ପୁରୀ : ରଥଯାତ୍ରାର ସିଧା ପ୍ରସାରଣ ନିଲାମ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାର ଆବଶ୍ୟକତା କାହିଁକି ପଡିଲା, ତାକୁ ନେଇ ସମୀକ୍ଷା ଭିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟାନ ଦେଇ କହିଛନ୍ତି, ଶ୍ରୀମନ୍ଦିର ଆୟ ବଢାଇବା ପାଇଁ ଏହା ଏକ ପ୍ରକ୍ରିୟା।
୨୦୧୧ ମସିହାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାପରେ ଏହା ରହିଯାଇଥିଲା । ଆମର ଉଦ୍ଦେଶ୍ୟ ହେଉଛି, ଚ୍ୟାନେଲ ମାନେ ବହୁତ ପଇସା ବିଜ୍ଞାପନ ଆକାରରେ ପାଉଛନ୍ତି, ଜଗନ୍ନାଥଙ୍କୁ କିଛି ଦେଉନାହାନ୍ତି । ଆମେ ଦେଖିବା. କିଏ କେତେ କୋଟିଂ କରୁଛନ୍ତି। - ପ୍ରଦୀପ୍ତ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପ୍ରଶ୍ନ ଉଠିବା ସ୍ୱାଭାବିକ, ଏତେ ବଡ ନିଷ୍ପତ୍ତି ନେବା ଆଗକୁ କାହାକୁ ବିଶ୍ୱାସକୁ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟିରେ କିମ୍ବା ଛତିଶା ନିଯୋଗ ବୈଠକରେ ପ୍ରସଙ୍ଗକୁ ଉଠାଇ ସମସ୍ତଙ୍କ ଆଭିମୁଖ୍ୟ ଜାଣିବାକୁ ନଚାହିଁ ଏକପାଖିଆ ଭାବେ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବାର ଆବଶ୍ୟକତା କାହିଁକି ପଡିଲା? ପ୍ରକୃତରେ କଣ ରାଜକୋଷକୁ ବଢାଇବା ଏହା ପଛର ଉଦ୍ଦେଶ୍ୟ କି?
ଯଦି ସିଧା ପ୍ରସାରଣକୁ ନିଲାମ କରି ଆୟ ବଢାଇବାକୁ ଚାହୁଁଛି ମନ୍ଦିର ପ୍ରଶାସନ ତେବେ ଏହାଠାରୁ ଭଲ ଉପାୟକୁ ମଧ୍ୟ ସେମାନେ ଆପଣାଇ ପାରିବେ। ନିଜେ ରଥଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରାଇ ଯଦି ଏହାକୁ ସମସ୍ତ ଚ୍ୟାନେଲକୁ ବିକ୍ରି କରନ୍ତେ ତେବେ ହୁଏତ ଅଧିକ ରାଜସ୍ୱ ପାଇପାରନ୍ତେ ମନ୍ଦିର ପ୍ରଶାସନ। କାରଣ ରଥଯାତ୍ରାର ସିଧା ପ୍ରସାରଣ କରାଇବାକୁ ସମସ୍ତେ ଆଗ୍ରହୀ। ଆଉ ଏଭଳି କଲେ ବିବାଦକୁ ସାମ୍ନା କରିବା ବଦଳରେ ଅଧିକ ରାଜସ୍ୱ ମଧ୍ୟ ପାଇପାରନ୍ତା ମନ୍ଦିର ପ୍ରଶାସନ।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଜେଟ ୧୦୨ କୋଟି ଥିବା ବେଳେ କେବଳ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ଆବଂଟିତ ହୋଇଥିଲା ୬ କୋଟି। ମନ୍ଦିର ବାବଦ ବ୍ୟୟ ୭୮ କୋଟି କରିବାକୁ ନିଷ୍ପତ୍ତି ହୋଇଥିଲା। ଗତ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, ଏଥର ଆୟ ୧୦୦ କୋଟି ଅତିକ୍ରମ କରିବ। ତେବେ ଏତେସବୁ ପରେ ମଧ୍ୟ ସିଧା ପ୍ରସାରଣକୁ ନିଲାମ କରିବାର ଆବଶ୍ୟକତା କାହିଁକି ପଡିଲା, ତାକୁ ନେଇ ବିତର୍କ ଚାଲିଛି।
ଦାନ ବାବଦକୁ ଅର୍ଥକୁ ବଢାଇବା ବଦଳରେ ସମସ୍ତଙ୍କ ପାଖରେ ରଥଯାତ୍ରାକୁ ପହଁଚାଉଥିବା ଟିଭି ଚ୍ୟାନେଲ ଗୁଡିକ ଉପରେ ଛାଟ ଲଗାଇବା କେତେ ଦୂର ସମୀଚୀନ। ଆଶ୍ଚର୍ଯ୍ୟର କଥା ହେଉଛି, ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଉଥିବା ବେଳେ ଆଇନ ବିଭାଗ ଚୁପ ରହିଛି। ଏପରିକି ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ସରକାରୀ ସ୍ତରରେ ଏହାକୁ ନେଇ ସେଭଳି ତତ୍ପରତା ପ୍ରକାଶ ନପାଇବା ଆଶ୍ଚର୍ଯ୍ୟଜନକ । ସରକାର କଣ ଏହାକୁ ନୀରବରେ ସମର୍ଥନ କରୁଛନ୍ତି କି?
ନଭେମ୍ବର ୧୩, ୨୦୧୭ରେ ଟାଇମସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜଗନ୍ନାଥ ହେଉଛନ୍ତି ୫୯ ହଜାର ଏକର ଜମିର ମାଲିକ । ୨୩ ଜିଲ୍ଲା ଓ ୯ ରାଜ୍ୟରେ ଏହି ଜମି ସବୁ ରହିଛି । ହେଲେ ବଡ କଥା ହେଉଛି, ଏବେ ୩୦ ହଜାର ଏକର ଜମି କିନ୍ତୁ ଜଗନ୍ନାଥଙ୍କ ନାଁରେ ରହିଛି । ବାକି ସବୁ ଜମିକୁ ମାଫିଆ କିମ୍ବା ପ୍ରଭାବଶାଳୀ ଲୋକ ନିଜ କବଜାକୁ ନେଇ ସାରିଛନ୍ତି।
ତେଣୁ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ରାଜକୋଷ ବଢାଇବାକୁ ଏହି ସବୁ ଜମି ନିଜ କବଜାକୁ ଆଣି କାହିଁକି ନିଲାମ କରିବାକୁ ଅଂଟା ଭିଡୁନି ଶ୍ରୀମନ୍ଦିର ପ୍ରଶାସନ। କାହିଁକି ଏହି ଦିଗଟି କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯାଉଛି? କାହିଁକି ପ୍ରଭାବଶାଳୀ ଲୋକ ଜବରଦଖଲ କରି ରଖିଥିବା ଜମିକୁ ସେମାନଙ୍କ କବଜାରୁ ବାହାର କରିବାକୁ ପ୍ରଶାସନ କ୍ରିୟାଶୀଳ ହେଉନାହିଁ? ଏହି ତମାମ ଦିଗ ଉପରେ ଗୁରୁତ୍ୱ ଦେବା ବଦଳରେ ଆୟ ବଢାଇବାକୁ ସିଧାପ୍ରସାରଣର ନିଲାମ ବିକ୍ରି କରିବା କେତେ ଯୁକ୍ତିଯୁକ୍ତ, ସେନଇ ଶ୍ରୀମନ୍ଦିର ପ୍ରଶାସନ ବିଚାର କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ratha-2.jpg)