟକରେ ଅବସ୍ଥାପିତ ତତ୍କାଳୀନ ଥାନା ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣି ନାହାନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପୁଲିସ ଠକେଇ ମାମଲାରେ ଅଭିଯୋଗ କରିଥିବା ରବିନ୍ଦ୍ର ଲାକଡ଼ା ଏବଂ ତାଙ୍କ ଭାଇ ନକୁଲ ଲାକଡ଼ା (ଥାନା ଭିତରେ ଅଭିଯୁକ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ଅଭିଯୋଗରେ) ଏକ ମିଥ୍ୟା କେଶରେ ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଦେଲେ। ଥାନାରେ ଜୟ ଆତ୍ମହତ୍ୟା କରିବା ପରେ ତାଙ୍କ ପତ୍ନୀ ଅସହାୟ ହୋଇପଡ଼ିଛନ୍ତି।

ଇତିମଧ୍ୟରେ ରାଜଗାଙ୍ଗପୁର ସମ୍ବାଦ ପ୍ରତିନିଧି ଜାତୀୟ ମାନବ ଆୟୋଗକୁ ସମସ୍ତ ଘଟଣା ସଂର୍ପକରେ ଜଣାଇବା ପରେ ମାନବ ଆୟୋଗ ୫ଲକ୍ଷ ଟଙ୍କା କାହିଁକି କ୍ଷତିପୁରଣ ଦିଆଯାଇନାହିଁ ବୋଲି ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ରାଜଗାଙ୍ଗପୁର ଥାନାରେ ବ୍ୟାଙ୍କ ଠକେଇ ଅଭିଯୋଗ ଆଣି ୨ଭାଇ କେଶ ଖାଇ ଜେଲ୍‌ ଗଲେ। କିନ୍ତୁ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ କଟକ ଭଳି ଏକ ଗୁରୁତ୍ବପୁର୍ଣ୍ଣ ଥାନାକୁ ବଦଳି କରାଗଲା। ଥାନା ହାତରେ ମୃତ୍ୟୁ ବରଣ କରିଥିବା ଜୟଙ୍କ ପରିବାରକୁ ପ୍ରଶାସନ ଆଜି ଯାଏ ଅଣ ଦେଖା କରିବା ଦ୍ବାରା ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ବୀରମିତ୍ରପୁର ଏବଂ ପୁରୀ ଥାନା ହାଜତ ମୃତ୍ୟୁ ଘଟଣାର ୪୮ଘଣ୍ଟା ମଧ୍ୟରେ ଜିଲ୍ଲା ମୁଖ୍ୟାଳୟ ରାତି ଅଧିଆ ଥାନା ଅଧିକାରୀ ମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ରାଜଗାଙ୍ଗପୁର ଥାନାର ତତ୍କାଳିନ ଅଧିକାରୀଙ୍କୁ ସୁରକ୍ଷା ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।

ସମ୍ବନ୍ଧିତ ଖବର